Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତାର ଉଭୟ ପାର୍ଶ୍ୱର ପ୍ରାୟ 24 ଫୁଟ୍ ମାଡ଼ିବସିଛନ୍ତି ଜବରଦଖଲକାରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାସ୍ତାର ଉଭୟ ପାର୍ଶ୍ୱର ପ୍ରାୟ 24 ଫୁଟ୍ ମାଡ଼ିବସିଛନ୍ତି ଜବରଦଖଲକାରୀ

ଅର୍ଗସ ବ୍ୟୁରୋ:  16 ନଂ ଜାତୀୟ ରାଜପଥରୁ ଭଦ୍ରକ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଇଏ ମୁଖ୍ୟ ରାସ୍ତା। ଦିନ ରାତି 24 ଘଣ୍ଟା ବ୍ୟସ୍ତ ବହୁଳ । ମୋଟର ସାଇକେଲ ଅଟୋରୁ ନେଇ କାର୍ ଓ ବଡ଼ ବଡ଼ ଟ୍ରକ୍ ପ୍ରତିଦିନ ଯାଆସ କରନ୍ତି ହଜାର ହଜାର ଯାନବାହାନ। ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିବା ଏହି ଷ୍ଟେସନ୍ ରାସ୍ତାର ଅବସ୍ଥା ଦେଖନ୍ତୁ । ଆରମ୍ଭରୁ ଶେଷ ଯାଏଁ ସବୁଠି ସଂକୀର୍ଣ୍ଣ, ଜବରଦଖଲକାରୀଙ୍କ ଦୌରାତ୍ମ୍ୟ ଯୋଗୁଁ ସଙ୍କୁଚିତ ଏହି ରାସ୍ତା। ପ୍ରାୟ ଏକ କିଲୋମିଟର ଲମ୍ବା ଏହି ଷ୍ଟେସନ୍ ରୋଡ଼ର ଉଭୟ ପଟକୁ ମାଡ଼ି ବସିଛନ୍ତି ବ୍ୟବସାୟୀ। ଜବରଦଖଲ ଫଳରେ ସରକାରୀ ରେକର୍ଡରେ 42 ଫୁଟର ଏହି ରାସ୍ତା ପ୍ରକୃତରେ ଅଧା ବି ନାହିଁ। ଅର୍ଥାତ୍ 24 ଫୁଟ୍ ରାସ୍ତା ଉପରେ ଦୋକାନୀ ଓ ବ୍ୟବସାୟୀଙ୍କ ବେଆଇନ କବଜା। ସଂକୀର୍ଣ୍ଣ ରାସ୍ତା ଫଳରେ ଦିନର ଅଧିକାଂଶ ସମୟରେ ହେଉଛି ଟ୍ରାଫିକ୍ ଜାମ୍। ଭଦ୍ରକ ଷ୍ଟେସନରେ ଦିନକୁ ରହୁଛି 70ରୁ ଅଧିକ ଟ୍ରେନ୍। ଟ୍ରେନ୍ ଧରିବାକୁ ଯାଉଥିବା ଯାତ୍ରୀ ଅଟକି ରହି ଗାଡ଼ି ଫେଲ୍ କରୁଛନ୍ତି, ଆଉ ସ୍ଥାନୀୟ ଲୋକେ ତ ପ୍ରତିଦିନ ହେଉଛନ୍ତି ନାହିଁନଥିବା ହୀନସ୍ତା।

କେବଳ ଭଦ୍ରକ ନୁହେଁ ପଡ଼ୋଶୀ ବାଲେଶ୍ଵର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଜିଲ୍ଲାର ଯାତ୍ରୀ ବି ଏହି ଷ୍ଟେସନ୍ ଉପରେ ନିର୍ଭର କରନ୍ତି । ଯାତ୍ରୀ ଭଡ଼ା ରାଜସ୍ବ ବାବଦକୁ ଦିନକୁ 6 ଲକ୍ଷ ଟଙ୍କା ଦେଉଛି ଭଦ୍ରକ ଷ୍ଟେସନ୍। ଆଉ ଯାତ୍ରୀ ସଂଖ୍ୟା ଦୃଷ୍ଟିରୁ ଏହା ରାଜ୍ୟରେ ଦ୍ବିତୀୟ ସର୍ବାଧିକ।  ମାଲବାହୀ ଟ୍ରେନ୍‌ର ରହଣି ପାଇଁ ବ୍ୟବସ୍ଥା ଥିବାରୁ ସାର, ଗହମ, ଚାଉଳ, ସିମେଣ୍ଟ ଭଳି ଅନେକ ସାମଗ୍ରୀ ଆଣୁଥିବା ମାସକୁ ପ୍ରାୟ 15ଟି ଟ୍ରେନ୍ ଏଠାରେ ଲାଗୁଛି । ଟ୍ରେନରୁ ବଡ଼ ବଡ଼ ଟ୍ରକ୍ ଯୋଗେ ସାମଗ୍ରୀ ପରିବହନ କରାଯାଉଛି। କିନ୍ତୁ ମାଲଗାଡ଼ି ଲାଗିଲେ ଫିଡର ରୋଡ଼ରେ ଅଣନିଶ୍ବାସୀ ହୋଇଯାଉଛନ୍ତି ଯାତ୍ରୀ। ଷ୍ଟେସନର ଫିଡର ରୋଡ଼ରୁ ଜବରଦଖଲ ଉଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପୂର୍ବତନ ଆରଡିସି। କିନ୍ତୁ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳର ବିଧାୟକମାନଙ୍କ ସ୍ଥାଣୁତା ଯୋଗୁଁ ହୋଇପାରିନାହିଁ କାମ। ଏବେ ବିଜେପି ସରକାର ଆସିବା ପରେ ଭଦ୍ରକ ସହରରେ ଦଶକ ଦଶକ ଧରି ଥିବା ଜବରଦଖଲ ଉଚ୍ଛେଦ କରାଯାଇଥିବାବେଳେ ଷ୍ଟେସନ ରୋଡ଼ ଆଡ଼େ ନଜର ଦେଇନାହିଁ ପ୍ରଶାସନ। ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଏ ଦିଗରେ ଖୁବ୍ ଶୀଘ୍ର ନିଆଯିବ ପଦକ୍ଷେପ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored