Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଏ ଭାବର ଠାକୁର, ଯାହା ପାଇଁ ଭକତ ଆତୁର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସିଏ ଭାବର ଠାକୁର, ଯାହା ପାଇଁ ଭକତ ଆତୁର

ଅର୍ଗସ ବ୍ୟୁରୋ:  ସିଏ ଭାବର ଠାକୁର, ଯାହା ପାଇଁ ଭକତ ଆତୁର। ଚକା ଆଖିର ଝଲକ ଟିକିଏ ପାଇଁ କାହିଁ ଛୁଟି ଆସିଛନ୍ତି ଲକ୍ଷ ଲକ୍ଷ ଲୋକ କେତେ କୋଷ ଦୂର। ଭକ୍ତିମୟ ଶ୍ରୀକ୍ଷେତ୍ର, ଭକ୍ତଙ୍କ ଭାବରେ ପୂର୍ଣ୍ଣ ବଡ଼ଦାଣ୍ଡ । ରଥ ଟାଣିଲେ, ଶ୍ରୀଜୀଉଙ୍କ ଆଶିଷ ଲଭି କୃତାର୍ଥ ହେଲେ ଭକ୍ତଗଣ। ଦୀର୍ଘ ପାଞ୍ଚ ଦଶନ୍ଧି ପରେ ଏଥର ଅନନ୍ୟ ପରମ୍ପରା। ଦୁଇ ଦିନ ରଥଯାତ୍ରା। ପ୍ରଥମ ଦିନରେ ଶ୍ରୀମନ୍ଦିରୁ ତିନି ରଥକୁ ପହଣ୍ଡି ବିଜେ କରିଥିଲେ ଚତୁର୍ଦ୍ଧା ମୁରତି । ବଡ଼ଦାଣ୍ଡରେ ମାତ୍ର କେଇ ପାଦ ହିଁ ଗଡ଼ିଥିଲା ଜଗା ରଥ। ରାଜନଅର ସାମ୍ନାରେ ଦର୍ପଦଳନ ଆଉ ମରିଚିକୋଟ ଛକରେ ପହଞ୍ଚିଥିଲା ତାଳଧ୍ବଜ ।

ଇଏ ଅପୂର୍ବ ସୁଯୋଗ। ଦିବ୍ୟ ରୂପ, ଭବ୍ୟ ଦର୍ଶନ, ଭାବ ଭକ୍ତିରେ ପରିପୂର୍ଣ୍ଣ ଭକ୍ତର ମନ । ରାତି ତମାମ ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନରେ କୃତାର୍ଥ ହେଲେ ଲକ୍ଷ ଲକ୍ଷ ଲୋକ । ଆଉ ସକାଳୁ ସକାଳୁ ରଥ ଉପରେ ଆରମ୍ଭ ହୋଇଗଲା ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆରତୀ ପରେ ମଇଲମ, ତଡ଼ପ ଲାଗି ଆଉ ଅବକାଶ ନୀତି । ଏତିକି ବେଳକୁ ପୁଣି ଜନସମୁଦ୍ର ହୋଇସାରିଥିଲା କାଳିଆର ବଡ଼ଦାଣ୍ଡ। ରଥ ଦଉଡ଼ି ଧରି ତୟାର ହୋଇସାରିଥିଲେ ଭକ୍ତ ଗଣ। ସକାଳ 9ଟା 20 ବେଳକୁ ଆରମ୍ଭ ହୋଇଗଲା ଅଭିଯାନ।ଘଣ୍ଟ ଘଣ୍ଟା, ଝାଞ୍ଜ ମୃଦଙ୍ଗ, ଖୋଳ ତାଳ । ଜୟ ଜଗନ୍ନାଥ ଧ୍ବନିର ପ୍ରକମ୍ପନ। ଘର୍ଘର ନାଦ କରି ଆଗେଇ ଚାଲିଲା ରଥ। ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା। ଆଉ ସବା ପଛରେ କାଳିଆ ଠାକୁର।

ଅପୂର୍ବ ଉତ୍ସାହ, ଅଫୁରନ୍ତ ଉଲ୍ଲାସ, ଜଗନ୍ନାଥଙ୍କ ଜୟଘୋଷ । ବଡ଼ ଦାଣ୍ଡରେ ଗଡ଼ି ଚାଲିଲା ବଡ଼ ଠାକୁରଙ୍କ ବଡ଼ ରଥ। ଇଏ ଶ୍ରଦ୍ଧା ଓ ବିଶ୍ବାସର କଥା । ଅନ୍ତର୍ବେଦିକ ତତ୍ବର କଥା। ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା । ଯାହାଙ୍କ ଇଚ୍ଛାରେ ନିର୍ଦ୍ଧାରିତ  ହୁଏ ଗ୍ରହ ଉପଗ୍ରହଙ୍କର ଗତିପଥ , ଯାହାଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ପରିଚାଳିତ, ତାଙ୍କରି ଭବ୍ୟ ଲୀଳା। ଭାଇ ଭଉଣୀଙ୍କ ସହ କୋଟି ମନର ଦେବତାଙ୍କୁ ରଥରେ ବସାଇ ନବ ଦିନାତ୍ମକ ଯାତ୍ରାରେ ଟାଣି ନେଲେ ଭକ୍ତ ଗଣ। ଅପରାହ୍ନରେ ଶରଧା ବାଲିରେ ଲାଗିଲେ ତିନି ରଥ। ଏବେ ଗୁଣ୍ଡିଚା ମନ୍ଦିର ଆଗରେ ବିରାଜମାନ। ମଙ୍ଗଳବାର ଦିନ ସାରା ବି ରଥ ଉପରେ ରହିବେ ଚତୁର୍ଦ୍ଧାମୂର୍ତ୍ତି। ଦିବ୍ୟ ଦର୍ଶନ ଲାଭ କରି କୃତାର୍ଥ ଲଭିବେ ଶ୍ରଦ୍ଧାଳୁ। ମଙ୍ଗଳବାର ସଂଧ୍ୟାରେ ଆରମ୍ଭ ହେବ ପହଣ୍ଡି । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The rath yatra journey is two days | Argus News