ବାଲି ଗାଡ଼ିକୁ ପୋଲିସର ସୁରକ୍ଷା, ଗୋଡ଼ାଇ ଗୋଡ଼ାଇ ପିଟିଲା ଲୋକଙ୍କୁ

ଭଦ୍ରକ : ଭଦ୍ରକ ଆଗରପଡ଼ା ପୋଲିସର କଳାକାରଙ୍କୁ ମାଡ଼ ଘଟଣା ଲୋକଙ୍କ ମନରେ ନ ଲିଭୁଣୁ, ଏବେ ପୁଣି ବନ୍ତ ପୋଲିସର ଦବଙ୍ଗଗିରି ସାମ୍ନାକୁ ଆସିଛି । ସାଧାରଣ ଲୋକଙ୍କ ଉପରେ ଦବଙ୍ଗଗିରି କରିଛି ପୋଲିସ । ବାଲି ଗାଡ଼ିକୁ ସୁରକ୍ଷା ଦେଉଥିବା ପୋଲିସ ଜନସାଧାରଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି । ପୋଲିସର ଏହିପରି ଅମାନୁଷିକ ଭାବେ ମାଡ଼କୁ ନେଇ ଏସ୍ପିଙ୍କ ଦ୍ବାରସ୍ତ ହୋଇଛନ୍ତି ସାଧାରଣ ଜନତା । ବନ୍ତ ଥାନା ଅଧିକାରୀଙ୍କୁ ବଦଳି ସତ୍ତ୍ବେ କାହା ବଳିଆନରେ ସେ ସେଠାରେ ରହିଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶ୍ରିବନ୍ତପୁର ଛକରେ ଛାତ୍ର ଜଣଙ୍କ ସ୍କୁଲ ଆସୁଥିବା ବେଳେ ଏକ ଓଭର ଲୋଡିଂ ବାଲି ଗାଡ଼ି ଛାତ୍ରଙ୍କୁ ଧକ୍କା ଦେଇଥିଲା ।
ଫଳରେ ଚାଇଁପୁର ଗାଁର ଅମ୍ଳାନ ଚକ୍ର ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଏହି ସମୟରେ ଓଭର ଲୋଡ୍ ବାଲି ଗାଡ଼ିଟି ଖସି ଯାଉଥିବା ବେଳେ ତାକୁ ବନ୍ତ ବଜାର ଠାରେ ସ୍ଥାନୀୟ ଲୋକେ ଅଟକାଇ ଥିଲେ । ପୋଲିସ ସହ ଜନ ସାଧାରଣ କଥାବାର୍ତ୍ତା ହେଉଥିବା ବେଳେ ଏତିକି ବେଳେ ବନ୍ତ ଥାନା ଆଇଆଇସି ପହଞ୍ଚି କଣ ପାଇଁ ବାଲି ଗାଡିକୁ ଅଟକାଇଛ ବୋଲି ପଚାରି ସାଧାରଣ ଲୋକମାନଙ୍କୁ ଦବଙ୍ଗଗିରି ଦେଖାଇଥିଲେ । ପୂର୍ବରୁ ଆଇଆଇସି ବରିଷ୍ଠ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଥିବା ସହିତ ତାଙ୍କର ବଦଳି ଅନ୍ୟ ଆଡେ ହୋଇଥିଲା । ହେଲେ ସେହି ବଦଳିକୁ କିଏ ସ୍ଥଗିତ ରଖିଲା ଏନେଇ ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର