ଓଡ଼ିଶା ମାଟିରୁ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସମ୍ବଲପୁର: ନବେ ଦଶକରେ ଭାରତୀୟ ରାଜନୀତିର ଦିଗ ବଦଳାଇଦେଇଥିଲା ଏ ଅଭିଯାନ । କୋଟି କୋଟି ଦେଶବାସୀଙ୍କୁ ଯୋଡ଼ିଥିଲା ରାମ ମନ୍ଦିର ଆନ୍ଦୋଳନ। ଆଉ ତା ପରେ 2ରୁ82 ଲୋକସଭା ଆସନ ଦଖଲ କରି ଜାତୀୟ ସ୍ତରରେ ଦବଦବା ଜାହିର କଲା ଭାରତୀୟ ଜନତା ପାର୍ଟି। ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ପୁରୋଧା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅତ୍ୟନ୍ତ ଘନିଷ୍ଠ ଓ ବିଶ୍ବାସୀ, ବିଜେପି ବିକାଶର ମହାନାୟକ ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ଏ ନେଇ ପ୍ରଥମେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଶବାସୀଙ୍କୁ ସୂଚନା ଦେଲେ ପ୍ରଧାନମନ୍ତ୍ରୀ। ଆଉ ପରେ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଉଦଘାଟନୀ ସଭାରେ ଆଡଭାନୀଙ୍କ ପ୍ରତି ଜଣାଇଲେ ସମ୍ମାନ ଓ ଶୁଭେଚ୍ଛା।
IIM ପରେ ରେମେଡ଼ରେ ଅନୁଷ୍ଠିତ ବିଶାଳ ଗ୍ୟାରେଣ୍ଟି ସମାବେଶରେ ବି ପ୍ରଧାନମନ୍ତ୍ରୀ କହିଲେ ଆଡଭାନୀଙ୍କ କଥା। ଭାରତର ବିକାଶରେ ଲାଲକୃଷ୍ଣଙ୍କ ଅବଦାନ ଅବିସ୍ମରଣୀୟ। ତୃଣମୂଳ ସ୍ତରରୁ ନେଇ ଦେଶର ଉପପ୍ରଧାନମନ୍ତ୍ରୀ ହେବା ଯାଏଁ ଆଡଭାନୀଙ୍କ ଜୀବନ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା। ଯେଉଁଥିରୁ ଶିକ୍ଷା ନେବେ ସବୁ ଦେଶବାସୀ।
ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାକୁ ନେଇ ପ୍ରଧନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ। ଭାରତ ରତ୍ନ ଆଡଭାନୀଙ୍କ ପ୍ରତି ଶୁଭେଚ୍ଛା ଓ ସମ୍ମାନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦେଶର ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ।
1986ରୁ 1990, 1993ରୁ 1998, 2004ରୁ 2005 ଯାଏଁ ଲାଲକୃଷ୍ଣ ଆଡଭାନୀ ଜଣେମାତ୍ର ଏମିତି ନେତା ଯିଏ 1980ରେ ବିଜେପି ଗଠନ ପରଠାରୁ ସବୁଠାରୁ ଅଧିକ ସମୟ ଯାଏଁ ଦଳର ଅଧ୍ୟକ୍ଷ ପଦରେ ରହିଛନ୍ତି। ସାଂସଦ ଭାବେ 3 ଦଶକ ଧରି ରହିବା ପରେ ଆଡଭାନୀ ପ୍ରଥମେ ଗୃହମନ୍ତ୍ରୀ ଏବଂ ପରେ ଅଟଳଜୀଙ୍କ ସରକାରରେ 1999ରୁ 2004 ଯାଏଁ ଉପପ୍ରଧାନମନ୍ତ୍ରୀ ରହିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର