|
logo
Live

Argus News - ପାଣ୍ଡିଆନଙ୍କ ପ୍ରୋମୋସନ ପାଇଁ ନବୀନ ସରକାର ଖର୍ଚ୍ଚ କରିଥିଲା ସାଢ଼େ 15 କୋଟି ଟଙ୍କା

Odisha

ପାଣ୍ଡିଆନଙ୍କ ପ୍ରୋମୋସନ ପାଇଁ ନବୀନ ସରକାର ଖର୍ଚ୍ଚ କରିଥିଲା ସାଢ଼େ 15 କୋଟି ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·2 min read
ପାଣ୍ଡିଆନଙ୍କ ପ୍ରୋମୋସନ ପାଇଁ ନବୀନ ସରକାର ଖର୍ଚ୍ଚ କରିଥିଲା ସାଢ଼େ 15 କୋଟି ଟଙ୍କା

ଅର୍ଗସ ବ୍ୟୁରୋ: ପ୍ରମୋସନ ପାଣି ଭଳି ଟଙ୍କା ଖର୍ଚ୍ଚ । ପାଣ୍ଡିଆନ ପ୍ରୀତିରେ ପଡ଼ିଥିଲା ପୂର୍ବ ବିଜେଡ଼ି ସରକାର । ଅଘୋଷିତ ସୁପର ସିଏମ ସାଜିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଫଟୋ ଲଗାଇ ବିଜ୍ଞାପନ ପାଇଁ ରାଜ୍ୟ ରାଜକୋଷକୁ ସାହାଣମେଲା କରି ଦେଇଥିଲେ ନବୀନ । ବିଧାନସଭା ଉତ୍ତରରୁ ସାମ୍ନାକୁ ଆସିଲା ଆଖି ତରାଟି ହୋଇଗଲା ଭଳି ତଥ୍ୟ । ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ନଜର ପକାନ୍ତୁ ଏହି ଦସ୍ତାବିଜ ଉପରେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ କେତେକ ବିଶେଷ କାର୍ଯ୍ୟକ୍ରମ ପାଇଁ କିଛି ଖବରକାଗଜରେ ବିଜ୍ଞାପନ ଦିଆଯାଇଥିଲା । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ 5T ସଚିବ ଓ ଅଧ୍ୟକ୍ଷଙ୍କ ଫଟୋ ଛପା ଯାଇଥିଲା । ଯେଉଁଥିପାଇଁ ତତ୍କାଳୀନ ବିଜେଡ଼ି ସରକାର 15 କୋଟି 26 ଲକ୍ଷ 91 ହାଜର 933 ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ଦେଖନ୍ତୁ ଏହି ଅର୍ଥରୁ କେଉଁ ବିଜ୍ଞାପନ ପାଇଁ କେତେ ଖର୍ଚ୍ଚ ହୋଇଛି .... ପ୍ରଥମ ବିଶ୍ଵ ଭାଷା ସାହିତ୍ୟ ସମ୍ମିଳନୀର ବିଜ୍ଞାପନ ପାଇଁ 2 କୋଟି 7 ଲକ୍ଷ 81 ହାଜର ଟଙ୍କା, ନୂଆ ଓ ଛାତ୍ରବୃତ୍ତି ସ୍ମାର୍ଟ କାର୍ଡ ସ୍କିମ୍ ପାଇଁ 1 କୋଟି 22 ଲକ୍ଷ 92 ହାଜର ଟଙ୍କା, ମାଆ ସମଲେଇ ପ୍ରକଳ୍ପ ପାଇଁ 1 କୋଟି 57 ଲକ୍ଷ ଟଙ୍କା ଏବଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଜ୍ଞାପନ ପାଇଁ  ପାଇଁ 10 କୋଟି 39 ଲକ୍ଷ 16 ହାଜର ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଏବେ ବିଧାନସଭା ଉତ୍ତରରୁ ସାମ୍ନାକୁ ଆସିଛି । ତେବେ ଏ ତ ଏବେ ଧରା ପଡ଼ିଥିବା ହିସାବ । ତେବେ ଭି.କେ. ପାଣ୍ଡିଆନ 5T ସଚିବ ଏବଂ ପରବର୍ତ୍ତୀ ସମୟରେ 5T ଅଧ୍ୟକ୍ଷ ଦାୟିତ୍ବରେ ଥିବା ବେଳେ ତାଙ୍କ ଫଟୋ ସବୁ ସରକାରୀ ବିଜ୍ଞାପନରେ ଲାଗୁଥିଲା । ହୋଡ଼ିଂ, ପୋଷ୍ଟର, ବ୍ୟାନର, ଡିଜିଟାଲ ମିଡିଆ, ସୋସିଆଲ ମିଡିଆରେ ବି ଦେଖିବାକୁ ମିଳୁଥିଲା ତାଙ୍କ ଫଟୋ । ଆଉ ଏଥିପାଇଁ ସରକାରୀ ପାଣ୍ଠିରୁ ବିଭିନ୍ନ ବିଭାଗ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । ଯାହାର ତଥ୍ୟ ସାମ୍ନାକୁ ଆସିଲେ ପାଣ୍ଡିଆନ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ ଆହୁରି ବହୁଗୁଣିତ ହୋଇପାରେ । 

ତେବେ କେବଳ ଏତିକି ନୁହେଁ, 2019 ଏପ୍ରିଲରୁ 2024 ଏପ୍ରିଲ ମାସ, 5 ବର୍ଷରେ ନିଜ ପ୍ରଚାର ଖର୍ଚ୍ଚ ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪୫୨ କୋଟି ୯୬ ଲକ୍ଷ ୧ ହଜାର ୮୦୦ ଟଙ୍କା । ବିଧାନସଭାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏହି ତଥ୍ୟ । କିନ୍ତୁ 24 ବର୍ଷ ଧରି ପ୍ରଚାର ସର୍ବସ୍ବ ସରକାରର ବ୍ରାଣ୍ଡ ଆମ୍ବାସଡର ସାଜିଥିବା ନିଜ ଦୋଷ ମାନିବାକୁ ନାରାଜ । କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାର ମାନେ ବି ବିଜ୍ଞାପନ ପାଇଁ ଖର୍ଚ୍ଚ କରୁଛନ୍ତି ବୋଲି କହିଛି ବିଜେଡ଼ି । ସେପଟେ ପାଣ୍ଡିଆନଙ୍କ ପାଇଁ ଓକିଲାତି ଆରମ୍ଭ କରିଛି ବିଜେଡି । ଅନ୍ୟପଟେ ବିଜେଡିରେ ପାଣ୍ଡିଆନ୍ ଙ୍କର ଏବେ ଯେ , ଦବଦବା ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି ।

ଏଠି ପ୍ରଶ୍ନ ଉଠୁଛି, କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ଜଣେ ସଚିବଙ୍କ ପ୍ରଚାରରେ କାହିଁକି ମାତିଥିଲା ପୂର୍ବ ବିଜେଡ଼ି ସରକାର ? ସରକାରୀ ବିଜ୍ଞାପନରେ କାହିଁକି ଲାଗୁଥିଲା ଜଣେ ସଚିବଙ୍କ ଫଟୋ ? ବିଜେଡ଼ିର ସର୍ବେସର୍ବା କୁହାଯାଉଥିବା ଏବଂ ପୂର୍ବ ସରକାରକୁ ନିଜ କଣ୍ଟ୍ରୋଲରେ ରଖିଥିବା ପାଣ୍ଡିଆନଙ୍କ ପ୍ରମୋସନ ପାଇଁ ଟିକସ ଦାତାଙ୍କ ଅର୍ଥ ପାଣି ଭଳି ବୁହାଇବାକୁ କିଏ ଦେଇଥିଲା ଅଧିକାର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର...

Sponsored
ପାଣ୍ଡିଆନଙ୍କ ପ୍ରୋମୋସନ ପାଇଁ ନବୀନ ସରକାର ଖର୍ଚ୍ଚ କରିଥିଲା ସାଢ଼େ 15 କୋଟି ଟଙ୍କା | Argus News