ଫେଲ ମାରିଲା ରାଜ୍ୟ ସରକାରଙ୍କ ଯୋଜନା

ଅର୍ଗସ ବ୍ୟୁରୋ : ଫେଲ ମାରିଲା ରାଜ୍ୟ ସରକାରଙ୍କ ଯୋଜନା । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଉପହାସ ପାଲଟିଛି ସରକାରଙ୍କ ଯୋଜନା । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ବଡ ମସିଣାବିଲା ଗ୍ରାମ । ଏଠି ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ନିର୍ମାଣ ହୋଇଛି, ଗାଁକୁ ପାଇପ୍ ମଧ୍ୟ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାବାରେ ଏହା ବିଫଳ ହୋଇଛି । ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୧୨ କିମି ଦୂରରେ ରହିଛି ଏହି ଗାଁ । ଗ୍ରାମରେ ୯ ଟି ସାହି ରହିଥିଲା ବେଳେ ପାଖାପାଖି ୧୫ ଶହରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । କିନ୍ତୁ ଗ୍ରାମର ସମସ୍ତ ସାହିରେ ଏବେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି ।
ଗ୍ରାମର ଭଲୁଘର ସାହି । ବର୍ଷ ତମାମ ଏଠାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ପାନୀୟ ଜଳ ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ସାହିରେ ଗୋଟିଏ ନଳକୂପ ରହିଥିଲେ ମଧ୍ୟ ତାହା ଏବେ ଜଳସ୍ତର ଖସିଯିବାରୁ କମ ପାଣି ବାହାରୁଛି । ଗାଁର ଉପର ସାହି । ଏଠି ମଧ୍ୟ ସମାନ ଅବସ୍ଥା । ସାହିରେ ୭୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏଠାରେ ରହିଛି ଗୋଟିଏ ବହୁଦିନର ପୁରୁଣା ନଳକୂପ । ଗ୍ରାମରେ ତିଆରି ହୋଇଥିବା ଅଧିକାଂଶ ଷ୍ଟାଣ୍ଡପୋଷ୍ଟ ଏବେ ଭାଙ୍ଗି ଗଲାଣି । ଗୋଟିଏ ନଳକୂପରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ଲୋକଙ୍କୁ ମିଳୁନାହିଁ ପିଇବା ପାଣି ।
📱 Get Argus News App
✨ବର୍ଷ ବର୍ଷ ଧରି ଏହି ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇ ପାରୁ ନାହିଁ । ଏବେ ଖରା ଗରମ କଷ୍ଟକୁ ଜଳ କଷ୍ଟ ଲୋକଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ବସୁଧା ଯୋଜନାକୁ ଉପହାସ କରୁଛନ୍ତି ଲୋକେ । ଗାଁରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ବର୍ଷ ତମାମ ପାଣି ପାଇଁ ସଙ୍ଘର୍ଷ କରୁଛନ୍ତି ଲୋକେ । ପାଣି ନପାଇ ରାଜ୍ୟ ସରକାର ଯୋଜନାକୁ ଉପହାସ କରୁଛନ୍ତି ଲୋକେ ।