ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ବିଜ୍ଞାପନରେ ଉପଯୋଗ କରିବା ପଡିଲା ମହଙ୍ଗା

ଭୁବନେଶ୍ୱର: ବିଜେଡିକୁ ନିର୍ବାଚନ କମିଶନଙ୍କ ଛାଟ। ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ବିଜ୍ଞାପନରେ ଉପଯୋଗ କରିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍ କରାଯାଇଛି। ସାଧାରଣ ଲୋକଙ୍କ ଟିକସ ଅର୍ଥରେ କ୍ଷମତାସୀନ ବିଜେଡି ସରକାର ଶଙ୍ଖ ଚିହ୍ନ ରଖି କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଥିବାକୁ ଗୁରୁତ୍ୱର ସହ ନେଇଛନ୍ତି।
ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କମିଶନଙ୍କ ଏଭଳି ଆଭିମୁଖ୍ୟ ଶାସକ ବିଜେଡିକୁ ଅଡ଼ୁଆରେ ପକାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଗତ ପ୍ରାୟ ଦୁଇମାସରୁ ଅଧିକ ସମୟ ଧରି ନିୟମିତ ଭାବେ ସମ୍ବାଦପତ୍ର, ଟିଭି ଚ୍ୟାନେଲ, ରାଜ୍ୟ ପରିବହନ ନିଗମର ବସ୍ ଏବଂ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ମାରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର