ବୋହୂକୁ ମାଡ ମାରି ରକ୍ତାକ୍ତ କଲେ ଶାଶୂ ଶଶୁର

ଅର୍ଗସ ବ୍ୟୁରୋ : ବିଦ୍ୟୁତ୍ ବିଲ୍ ପରିଶୋଧକୁ କେନ୍ଦ୍ର କରି ବୋହୁ’ମା ଏବଂ ଶାଶୁ-ଶଶୁରଙ୍କ ମଧ୍ୟରେ ବିବାଦ| ବୋହୁ ମା’କୁ ମାଡ ମାରିବା ସହ ରକ୍ତାକ୍ତ କରି ଦେବାର ଅଭିଯୋଗ ହୋଇଛି। ଏହି ଘଟଣା ହରିଚନ୍ଦନପୁରର ଗାଙ୍ଗନଦିଆ ଗ୍ରାମରେ ଘଟିଛି। ବଧୂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ବ୍ୟାପକ ଚାଞ୍ଚଲ୍ୟ ବ୍ୟାପିଛି। ଆହତ ବଧୂର ମାଆ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ପୁଲିସ ଏବଂ ସ୍ଥାନୀୟ ସୂତ୍ର ଅନୁଯାୟୀ, ଆହତ ବଧୂର ନାମ ସାଜେନୁର ଖାତୁନ (୩୫) ଏବଂ ଅଭିଯୁକ୍ତମାନେ ହେଉଛନ୍ତି ଶଶୁର ଅବଦୁଲ ରୁଫ (୫୭) ଏବଂ ଶାଶୁ ଅନେଶା ବିବି (୫୦)। ଅଭିଯୋଗ ଅନୁଯାୟୀ, ସେମାନଙ୍କ ଘରେ ଏକ ମିଟର ରହିଛି। ପୁଅ ଅନସୁର ରହମାନ ଏବଂ ତାଙ୍କ ପିତା ଅବଦୁଲ ଦୀର୍ଘ ଦିନ ଧରି ସେହି ମିଟରରୁ ବିଦ୍ୟୁତ୍ ବ୍ୟବହାର କରିଆସୁଥିଲେ। କିଏ ବିଲ ପୈଠ କରିବ ସେନେଇ ବୋହୁ ଓ ଶାଶୁଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା।
ଅଧିକ ପଢନ୍ତୁ : ଜ୍ବାଇଁର କୀର୍ତ୍ତି ; ଶଶୁର ଘରେ ଲଗାଇଲେ ନିଆଁ, ୫ ମୃତ
ଏହାପରେ ସେମାନଙ୍କ ମଧ୍ୟରେ ଝଗଡା ହୁଏ, ସେହି ସମୟରେ ସ୍ବାମୀ ଅନସୁର ଘରେ ନଥିଲେ। ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କ ଅନୁପସ୍ଥିତିରେ ବଧୂକୁ ଅତି ନିର୍ମମ ଭାବେ ମାଡ ଦିଆଯାଇଥିଲା। ଶାବଳ ଦ୍ବାରା ମୁଣ୍ଡ ଫଟାଇ ଦେବା ଓ ଛୁରା ମାଡରେ ବାମ ହାତ ଆଘାତ ହୁଏ। ପରିବାର ସଦସ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ୧୨ ଟି ଷ୍ଟିଚ୍ ଏବଂ ହାତରେ ୬ ଟି ଷ୍ଟିଚ୍ ପଡିଛି| ଆହତ ବଧୂ କହିଛନ୍ତି, ମୋର ୧୭ ବର୍ଷ ପୂର୍ବେ ବିବାହ ହୋଇଥିଲା। ମୋର ଶାଶୁ-ଶଶୁର ବିବାହର କିଛି ବର୍ଷ ପରେ ମୋତେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ| ମୁଁ ଦୁନିଆ ବିଷୟରେ ଚିନ୍ତା କରି ମୁହଁ ବନ୍ଦ କରି ସବୁକିଛି ବହନ କରୁଥିଲି| ଏଦିନ ବିଦ୍ୟୁତ୍ ବିଲ୍ ପୈଠ କରିବା କଥା କହୁଥିବା ବେଳେ ମୋତେ ମାଡ ଦିଆଯାଇଥିଲା।