ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି

- ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଯୋଗାଣ ମନ୍ତ୍ରୀ କହିଲେ, ଉତ୍ତର ପ୍ରଦେଶରୁ ଆସିବ ଆଳୁ
- ମମତା ବାନାର୍ଜୀଙ୍କ ଟାଳଟୁଳ ନୀତି ଯୋଗୁଁ ବେଙ୍ଗଲରୁ ଆସିପାରୁନି ଆଳୁ
- ରାଜ୍ୟରେ ନାହିଁ ଶୀତଳ ଭଣ୍ଡାର, 24 ବର୍ଷର ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
- ଆଳୁ ପାଇଁ ଆଉ କେତେଦିନ ପଶ୍ଚିମବଙ୍ଗ, ୟୁପି ଉପରେ ନିର୍ଭର କରିବ ଓଡ଼ିଶା ?
ଅର୍ଗସ ବ୍ୟୁରୋ: ଖୁବ୍ ଶୀଘ୍ର ଦୂର ହୋଇପାରେ ଆଳୁ ସଂକଟ । ସମସ୍ୟାର ତ୍ବରିତ ସମାଧାନ ପାଇଁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଅନୁରୋଧ କରିଛନ୍ତି । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମମତା ବାନାର୍ଜୀ । ଏପଟେ ଆଳୁ ସଙ୍କଟ ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ନାଫେଡ୍ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ସରକାରୀ ଖୁଚୁରା ଦୋକାନରେ ଆଳୁ କେଜି ପିଛା ୩୦ ଟଙ୍କାରେ ବିକ୍ରି କରାଯାଉଛି । ପୁଣି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି । ଚିନ୍ତା ନ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।
ଆଳୁ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଛି ଓଡ଼ିଶା। ଆଉ ଏବେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାଳଟୁଳ ନୀତି ଯୋଗୁଁ ପ୍ରାୟ ମାସେ ହେଲା ନାକେଦମ୍ ରାଜ୍ୟବାସୀ ଓ ରାଜ୍ୟ ସରକାର । ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇ ଠକିଲା ବିଜେଡି ସରକାର। ପୁଣି ଆଳୁ ମିଶନ ନାଁରେ କେବଳ ପ୍ରଚାର କରୁଥିଲେ ନବୀନ ସରକାର। ରାଜ୍ୟରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଆଉ କେତେ ଦିନ ଆଳୁ ପାଇଁ ପଶ୍ଚିମବଙ୍ଗ ଓ ୟୁପି ଉପରେ ନିର୍ଭର କରିବ ଓଡ଼ିଶା ?
ଆଳୁ ସଂକଟର ସମାଧାନ ପାଇଁ ମୋହନ ସରକାର ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଭୁବନେଶ୍ବରରେ ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯୋଗାଣ ବିଭାଗ ଚଢ଼ାଉ କରୁଛି। ଦୋକାନୀଙ୍କୁ ଦର ତାଲିକା ବୋର୍ଡ ଝୁଲାଇବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ସଠିକ୍ ଓଜନର ସାମଗ୍ରୀ ଦେବାକୁ ବ୍ୟବସାୟୀଙ୍କୁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: