ବାଲିଯାତ୍ରାରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ସହରାଞ୍ଚଳ ଘର ବଗିଚା ଷ୍ଟଲ

କଟକ : ଐତିହାସିକ କଟକ ବାଲିଯାତ୍ରାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (ଚେସ), ଭୁବନେଶ୍ବର (ICAR-IIHR), ତରଫରୁ ଲୋକଙ୍କୁ ଛାତ ଏବଂ ଘର ବଗିଚା ଆପଣେଇବା ସହ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଉଦ୍ୟାନ ବିଭାଗ ଷ୍ଟଲ ପରିସରରେ ଖୋଲିଥିବା ଏକ ପ୍ରଦର୍ଶନୀ ଏବେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହୋଇଛି । ଏହି ଷ୍ଟଲରେ, ଚେସ ଦ୍ୱାରା ସଞ୍ଚାଳିତ ଏବଂ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ବିତ୍ତ-ପୋଷିତ ଏକ ନବନ୍ୱେଷୀ ପରିଯୋଜନା ଅନ୍ତର୍ଗତ ସହରାଞ୍ଚଳ ବାସୀଙ୍କ ପାଇଁ ବୈଜ୍ଞାନିକ ପଦ୍ଧତିରେ ଛାତ ଉପର ବଗିଚା ଓ ଘର ବଗିଚାକୁ ଆପଣେଇବା ପାଇଁ ପ୍ରଦର୍ଶନୀ ମାଧ୍ୟମରେ ଜ୍ଞାନ କୌଶଳ ଦିଆଯାଉଛି I ସହରୀ ଲୋକ ମାନେ ନିଜ ଘରର ପାର୍ଶ୍ଵବର୍ତ୍ତୀ ସ୍ଥାନ, ଘର ଭିତର ଛାତ ଉପର ଏବଂ ବାଲକୋନୀ ଆଦି ସ୍ଥାନର ସଦୁପଯୋଗ କରି କିପରି ବିବିଧ ପ୍ରଜାତି ଫଳ, ପନିପରିବା, ଫୁଲ, ଆଳଙ୍କାରିକ, ଔଷଧୀୟ ଉଦ୍ଭିଦ କିସମ ଲଗାଇ ପାରିବେ ସେ ସମ୍ବନ୍ଧରେ ଅବଗତ କରାଯାଉଛି।
ଏହି ଷ୍ଟଲରେ ICAR-IIHR ଦ୍ୱାରା ଛାତ ବଗିଚା ଓ ଘର ବଗିଚା ପାଇଁ ବ୍ୟବହାର ନୂତନ ଅଭିନବ ପ୍ରଯୁକ୍ତି ବିଦ୍ୟା ଯେପରି ଜୀବାଣୁ ଆଧାରିତ ଅର୍କା ମାଇକ୍ରୋବିୟଲ କନ୍ସୋର୍ଟିୟମ୍, ଅର୍କା ଫାର୍ମେଣ୍ଟେଡ କୋକୋପିଟ୍ (ନଡିଆ କତା ଗୁଣ୍ଡ), ଅର୍କା ଶସ୍ୟ ପୋଷକ ରସ, ଅର୍କା ଭେଜେଟେବୁଲ ସ୍ପେଶାଲ, ଅର୍କା ଡିକମ୍ପୋଜର, ଅର୍କା ବିହନ କିଟ, ବିନା ମାଟି ହାଇଡ୍ରୋପୋନିକ୍ ଓ କୋକୋପୋନିକ ଚାଷ , ଉପଯୋଗ ସମ୍ବନ୍ଧରେ ଅବଗତ କରାଯାଉଛି I ଏହା ସହିତ ବିଭିନ୍ନ ପ୍ରକାର ଭୁଲମ୍ବ ବଗିଚା (ଭର୍ଟିକIଲ ଗାର୍ଡେନ) ଓ ଲତା ଜାତୀୟ ପନିପରିବା ପାଇଁ କୁଣ୍ଡ ଆଧାରିତ ରଞ୍ଜା ପଦ୍ଧତି ମଧ୍ୟ ପ୍ରଦର୍ଶିତ କରାଯାଉଛି । ଏହା ସହ ଏକ ଘର ବଗିଚା ପାଇଁ ଆବଶ୍ୟକ ହେଉଥିବା ଉତ୍ତମ ମାନର ମଞ୍ଜି, ଚାରା, ବିଭିନ୍ନ ପ୍ରକାର କୁଣ୍ଡ ଓ ଜୈବିକ ଖାଦ୍ୟସାର,ବୁନ୍ଦା ଜଳ ସିଞ୍ଚନ ପଦ୍ଧତି, ଆନୁଷଙ୍ଗିକ ଉଦ୍ୟାନ ସାମଗ୍ରୀ ଯେପରିକି ଖୁର୍ପି, ଡାଳ କଟା କଇଁଚି, ଝରା, ପ୍ରୋ-ଟ୍ରେ ଇତ୍ୟାଦି ଉତ୍ପାଦ ଗୁଡିକ ବିଷୟରେ ପ୍ରଦର୍ଶନ ମାଧ୍ୟମରେ ଜଣାଇ ଦିଆଯାଉଛି I ଏହା ସହ ସମସ୍ତ ସାମଗ୍ରୀର ସଠିକ ଉତ୍ସ ଓ ବ୍ୟବହାର ସର୍ବୋପରି ଏକ ଉଦ୍ୟାନ ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ଆନୁଷଙ୍ଗିକ ବସ୍ତୁ ସମ୍ବନ୍ଧରେ ଏଠାରେ ବିଶେଷ ଜ୍ଞାନ ପ୍ରଦାନ ସହ ଲୋକଙ୍କୁ ସଚେତନ କରାଯାଉଛି ।
ଅଧିକ ପଢନ୍ତୁ : ଗୋଟିଏ ଦିନ କଟକ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ସ୍ୱଳ୍ପ ସ୍ଥାନ ଥିବା ଆଗ୍ରହୀ ସହରାଞ୍ଚଳ ଲୋକମାନଙ୍କ ପାଇଁ ବେଶ ଉପାଦେୟ ଯୁକ୍ତ ଅର୍କା ଭର୍ଟିକIଲ ଗାର୍ଡେନ ପ୍ରଦର୍ଶିତ କରାଯାଇଛି । ଏହି ଭୁଲମ୍ବ ବଗିଚାରେ ମାତ୍ର ଏକ ବର୍ଗ ମିଟର ସ୍ଥାନରେ ୧୬ ଟି କୁଣ୍ଡ ରଖା ଯାଇପାରୁଛି। ଏହି ଭୁଲମ୍ବ ବଗିଚାରେ ବୁନ୍ଦା ଜଳସିଞ୍ଚନ ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଉପଯୋଗୀତା ଓ ଉପଦେୟତା ସମ୍ବନ୍ଧରେ ସହରୀ ଲୋକ ମାନେ ଏହି ଷ୍ଟଲ ମାଧ୍ୟମରେ ପ୍ରତ୍ଯକ୍ଷ ଅନୁଭବ କରିପାରୁଛନ୍ତି ।
📱 Get Argus News App
✨ବାଲିଯାତ୍ରା ଅବସରରେ ସହରୀ ଲୋକମାନେ ଏହିପରି ଅଭିନବ ବଗିଚା ସମ୍ବନ୍ଧରେ ଜାଣି, ବଗିଚା ଓ ଘର ବଗିଚାକୁ ଆପଣେଇ ସହରୀ ପରିବେଶକୁ ସୌନ୍ଦର୍ଜ୍ୟମୟ ରଖିବା ଏବଂ ପୁଷ୍ଟିକର ଉଦ୍ୟାନିକ ଉତ୍ପାଦ ପାଇବା ସହ ନିଜ ଓ ନିଜ ପରିବାରର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରଖିପାରିବେ ବୋଲି ପ୍ରକଳ୍ପର ଅନ୍ଵେଷକ ତଥା କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡଃ ପି. ଶ୍ରୀନିବାସ ମତବ୍ୟକ୍ତ କରିଛନ୍ତି ।