ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଅର୍ଗସ ବ୍ୟୁରୋ: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୪ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହାସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଢ଼େ ୭ ଲକ୍ଷ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହେବେ । ସେପଟେ ଗତ କିଛିଦିନ ତଳେ କେନ୍ଦ୍ର ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ।
ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା DA. କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢ଼ାଇଲେ ସରକାର। ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସରକାରୀ କର୍ମଚାରୀଙ୍କ ସହ ପେନ୍ସନ୍ ଭୋଗୀ ମଧ୍ୟ ଉପକୃତ ହେବେ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୫୩%କୁ ବୃଦ୍ଧି ହୋଇଛି । କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ ।
ଏହାର ଅର୍ଥ ଅକ୍ଟୋବର ମାସର ଦରମା DA ସହ ମିଳିବ । ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ । ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ । ସେମାନଙ୍କର ମଧ୍ୟ ଡିଏ ବୃଦ୍ଧି କରାଯାଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର