Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୦ ଦିନର ଖସଡ଼ା ଅନୁସାରେ ପ୍ରସ୍ତୁତ ହେଉଛି ରଣନୀତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
୧୦୦ ଦିନର ଖସଡ଼ା ଅନୁସାରେ ପ୍ରସ୍ତୁତ ହେଉଛି ରଣନୀତି

ଅର୍ଗସ ବ୍ୟୁରୋ: ଜୁନ୍ 12 ତାରିଖରେ ଓଡ଼ିଶାରେ ସୃଷ୍ଟି ହେଲା ଇତିହାସ। ପ୍ରଥମ ଥର ଏକାକୀ ସରକାର ଗଢ଼ିଲା ବିଜେପି। ଶପଥ ନେବା ଦିନଠାରୁ ଆକ୍ସନ୍ ମୁଡରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ତାଙ୍କର ପୁରା ସରକାର । ଫୋକସରେ ପ୍ରଥମ 100 ଦିନ । ବିଜେପି ସରକାରର ପ୍ରଥମ କ୍ୟାବିନେଟରେ ନିଆଗଲା 4ଟି ବଡ଼ ନିଷ୍ପତ୍ତି । ଖୋଲାଗଲା ଶ୍ରୀମନ୍ଦିର ଚାରିଦ୍ବାର। ଶ୍ରୀମନ୍ଦିରର ଉନ୍ନତି ପାଇଁ 500 କୋଟିର କର୍ପସ ଫଣ୍ଡ ଗଠନ । ଧାନ ଏମଏସପି 3100 ଟଙ୍କା କରିବାକୁ ସମୃଦ୍ଧ କୃଷକ ନୀତିରେ ଲାଗିଲା ମୋହର। ସୁଭଦ୍ରା ଯୋଜନା ପାଇଁ ପ୍ରକାଶ ପାଇଲା ମାର୍ଗଦର୍ଶିକା, ଯେଉଁଥିରେ ରାଜ୍ୟର ମହିଳାଙ୍କୁ ମିଳିବ 50 ହଜାର ଟଙ୍କାର ଭାଉଚର।

ବିଜେପି ସରକାରର ପ୍ରାଥମିକତା ରହିଛି ଓଡ଼ିଆ ଅସ୍ମିତା, ଶ୍ରୀମନ୍ଦିର ଏବଂ ରାଜ୍ୟବାସୀଙ୍କ କଲ୍ୟାଣ। ଯେଉଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗତ ନିର୍ବାଚନରେ ଥିଲା ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ, ସେହି ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଗଣତି ସମ୍ପର୍କରେ ଦିନ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଓଡିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷା ପ୍ରଚାର ପ୍ରସାର ପାଇଁ ଗଠନ ହୋଇଛି କମିଶନ। ଓଡ଼ିଶା ଭାଷାରେ ସରକାରୀ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ନୂଆ ସରକାର ଶପଥ ନେଉ ନେଉ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ। ପୁଣି ଦୀର୍ଘ 16 ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟର ବିଜେପି ସରକାର ପାଇଁ ପ୍ରାଥମିକତାରେ ଗରିବ ଓ ଚାଷୀ । ଏଥିପାଇଁ ଦ୍ବିତୀୟ କ୍ୟାବିନେଟ୍ ବୈଠକରେ ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ 98 ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ମୋହନ ସରକାର। ପିଏମ୍ କିଷାନ ଯୋଜନାରେ ରାଜ୍ୟର ଅଧିକ 5ରୁ6 ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ହୋଇଛି ନିଷ୍ପତ୍ତି। ପୁଣି ସବୁ ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଘୋଷଣା କରିଛନ୍ତି ମୋହନ ସରକାର । ମଣ୍ଡିରେ ଧାନ କିଣାବେଳେ ବନ୍ଦ ହେବ କଟନୀ ଛଟନୀ । ଅଚଳ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ ସଚଳ ହେବ । ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମିଳୁଥିବା ଭତ୍ତା ବଢ଼ାଇ 3 ହଜାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାର୍ବଜନୀନ ହେବ ଚିଟଫଣ୍ଡ ତଦନ୍ତ କମିଶନଙ୍କ ରିପୋର୍ଟ, ଟଙ୍କା ଫେରିପାଇବେ କ୍ଷତିଗ୍ରସ୍ତ ଜମାକାରୀ। ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କାଟିବା ସହ ଯୋଗ୍ୟଙ୍କୁ ରାସନକାର୍ଡ ମିଳିବା ନେଇ ନିଆଯାଇଛି ନିର୍ଦ୍ଦେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

18 ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି, ବନ୍ଦ କରାଯାଇଥିବା ସ୍କୁଲ ପୁଣି ଖୋଲିବା, ଓଡ଼ିଆ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ବିଜେପି ସରକାର। ଖଣି ମାଫିଆଙ୍କୁ କରାଯାଉଛି ସାବାଡ଼। ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ଯାଜପୁରର କୁସୁମା ଜବରଦଖଲ, ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ଓ ରାଜନଗରର ସ୍ଵାଦ ହୋଟେଲ କେଳେଙ୍କାରୀ ଉପରେ ହୋଇଛି ଆକ୍ସନ । ବିଜେଡ଼ିର ହାତବାରିସି ସାଜିଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ବି ନିଆଯାଉଛି ଆକ୍ସନ । ମହାନଦୀରେ ଦୁଇଟି ବ୍ୟାରେଜ୍ ନିର୍ମାଣ ହେବ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The strategy is being prepared on a 100-day basis | Argus News