ପିଲାଙ୍କ `ଧର୍ମପଦ' ହେବାର ମାନସିକତା ଦୃଢ଼ତ୍ତର ହେଉଛି : ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା: ଜଟଣୀର ପଦନପୁରରେ NSTIର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିଚର ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ପାଇଁ ଆଜିଠୁ ଏଠି କାମ ଆରମ୍ଭ ହେଉଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଦକ୍ଷ ପ୍ରଶିକ୍ଷକ ବାହାରିଲେ ପିଲାଙ୍କ ଦକ୍ଷତା ବଢ଼ିବ, ସ୍ଵାବଲମ୍ବୀ ହେବେ । ପିଲାଙ୍କ `ଧର୍ମପଦ' ହେବାର ମାନସିକତା ଦୃଢ଼ତ୍ତର ହେଉଛି । ଗରିବ ପରିବାରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଲେ, ଦେଶର ନେତୃତ୍ଵ ନେଲେ । ଏଠାକର ପିଲା ମଧ୍ୟ ପ୍ରଧାନମନ୍ତ୍ରୀ କାହିଁକି ହୋଇପାରିବେନି । ଜାତୀୟ ଶିକ୍ଷାନୀତିରେ ପିଲାର ବୌଦ୍ଧିକ ବିକାଶ ସହ ଶିକ୍ଷା ପରିସର ବ୍ୟାପକ ହେବ ।
ଉନ୍ନତ ଶୈକ୍ଷିକ ପରିବେଶରେ ସ୍କିଲିଂ, ରିସ୍କିଲିଂ, ଅପ୍ ସ୍କିଲିଂ ହୋଇପାରିବ । ଏଠାକୁ NIOS, ଇଗ୍ନୋ ଅଣାଯିବ, ଯାହାଦ୍ବାରା ପିଲା ଉଚ୍ଚ ଶିକ୍ଷା ପାଇବେ । ଏଇଠି ରହି ଡିଗ୍ରୀ, ପିଏଚ୍ଡି ପାଇବ, ଏହି ସଂସ୍ଥା 2047କୁ ଦେଖି କରାଯାଉଛି । ଆଗକୁ ବଢ଼ି ଚାକିରି ଦେବାର ମାନସିକତା ରଖିବାକୁ ପିଲାଙ୍କୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ଉପସ୍ଥିତ ଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏହାପରେ ଅପରାହ୍ନରେ CSIR-IMMTରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । IMMTରେ ଅନୁଷ୍ଠିତ ହେଉଥିବା ଗୁରୁ କା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର