ଗାଁକୁ ମଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡୁଛନ୍ତି ଗାଁ ଲୋକେ

ଅର୍ଗସ ବ୍ୟୁରୋ: ସାଧାରଣତଃ ଶ୍ରାବଣ ମାସରେ ବର୍ଷାର ପରିମାଣ ଅଧିକ ହୋଇଥାଏ। ଯେତେ ଅଧିକ ବର୍ଷା ହୁଏ ଚାରିଆଡ଼େ ପାଣି ଜମି ମଶା ମଧ୍ୟ ଅଧିକ ହୋଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ଼ ଭଳି ରୋଗର ସଂଖ୍ୟା ବଢିଥାଏ। ଆଉ ତାକୁ ଦୃଷ୍ଟିରେ ରଖି ଗାଁ ଗାଁ ରେ ବ୍ୟାପକ ସଚେତନତା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିମନ୍ତେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଠଗଡ଼ ବ୍ଲକର ଆଠ ଗୋଟି ପଞ୍ଚାୟତର ଆଶା ଦିଦି ମାନଙ୍କୁ ନେଇ ଏକ ମ୍ୟାଲେରିଆ ଡେଙ୍ଗୁ ସ୍ୱାସ୍ଥ୍ୟ ସଚେତନତାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।
ଯୋରନ୍ଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବରିଷ୍ଠ ସ୍ବାସ୍ଥ୍ୟ କର୍ମୀ ମହମ୍ମଦ ଅସଲମ୍ ଙ୍କ ନେତୃତ୍ୱରେ ଏବଂ ଡାକ୍ତର ସିଦ୍ଧାର୍ଥ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ବିଶେଷ କରି ଜୁଲାଇରୁ ଅଗଷ୍ଟ ମାସରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥାଏ। ଆଠଟି ପଞ୍ଚାୟତର ୩୬ଗୋଟି ଗାଁ କଲ୍ୟାଣ ସମିତିର ୪୮ଟି ଗାଁରେ ଆଶା ଦିଦି ମାନେ ମ୍ୟାଲେରିଆ ଡେଙ୍ଗୁ ସମ୍ପର୍କରେ ଅବିରତ ଭାବେ କାମ କରିଥାଆନ୍ତି ।
ମାସର ପ୍ରତ୍ୟେକ ରବିବାର ଦିନ ମଶାଙ୍କୁ ଦମନ କରିବା ପାଇଁ ଅଣ୍ଟା ଭିଡ଼ି ଥାଆନ୍ତି ଗାଁ କଲ୍ୟାଣ ସମିତିର ସଭ୍ୟମାନେ। ସାଧାରଣ ଜ୍ଵର, ଝାଡ଼ା, ବାନ୍ତି ହେଉଥିଲେ ଲୋକମାନେ ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶ ନେବାକୁ ନିବେଦନ କରିଛନ୍ତି ଯୋରନ୍ଦା ପ୍ରାଥମିକ ଚିକିତ୍ସାଳୟର ଡାକ୍ତର ସିଦ୍ଧାର୍ଥ ବେହେରା। ଏହି ପ୍ରଶିକ୍ଷଣ ଶିବିରରେ ଶତାଧିକ ଆଶାକର୍ମୀଙ୍କ ସହ ସମାଜସେବୀ, ଡାକ୍ତର, ଯୋଗ ଦେଇ ମଶାର ବିନାଶ ଉପରେ ଆଲୋକପାତ କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର