ନଦୀରେ ବୁଡି ନାବାଳକ ମୃତ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଘଟିଛି ଅଭାବନୀୟ ଅଘଟଣ। ଜଣେ ବାଳକ ଗଧୋଉଥିବାବେଳେ ବୁଡିଯାଇ ମୃତ୍ୟୁ ବରଣ କରିଛି। ଘଟଣାରୁ ପ୍ରକାଶ ତାଳପଦା ଗ୍ରାମର ଶତ୍ରୁଘନ ପଲେଇଙ୍କ ଏକମାତ୍ର ପୁଅ ରୁଦ୍ର ନାରାୟଣ ପଲେଇ (୧୩) ମଙ୍ଗଳବାର ସକାଳ ୮ଟାରେ ଟ୍ୟୁସନରୁ ଫେରି ସାଇକେଲ ଧରି ନଦୀକୁ ଗାଧୋଇବାକୁ ସାଙ୍ଗ ମାନଙ୍କ ସହ ବାହାରି ଥିଲା। ତାଳପଦା ଗ୍ରାମରୁ ୨ କିଲୋମିଟର ସାଙ୍ଗମାନଙ୍କ ସହ ପଥରରେ ବସି ଗାଧୋଉଥିବା ବେଳେ ହଠାତ ପାଦ ଖସିଯିବାରୁ ଗଭୀର ଜଳ ଥିବା ଗଣ୍ତ ଭିତରେ ପଡି ବୁଡିଯାଇଥିଲା। ସାଙ୍ଗ ଛୁଆ ମାନେ ଘରେ ଘଟଣା ସମ୍ପର୍କରେ କହିଥିଲେ। ଘର ଲୋକ ଘଟଣାସ୍ଥଳକୁ ଯାଇ ଖୋଜିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପାଣିରେ ବୁଡ଼ି ଖୋଜିଥିଲେ ହେଲେ ରୁଦ୍ରର ପତ୍ତା ମିଳି ନ ଥିଲା। ଘଟଣାସ୍ଥଳ କୁ ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବିଡ଼ିଓ ସ୍ୱପ୍ନେଶ୍ୱର ବେହେରା ପହଞ୍ଚିବା ସହ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ରାତି ପ୍ରାୟ ୧୦ ଟା ସମୟରେ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଓଡ୍ରାଫ୍ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ତାପରଦିନ ସକାଳ ପ୍ରାୟ ୧୦ଟା ୩୦ ସମୟରେ ରୁଦ୍ରନାରାୟଣଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ରୁଦ୍ରନାରାୟଣଙ୍କୁ ମୃତ ଘୋଷଣା କରିଥିଲେ।
ଠାକୁରମୁଣ୍ଡା ଥାନା ପୋଲିସ ରୁଦ୍ରନାରାୟଣଙ୍କ ମୃତଦେହକୁ ଜବତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର