ସ୍ଵାଧୀନତାର ୭୬ ବର୍ଷ ପରେ ବି ରୋଗୀଙ୍କୁ ଭାରରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ଵାସ୍ଥ୍ୟ ପାଇଁ ମାଳମାଳ ଯୋଜନା କରୁଛନ୍ତି
ଲୋକେ କିନ୍ତୁ ନାହିଁନଥିବା ଅସୁବିଧାର ସାମ୍ନା କରନ୍ତି
ଅର୍ଗସ ବ୍ୟୁରୋ : ସ୍ଵାସ୍ଥ୍ୟ ନାଁରେ ସାଙ୍ଘାତିକ ମିଛ କହୁଛନ୍ତି ରାଜ୍ୟ ସରକାର । ସର୍ବାଧିକ ଗୁରୁତ୍ଵ ଦେଉଥିବା କଥା କୁହନ୍ତି ହେଲେ ପ୍ରକୃତରେ ଗ୍ରାଉଣ୍ଡରେ ଯେ ସ୍ଥିତି କେତେ ଖରାପ ସେ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ସମ୍ବଲପୁରରେ । ଯାହାକୁ ନେଇ ସ୍ଵର ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଏତିକି ନୁହେଁ ବରଂ ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗାଁର ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଘଟଣାରେ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଧର୍ମେନ୍ଦ୍ର ।
ସ୍ଵାଧୀନତାର ୭୬ ବର୍ଷ ପରେ ବି ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ, ୧୮% ଶିଶୁ ଉଚ୍ଚତା ଅନୁସାରେ ଓଜନ କମ ଏବଂ ୬୪% ଶିଶୁ ଓ ୬୨% ମହିଳା ରକ୍ତହୀନତାରେ ପୀଡ଼ିତ । ସରକାରୀ ଡାକ୍ତରଖାନା ନାହିଁ, ଡାକ୍ତରଖାନା ଥିଲେ ସେଠାରେ ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀଙ୍କ ଘୋର ଅଭାବ । ଜିଲ୍ଲା ସଦର ମହକୁମା ଠାରୁ ୪୦-୫୦ କିମି ଦୂରରେ ଏହି ଅବସ୍ଥା, ଆଭ୍ୟନ୍ତରୀଣ ଅଞ୍ଚଳରେ ପରିସ୍ଥିତି ଆହୁରି ଶୋଚନୀୟ । ଏହା କ'ଣ ଦୀର୍ଘ ୨୫ ବର୍ଷ ଶାସନର “ରୂପାନ୍ତରଣ” ବୋଲି ପ୍ରଶ୍ନ କହିଛନ୍ତି ଶ୍ରୀ ପ୍ରଧାନ ।
📱 Get Argus News App
✨ଅନ୍ୟପକ୍ଷେ ଶାସକ ଦଳର କୁହାଳିଆ ନେତା ମାନେ ଓଡ଼ିଶାକୁ ଏକ ନମ୍ବର କରିବାର ମିଛ ପ୍ରଚାର କରୁଛନ୍ତି । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଜନକଲ୍ୟାଣକାରୀ ସରକାର ଚାଲିଛି । ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କଲେଣି । ଓଡ଼ିଶାବାସୀ ମଧ୍ୟ ପୁଣି ଥରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଡବଲ ଇଞ୍ଜିନ ସରକାର ଆଣିବାକୁ ମନସ୍ଥ କଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହା ସହ ଶ୍ରୀ ପ୍ରଧାନ ସମ୍ବଲପୁରଠାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସାଙ୍ଗଠନିକ ବୈଠକରେ ଯୋଗଦେଇ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।