ବରଗଡ଼ରୁ ଆରମ୍ଭ ହେଲା ଧାନ କିଣା , ଚାଷୀଙ୍କୁ ଆଉ ମିଳିବନି ମିଲର୍ସ ଯନ୍ତ୍ରଣା

Key Points
- ବରଗଡ଼ରୁ ଆରମ୍ଭ ହେଲା ଧାନ କିଣା
- ଚାଷୀଙ୍କୁ ଆଉ ମିଳିବନି ମିଲର୍ସ ଯନ୍ତ୍ରଣା
- ଚାଷୀଙ୍କୁ ମିଳିବ ସମ୍ମାନ, ମିଳିବ ମଣ୍ଡିରେ ସୁବିଧା
- ଧାନ କୁଇଣ୍ଟାଲ 2930 କରିବା ଦାବିରେ କେନ୍ଦ୍ର ଅବହେଳାର ନାରା ଦେଉଥିଲା ବିଜେଡି
- ହେଲେ ଏମଏସପି ନ ଦେଇ ମିଲର ସହ ମିଶି କରୁଥିଲା ମଧୁଚନ୍ଦ୍ରିକା
- ଚାଷୀ ଶୋଷଣର ରାସ୍ତା ବନ୍ଦ ପାଇଁ ତତ୍ପର ସରକାର
- ନୂଆପଡ଼ାରେ କଳାବଜାରୀ ଧରିଲା ପ୍ରଶାସନ
ଅର୍ଗସ ବ୍ୟୁରୋ : ୨୪ ବର୍ଷର ଦୀର୍ଘ ଅପେକ୍ଷା। ଯନ୍ତ୍ରଣା ଓ ପ୍ରତାରଣା ଯୁଗର ଅନ୍ତ। ଅବହେଳିତ ଅନ୍ନଦାତାଙ୍କ ଆର୍ଥିକ ସମୃଦ୍ଧ ଦିଗରେ ପ୍ରଥମ ପଦକ୍ଷେପ। ଚାଷୀ ଓ ଚାଷର ମାଟି ବରଗଡ଼ ଜିଲ୍ଲାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଖରିଫ୍ ଧାନକିଣା। ବରଗଡ଼ ଜିଲ୍ଲା କଳାପାଣି ମଣ୍ଡିରେ ପୂଜାର୍ଚ୍ଚନା କରି ନଡିଆ ବାଡେଇ ଧାନକିଣାର ଶୁଭାରମ୍ଭ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ବରଗଡ଼ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ସମ୍ମାନିତ କରିଥିଲେ। ଚାଷୀଙ୍କ ସୁବିଧା ପାଇଁ ସବୁପ୍ରକାର ପ୍ରୟାସ କରାଯାଇଛି। ଚାଷୀ ଧାନ ବିକ୍ରି କରି କେମିତି 3100 ଟଙ୍କା ପାଇବେ ସେହି ଦିଗରେ ପୂରା ପ୍ରଶାସନ ଲାଗିପଡ଼ିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହ ସହ ଆହୁରି କହିଛନ୍ତି ମିଲର୍ସ ମନମାନି ଚଳିବନି, ପୂର୍ବଭଳି କଟନିଛଟନି ହେବନାହିଁ।
ଅଧିକ ପଢନ୍ତୁ : କାଲିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ
ବରଗଡ଼ ଜିଲ୍ଲାରେ 1 ଲକ୍ଷ 55 ହଜାର 367 ଜଣ ଚାଷୀ ପଞ୍ଜିକରଣ କରାଇଥିବା ବେଳେ 229ଟି ପେଡି ପ୍ରକ୍ୟୋରମେଣ୍ଟ ସେଣ୍ଟରରେ କିଣା ଯାଉଛି ଧାନ। ପ୍ରତିଟି ସେଣ୍ଟରେ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ମଣ୍ଡି ବୁଲି ଦେଖୁଛନ୍ତି। ସେପଟେ ମିଲର୍ସଙ୍କ ବେଆଇନ୍ ଧାନ କିଣା ଉପରେ ରୋକ୍ ଲଗାଇବା ପାଇଁ ରେଡ୍ କରୁଛି ଜିଲ୍ଲା ପ୍ରଶାସାନ। ମଣ୍ଡି ନଖୋଲିବା ପୂର୍ବରୁ ବିଭିନ୍ନ ମିଲର୍ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ନୂଆପଡ଼ାର ଅନ୍ନପୂର୍ଣା ମିଲରେ ଚଢ଼ାଉ କରାଯାଇ 500 କ୍ବିଣ୍ଟାଲରୁ ଅଧିକ ଧାନ ଜବତ କରାଯାଇଛି।
ନୂଆପଡ଼ାରେ 22 ତାରିଖରେ ମଣ୍ଡି ଖୋଲିବାକୁ ଥିବା ବେଳେ କଳାବଜାରି ରୋକିବା ପାଇଁ ପ୍ରଶାସନ ସଜାଗ ରହିଛି। ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଦଲାଲ ମୁକ୍ତ ଧାନ କିଣା କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏପଟେ ବାହାର ରାଜ୍ୟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ସୀମାରେ ପୋଲିସ ପାଟ୍ରୋଲିଂ ନିରନ୍ତର ଚାଲିଛି । ଯେମିତି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାରେ ଆସି ଧାନ ବିକ୍ରି କରିବେ ନାହିଁ, ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ନୂଆ ରୁପରେ ନୂଆ ଡାଞ୍ଚାରେ ଧାନ କିଣା ସଫଳ ହେଲେ ବଢିବ ଚାଷୀର ଅର୍ଥନୀତି.. ଧାନ ବିକିବା ପାଇଁ ପଞ୍ଜିକରଣ କରିଥିବା 17 ଲକ୍ଷ 49 ହଜାର ଚାଷୀ ପରିବାର ଏମଏସପି ଉପରେ 800 ଟଙ୍କା ପାଇଲେ ଅର୍ଥନୀତି ଉପରେ ପଡିବ ସକାରତ୍ମକ ପ୍ରଭାବ ।
📱 Get Argus News App
✨24 ବର୍ଷ ଧରି ରାଜ୍ୟରେ ଚାଲିଥିବା ଚାଷୀଙ୍କ ଦୁର୍ଦ୍ଦିନର ଅନ୍ତ ଘଟିଛି। ନୂଆ ସରକାର, ନୂଆ ଯୁଗର ପରିକଳ୍ପନା କରି ସେହି ଦିଗରେ ଆଜି ପ୍ରଥମ ପର୍ଯ୍ୟାୟ ପାର୍ କରିଛନ୍ତି। କାଲିର ଲୁହ ବତୁରା ଆଖି, ଆଜିର ହସହସ ଚେହେରାରେ ପରିଣତ ହୋଇଛି। ଏପଟେ ଡିସେମ୍ବର 8ରେ ମୁଖ୍ୟମନ୍ତ୍ରୀ ସୋହେଲା ଆସି ବରଗଡ଼ବାସୀ ତଥା ଓଡ଼ିଶାବାସୀଙ୍କୁ ବଡ଼ ଉପହାର ଭେଟିଦେଇଯିବେ।