ଆବାସ ଯୋଜନାରେ ସ୍ୱପ୍ନ ମୁଣ୍ଡ ଉପରେ ଛାତ

ଅର୍ଗସ ବ୍ୟୁରୋ: ବର୍ଷା ଦିନେ କିଭଳି ଦୟନୀୟ ଅବସ୍ଥା। ନୂଆଁଣିଆ ମାଟି ଘର କେତେବେଳେ ବି ଧସି ଯାଇପାରେ। ସାହାରା ଦେଇଛି ଜରି ପାଲ ଓ ଟିଣ । ଏଇ ଭଙ୍ଗା ଦଦରା କୁଡିଆରେ ବୃଦ୍ଧ ବାପା, ମା, ରୋଗୀଣା ପୁଅ, ଝିଅ ଓ ନାତି ଦାରିଦ୍ର୍ୟତାର କଷାଘାତରେ ଘାଣ୍ଟି ହେଉଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ 8 ନଂ ୱାର୍ଡ ଶ୍ୟାମସୁନ୍ଦରପୁର ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ପରିବାର । ବର୍ଷା ଦିନେ ଘରେ ପାଣି ପଶି ଯାଉଛି । ହେଲେ କିଛି ବାଟ ନଥିବାବେଳେ ଗୋଟିଏ ଘର ଭିତରେ ଯେମିତି ସେମିତି କାଳାତିପାତ କରୁଛନ୍ତି 5 ପ୍ରାଣୀ । କାହିଁକି ନା ନିଜର ଭିଟାମାଟି ଖଣ୍ଡେ ନାହିଁ ।
କାଠ କାମ କରି ପରିବାର ପୋଷୁଥିବା ପ୍ରଫୁଲ୍ଲ ବୟସର ଚାପରେ ନଇଁ ଗଲେଣି। ଏଣେ ଦାଦନ ଯାଇ ପ୍ରଫୁଲ୍ଲଙ୍କ 40 ବର୍ଷର ବଡ଼ ପୁଅ ମିଟୁ ପ୍ରଧାନ ଗତ ଦୁଇ ବର୍ଷ ହେଲା ରୋଗ ଶଯ୍ୟାରେ ପଡ଼ି ରହିଛନ୍ତି। ଆବଶ୍ୟକ ଘର ଅଭାବରୁ ପଡୋଶୀ ଆରତ ଦାସଙ୍କ ଘରେ ସେ ଆଶ୍ରୟ ନେଇଛି। ସେହିପରି ଜ୍ବାଇଁର ମୃତ୍ୟୁ ପରେ ବିଧବା ଝିଅ, ନାତିର ଦାୟିତ୍ବ ପ୍ରଫୁଲ୍ଲଙ୍କ କାନ୍ଧରେ । ପ୍ରଫୁଲ୍ଲଙ୍କ ପତ୍ନୀ ଶାନ୍ତି ବି ମୂଲ ଲାଗି ଦୁଇ ପଇସା ରୋଜଗାର କରି ରୋଗୀଣା ପୁଅ ଓ ଝିଅର ଔଷଧ ଖର୍ଚ୍ଚ ଉଠାଉଛନ୍ତି । 12 ବର୍ଷର ନାତିର ପାଠପଢା ଛାଡି ଛେଳି ଚରାଉଛି । ସାହାଯ୍ୟ ଲାଗି ଅନେକ ବାର ଗୁହାରି କରିଛନ୍ତି ପ୍ରଫୁଲ୍ଲ ହେଲେ ଜିଲ୍ଲା ପ୍ରଶାସନ ସତେ ଯେମିତି ତାଙ୍କ ପାଇଁ ଆଖି ବୁଜି ଦେଇଛି । ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ଲାଗି ସରକାରୀ ଅଫିସ୍ ଧାଉଁଛନ୍ତି ପ୍ରଫୁଲ୍ଲ । ହେଲେ 25 ବର୍ଷ ଶାସନ କରି ବି ଅପାରଗ ବିଜେଡି ସରକାର ଗରିବଙ୍କୁ ଘର ଖଣ୍ଡିଏ ଦେଇପାରିଲାନି । ଏବେ ନୂଆ ସରକାର ଉପରେ ଭରସା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: