ହୀରାକୁଦ ପରେ ସମ୍ବଲପୁରରେ ସ୍ଥିତି ଅଣାୟତ

ସମ୍ବଲପୁର: ବିଜେଡି ସରକାରଙ୍କ ଜଳଯୋଗାଣ ଅପାରଗତାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ସହରରୁ ସହର ବ୍ୟାପୁଛି ଝାଡ଼ାବାନ୍ତି। ରାଉରକେଲା, ହୀରାକୁଦ ପରେ ସମ୍ବଲପୁରରେ ଅଣାୟତ୍ତ ସ୍ଥିତି। .2014ରେ ସମ୍ବଲପୁର ଜଣ୍ଡିସ ଆତଙ୍କରୁ କିଛି ଶିଖିଲେନି ସରକାର। ସୁଧାରିଲେ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। .ଭୋଟରେ ପ୍ରତିଫଳିତ ହେବ କି ସ୍ଥାନୀୟ ଲୋକଙ୍କ ପ୍ରତିବାଦ।
ଗଡୁଛି ମୁଣ୍ଡ...ହୀରାକୁଦ ପରେ ସମ୍ବଲପୁରରେ ବ୍ୟାପୁଛି ଝାଡ଼ାବାନ୍ତି ଆତଙ୍କ । ଏପଟେ ସବୁ ଦେଖି ଆଖି ବୁଜି ଦେଇଛନ୍ତି ସରକାର । ହୀରାକୁଦରେ 4 ଜଣଙ୍କ ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା 2 ଶହ ଟପିଛି । ସମ୍ବଲପୁରରେ ବି ଆକ୍ରାନ୍ତ ସଂଖ୍ୟା 15 ଡେଇଁଥିଲେ ବି ନିଦାବିଷ୍ଣୁ ସରକାର । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ନେବା ବଦଳରେ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଶାସନିକ ଅଧିକାରୀ ପାଲଟିଛନ୍ତି ସରକାରୀ ରାଜନୈତିକ କର୍ମୀ । ଯାହାକୁ ନେଇ ବଢୁଛି ଜନତାଙ୍କ ଅସନ୍ତୋଷ । ସମ୍ବଲପୁର ସହରର ଚେରୁଆପଡାରେ 5, ମୈତ୍ରୀନଗର ଓ ମାତୃବିହାର ପଡାରେ ୧୦ରୁ ଅଧିକ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଆକ୍ରାନ୍ତ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ କିଛି ଆକ୍ରାନ୍ତଙ୍କ ଘରୋଇ ଚିକିତ୍ସା ଜାରି ରହିଛି ।
ଗତ 10 ଦିନ ମଧ୍ୟରେ ହୀରାକୁଦରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିନଥିବାବେଳେ ସମ୍ବଲପୁର ସହରର ବିଭିନ୍ନ ପଡାରେ ଆକ୍ରାନ୍ତ ବୃଦ୍ଧି, ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ହୀରାକୁଦରେ ସ୍ବାସ୍ଥ ବିଭାଗର 2 ଜଣିଆ ଟିମ ଗ୍ରାଉଣ୍ତରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା । କାର୍ଯ୍ୟାନୁଷ୍ଠା ସ୍ବରୂପ ଜନସ୍ବାସ୍ଥ୍ୟ ବିଭାଗ ମାତ୍ର 2 ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ନିଜ ମୁଣ୍ତରୁ ଦୋଷ ଖସାଇ ଥିଲା । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଲୋକେ । କିନ୍ତୁ ନିର୍ବାଚନ ଋତୁରେ ବିଜେଡି ସରକାର ବସୁଧା, ଡ୍ରିଙ୍ଗ ଫ୍ରମ ଟ୍ୟାପ୍ ଯୋଜନାରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବାରୁ ମିଛ ପ୍ରଚାର କରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ ।
2014ରେ ସମ୍ବଲପୁରରେ ଜଣ୍ଡିସର ଶିକାର ହୋଇଥିଲେ ଶତାଧିକ ଲୋକ। ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା 36 ଥିବାବେଳେ ବେସରକାରୀ ରିପୋର୍ଟ ଅନୁସାରେ ଜଣ୍ଡିସ ଶହେରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ସ୍ଥିତି ନିୟନ୍ତ୍ରଣରେ ବିଫଳ ହୋଇଥିଲା ସ୍ବାସ୍ଥ୍ୟ ବିଭାଗ । ରୋଗ ନିରାକରଣ ବ୍ୟବସ୍ଥା ସହ ଲୋକଙ୍କୁ ସଚେତନ କରିବାକୁ ରାଜ୍ୟ ସରକାର ଏକାଧିକ ଯୋଜନାରେ ଖର୍ଚ୍ଚ କରିଥିଲେ କୋଟି କୋଟି ଟଙ୍କା । କିନ୍ତୁ ଯୋଜନା ଗୁଡ଼ିକର କ୍ରିୟାନ୍ବୟନରେ ବିଫଳ ହୋଇଥିଲେ ସରକାର । ଏବେ ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାରଙ୍କ ଅବହେଳା ସ୍ଥିତିକୁ ଆହୁରୀ ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ସମ୍ବଲପୁରବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର