Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ସରକାରରେ ଚଳିବନି ଗାଦି ମଡ଼ା ଅଧିକାରୀଙ୍କ ହାକିମାତି

Ritu Das
Browse all articles by Ritu Das
·2 years ago·3 min read
ନୂଆ ସରକାରରେ ଚଳିବନି ଗାଦି ମଡ଼ା ଅଧିକାରୀଙ୍କ ହାକିମାତି

ଅର୍ଗସ ବ୍ୟୁରୋ: କେମିତି ଚାଲିଥିଲା ସରକାରୀ କାମ ତନାଘନା କରୁଛନ୍ତି ନୂଆ ସିଏମ୍ । ଦୁଇ ଦିନରେ ଦୁଇଟି ବଡ଼ ବୈଠକ ପରେ ପାୱାର କରିଡ଼ରରେ ଏବେ କମ୍ପନ। ଦୀର୍ଘ ବର୍ଷ ହେବ ଗାଦି ମାଡ଼ି ବସିଥିବା କିଛି ବଡ଼ ପଣ୍ଡାଙ୍କ ଛାତିରେ ପଶିଲାଣି ଛନକା। ବିଜେଡ଼ି ସରକାରରେ ପଦବୀର ଦୂରୁପଯୋଗ କରୁଥିବାରୁ ବିଜେଡି ସରକାରରେ ଗୋଟିଏ ଗୋଟିଏ ପଦରେ ବର୍ଷ ବର୍ଷ ଧରି  ଥଇଥାନ ହୋଇଥିଲେ କିଛି ଖାସ୍ ଅଧିକାରୀ।  ଆଉ ଏବେ ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀଙ୍କ ଖୋଳତାଡ ଭିତରେ ଏଭଳି କିଛି ତୋଷମଦିଆ ବଡ଼ ପଣ୍ଡାଙ୍କ ମୁଣ୍ଡ କାଟ ହୋଇପାରେ ବୋଲି ଚର୍ଚ୍ଚା। ଆଇଏଏସ ଅଫିସର ଜି. ମାଥିଭାଥନନ। 

ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଦାୟିତ୍ବରେ ରହିଲେଣି ଜି. ମାଥିଭାଥନନ। ସେମିତି ଆଇଏଏସ ରୂପା ରୋଶନ ସାହୁ 2015ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2018ରୁ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଆର. ଭିନିଲକ୍ରିଷ୍ଣା। ଏହାସହ କ୍ରୀଡ଼ା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଏହି ଅଧିକାରୀ । 

ତେବେ କେବଳ ଆଇଏଏସ ନୁହେଁ, ଏମିତି ଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀକୁ ମାଡି ବସିଥିଲେ କିଛି ଆଇପିଏସ ଅଫିସର । ଯେମିତି ଅତିରିକ୍ତ ପୋଲିସ ଡିଜି ଡି.ଏସ୍ କୁଟ୍ଟେ । ଦୀର୍ଘ ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ଵରେ ଥିଲେ । ସରକାରୀ ପଦବୀରେ ଥିବା ସତ୍ତ୍ଵେ ବିଜେଡିର ଦଳୀୟ କାମ ବି କରୁଥିବା ନେଇ ହୋଇଥିଲା ଅଭିଯୋଗ ଏହି ଆଧାରାରେ ଗତ ନିର୍ବାଚନରେ ଡିଏସ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ନିର୍ବାଚନ କମିଶନ। ତେବେ ପରବର୍ତ୍ତୀ ସମୟରେ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଥିଲେ ବି ତାଙ୍କ ବିରୋଧରେ କୌଣସି ମୁହୁର୍ତ୍ତରେ ବି ହୋଇପାରେ କାର୍ଯ୍ୟାନୁଷ୍ଠାନ। ସେମିତି ଆଇପିଏସ ତଥା ଅତିରିକ୍ତ ଡିଜି ଅରୁଣ ବୋଥ୍ରା। ପରୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ବିବାଦ ଘେରକୁ ଆସିଥିଲେ ଅରୁଣ ବୋଥ୍ରା। ତେବେ ବୋଥ୍ରାଙ୍କୁ ଅନ୍ୟ ସରକାରୀ ପଦବୀ ମିଳୁଥିଲେ ବି ସେ କ୍ରାଇମବ୍ରାଞ୍ଚରେ ରହିଛନ୍ତି । ସେହିପରି ଆଇଜି ଆଶିଷ ସିଂଙ୍କୁ ନେଇ ୨୪ ନିର୍ବାଚନରେ ବେଶ ଚର୍ଚ୍ଚା ଓ ବିବାଦ ହୋଇଥିଲା। ଆଗ ଦକ୍ଷିଣାଞ୍ଚଳ ଡିଆଇଜି, କେନ୍ଦ୍ରାଞ୍ଚଳ ଆଇଜି ଏବଂ ତାପରେ ଅବକାରୀ କମିଶନର ଭାବେ ୫ ବର୍ଷରୁ ଅଧିକ ସମୟ ଦାୟିତ୍ଵରେ ଥିଲେ ଆଶିଷ ସିଂ। ନିର୍ବାଚନରେ ବିଜେଡି ପାଇଁ ରାଜନୈତିକ କାମ କରୁଥିବା ନେଇ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଅଶିଷ ସିଂଙ୍କୁ କେନ୍ଦ୍ରଞ୍ଚଳ ଆଇଜିରୁ ବଦଳି କରାଯାଇ ସିଏମଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଛୁଟିରେ ଥାଇ ବିଜେଡି ପାଇଁ କରୁଥିଲେ କାମ। ଏନେଇ ଅଭିଯୋଗ ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏମସରେ ତାଙ୍କର କରାଯାଇଥିଲା ଡାକ୍ତରୀ ପରୀକ୍ଷା। ରିପୋର୍ଟରେ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଦର୍ଶାଯାଇଥିଲା। ଏବେ ତାଙ୍କ ବିରୋଧରେ କଣ ହେବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ କେବଳ ଏହି ଆଇପିଏସ ଅଫିସରମାନେ ନୁହନ୍ତି ଅତିରିକ୍ତ ଡିଜି ସନ୍ତୋଷ ବାଲା, ବର୍ଷ ବର୍ଷ ହେଲା ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ଆଇଜି ଅନୁପ ସାହୁ, ଗୁଇନ୍ଦା ବିଭାଗରେ ଗଲା ୪ ବର୍ଷ ଧରି ରହିଛନ୍ତି, ରାଜ୍ୟ ଫରେନସିକ ଲ୍ୟାବ ନିର୍ଦ୍ଦେଶକ ଥିବା ଅତିରିକ୍ତ ଡିଜି ରାଜେଶ କୁମାରଙ୍କର ବର୍ଷ ବର୍ଷ ଧରି ବଦଳି ହେଉନାହିଁ। 

ତେବେ ଏସବୁ ଭିତରେ ବିଜେପି ସରକାରର କ୍ୟାବିନେଟ ମନ୍ତ୍ରୀ ରବି ନାଏକ ଶୁଣାଇ ଦେଇଛନ୍ତି ଚରମବାଣୀ । ଅଫିସର ମାନେ ଏଣିକି ଆଉ ଲଗାମ ଛଡା ହୋଇପାରିବେନି। ମନ୍ତ୍ରୀଙ୍କ ହାତରେ ରହିବ ଲଗାମ । ସରକାର ଠିକ୍ ଚାଲିବ ଆଉ ଅଫିସର ମାନେ ବି ଠିକ୍ ଭାବେ କାମ କରିବେ ବୋଲି କହିଛନ୍ତି ରବି ନାଏକ ।
ଏଠି ପ୍ରଶ୍ନ ଉଠୁଛି, 3 ବର୍ଷ ପରେ ବଦଳି ନିୟମ ଥିବା ବେଳେ 10 ବର୍ଷରୁ ବି ଅଧିକ ସମୟ ହେଲା ଗୋଟିଏ ପଦବୀରେ କେମିତି ରହିଲେ ଏହି ମୁଷ୍ଟିମେୟ ଅଧିକାରୀ ? କାହିଁକି ସେମାନଙ୍କୁ ଆଜି ଯାଏଁ ଅନ୍ୟ ବିଭାଗକୁ ବଦଳି କରୁନଥିଲେ ସରକାର ? ବିଜେଡିକୁ ରାଜନୈତିକ ଫାଇଦା ଯୋଗାଉଥିବାରୁ ଏହି ସରକାରୀ ଅଧିକାରୀ ମାନଙ୍କୁ ବଦଳି କରୁନଥିଲେ କି ନବୀନ ସରକାର ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The new | Argus News