|
logo
Live

Argus News - ବାତ୍ୟା ଦାନା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

Odisha

ବାତ୍ୟା ଦାନା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

Manini Pattanayak
Browse all articles by Manini Pattanayak
·1 year ago·2 min read
ବାତ୍ୟା ଦାନା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଲହରୀ ଖେଳିଥାଆନ୍ତା ସୁନାର ଫସଲ, କିନ୍ତୁ ଏବେ ସବୁ ପାଲଟିଗଲା ଶ୍ମଶାନ ପ୍ରାୟ। ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ଉପକୂଳ ଓ ଉତ୍ତର ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ। ପାଣିରେ ବୁଡ଼ିଛି ପାଚିଲା ଧାନ କିଆରୀ। ବର୍ଷଟା ଯାକର ସାଧନ ଉଜୁଡ଼ିଯାଇଥିବା ଚାଷୀ ଏବେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି । ରାଜସ୍ବ ମନ୍ତ୍ରୀ କହିଛନ୍ତି ଆସନ୍ତା 2 ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବେ ଜିଲ୍ଲାପାଳ। ଅନୁଧ୍ୟାନ କରି ତୁରନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବେ ସରକାର।

 ଉଜୁଡ଼ି ଯାଇଛି ବର୍ଷଟା ଯାକର ସାଧନ। ଦିନ କେଇଟା ତଳେ ଯେଉଁ ଅଧା ପାଚିଲା ଧାନ କ୍ଷେତ ଦେଖି ମନ କୁଣ୍ଢେ ମୋଟ ହୋଇଯାଉଥିଲା ଏବେ ସେହି ବିଲକୁ ଦେଖି ଛାତି ଫାଟିଯାଉଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ । ଫସଲ ହୋଇଥିଲେ ବର୍ଷଟା ପାଇଁ ପରିବାର ପୋଷିଥାଆନ୍ତେ। କିନ୍ତୁ ଦାଉ ସାଜିଲା ବିଧାତା। ତାଣ୍ଡବ ରଚିଲା ବାତ୍ୟା। ଦାନା ଛଡ଼ାଇନେଲା ଦାନା। ( ବାଲିଆପାଳ) ବାତ୍ୟା ଦ୍ବାରା ଅନ୍ୟତମ ସର୍ବାଧିକ ପ୍ରଭାବିତ ଜିଲ୍ଲା ବାଲେଶ୍ବରର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ପବନ ଓ ବର୍ଷା। ବସ୍ତା ଓ ବାଲିଆପାଳ ବ୍ଲକର ଚାଷୀଙ୍କ ପାଇଁ ବାତ୍ୟା ଆଣିଛି ନାହିଁ ନଥିବା ଦୁର୍ଦ୍ଦଶା । ପାଚିଲା ଧାନ କିଆରୀରେ ଲହରୀ ଖେଳୁଛି ଉଛୁଳା ପାଣି।  

(ଭୋଗରାଇ) ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସି ଭୋଗରାଇ ବ୍ଳକ୍ ନାଚିନ୍ଦା ପଞ୍ଚାୟତର ଚାଷ ପ୍ରାୟ ଉଜୁଡ଼ି ଯାଇଥିଲା। ଯାହା କିଛି ବାକି ଥିଲା ତାକୁ ଉଜାଡ଼ି ଦେଇଛି ଏବେର ବାତ୍ୟା ଓ ବର୍ଷା।  (ସିମୁଳିଆ) ସିମୁଳିଆ ଓ ଖଇରାରେ ବ୍ଲକରେ ଶହଶହ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ଜାମୁଝାଡ଼ି ପଞ୍ଚାୟତର ରାଧାବଲ୍ଲଭପୁର ଗାଁ ଚାରିପଟେ ଘେରି ରହିଛି ତିନିଟି ନଦୀ କାଂଶବାଂଶ, ପିତାକାଳିଆ ଓ ବାରଗୋଡିଆ। ଗାଁର ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସେହିପରି ପାଟୁଳି ,ନଅରପଦା, ଗୋପାଳପୁର, ଆଙ୍କୁଲା, ରସିଦପୁର, ଖିରକୋଣା, ବଇଁଆ, ଆନନ୍ଦପୁର, ଚାଲୁଣିଗାଁ, ବାଇଁଶିବାଟି, ସବଙ୍ଗ, ପଣ୍ଡୁ ସମେତ ୨୦ରୁ ଅଧିକ ଗାଁରେ ସବୁ ଫସଲ ପ୍ରାୟ ନଷ୍ଟ ହେବା ଅବସ୍ଥାରେ।  ବାତ୍ୟା ଦ୍ବାରା ସର୍ବାଧିକ ପ୍ରଭାବିତ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ବ୍ଲକରେ ଧାନ ଚାଷୀଙ୍କ ସର୍ବନାଶ ହୋଇଛି। ଋଣ ଟଙ୍କା କେମିତି ସୁଝିବେ ସେହି ଚିନ୍ତାରେ ଚାଷୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଟିମ୍ ଆଜି ଚାନ୍ଦବାଲି ବ୍ଲକର ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ନଦୀ କୁଳିଆ ପଂଚାୟତ ଓରାସାହି, କାଣ୍ଡଗରଡ଼ି, ନଳଗୋହିରା, ଚଡ଼ଡ଼ିଆ ଆଦିରେ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ, ରାଜସ୍ବ ଓ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି ସଭାପତି। ରାଜସ୍ବମନ୍ତ୍ରୀ କହିଛନ୍ତି ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟର 1 ଲକ୍ଷ 25 ହଜାର 91 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଫସଲ କ୍ଷୟକ୍ଷତିର ଆକଳନ କରି ଆସନ୍ତା 2 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
ବାତ୍ୟା ଦାନା ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ | Argus News