ଆହୁରି 3 ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ମୟୂରଭଞ୍ଜ ଓ କଟକରେ ଦେଖାଦେଇଛି ଜଳବନ୍ଦୀ ସ୍ଥିତି । ଘରେ, ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାବେଳେ ମେଡିକାଲରେ ପଶିଲା ବର୍ଷା ଜଳ । ଆହୁରି 3 ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର । ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବନ୍ୟା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ଲଗାଣ ବର୍ଷାରେ ବେହାଲ୍ ମୟୂରଭଞ୍ଜ । ଜଳମଗ୍ନ ବାରିପଦା ସହର । ବିଭିନ୍ନ ସ୍ଥାନରେ ଡ୍ରେନ ଉଛୁଳି ଘରେ ପାଣି ପଶିଛି । ପୌରାଞ୍ଚଳର ୭, ୮, ୯, ୨୦, ୨୩, ୨୪, ୨୮ ୱାର୍ଡରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
ରାସ୍ତା ଉପରେ ବି ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଛି । ବର୍ଷା ଯୋଗୁଁ ଜନଜୀବନ ଅଧିକ ପ୍ରଭାବିତ ହୋଇଛି । ଆସନ୍ତା 24 ଘଣ୍ଟା ଲାଗି ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ସଜାଗ ଥିବା କହିଛି । ସେହିପରି ଲଘୁଚାପ ବର୍ଷା ଯୋଗୁଁ କଟକର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।.. ବାଦାମବାଡ଼ି ଅରୁଣଦେୟ ମାର୍କେଟ ରାକ୍ସି ଲେନ୍ ଚାନ୍ଦିନୀ ଚୌକି, କାଜିବଜାର ରାସ୍ତାରେ ଜମି ରହିଛି ପାଣି । ବର୍ଷାକୁ ମୁକାବିଲା କରିବା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି କଟକ ମହାନଗର ନିଗମ । 280ଟି ପାଣି ପମ୍ପ ସହ ଭଲୋଭ ମୋଟର ତଳିଆ ଅଞ୍ଚଳରେ ରହିଛି ।
ବର୍ଷାରେ ଭାସିଲା ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ର । ମେଡିକାଲ୍ ଭିତରେ ବର୍ଷା ଜଳ ପଶିବା ଯୋଗୁଁ ବାରଣ୍ଡାରେ ବେଡ଼ ପକାଇ ରୋଗୀ ଚିକିତ୍ସା କରାଯାଉଥିବାର ଦୃଶ୍ୟ ଆସିଛି। ପୁରୀ ଜିଲ୍ଲା କଣାସ ନୂଆହାଟଠାରେ ଦୟାନଦୀରେ ଭୁଶୁଡିଲା ୧୦୦ ଫୁଟର ନଦୀ ବନ୍ଧ । ବାଲିବସ୍ତା ପକାଇ ଘାଇ ରୋକିବାକୁ ପ୍ରଶାସନ କରିଛି ଉଦ୍ୟମ । ନଦୀରେ ବୃଦ୍ଧିପାଉଛି ବନ୍ୟାଜଳ । ଘାଇ ହେଲେ ଡେଲାଙ୍ଗ, କଣାସ, ସତ୍ୟବାଦୀ ଋବଂ ବ୍ରହ୍ମଗିରି ଜଳମଗ୍ନ ହେବା ଆଶଙ୍କା ଥିବାରୁ ଭୟଭୀତ ସ୍ଥାନୀୟ ଲୋକେ । ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ଥିବା ଯୋଗୁଁ ବର୍ଷା ଜାରି ରହିଛି । ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଜଳବନ୍ଦୀ ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶ ଖବର