ରାତି ପାହିଲେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଅର୍ଗସ ବ୍ୟୁରୋ: ଦେଶରେ ଷଷ୍ଠ, ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ । ରାତି ପାହିଲେ ଭୋଟ୍ ଦେବେ ରାଜ୍ୟର ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟର । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ଆସନରେ ମତଦାନ ଲାଗି ସରିଛି ସବୁ ପ୍ରକାର ପ୍ରସ୍ତୁତି । ମୋଟ୍ ୯୪.୪୧ ଲକ୍ଷ ଭୋଟର ଆସନ୍ତକାଲି ମତଦାନ କରିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି 48.30 ଲକ୍ଷ ପୁରୁଷ ଓ 46.18 ମହିଳା ଭୋଟର । ଏଥିପାଇଁ 10 ହଜାର 551 ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି ଯେଉଁଠି 70 ହଜାର ପୋଲିଂ କର୍ମଚାରୀ ନିର୍ବାଚନ ପରିଚାଳନା କରିବେ । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବେଶ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସ ସହ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।
ମତଦାନ ହେବାକୁ ଥିବା ୬ ଲୋକସଭା ଆସନ ମଧ୍ୟରୁ ଗତଥର ବିଜେପି ସମ୍ବଲପୁର ଓ ଭୁବନେଶ୍ବରରେ ବାଜି ମାରିଥିବା ବେଳେ ବିଜେଡିକୁ ମିଳିଥିଲା ୪ଟି ଆସନରେ ସଫଳତା । ସେହିପରି ୪୨ ବିଧାନସଭା କ୍ଷେତ୍ରରେ ବିଜେଡି ୩୫, ବିଜେପି ୫ଟି ଓ କଂଗ୍ରେସ ୨ଟି ଆସନ ହାତେଇବାରେ ସଫଳ ହୋଇଥିଲେ । ଏଥର 6ଟି ଲୋକସଭା ଆସନରେ 64 ସାଂସଦ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନରେ 383 ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି | ତେବେ ଏହି ପର୍ଯ୍ୟାୟ ସର୍ବାଧିକ ଫୋକସ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଧର୍ମେନ୍ଦ୍ର ସମ୍ବଲପୁର ଆସନରୁ ଲୋକସଭା ଲଢ଼ୁଛନ୍ତି । ସେହିପରି ପ୍ରଣବ ପ୍ରକାଶ ଦାସ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କଂଗ୍ରେସ ମଧ୍ୟ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଏଠାରୁ ପ୍ରାର୍ଥୀ କରିଛି ।
ଏହାଛଡ଼ା କଟକରୁ ଭର୍ତ୍ତୃହରି ମହତାବ, ଭୁବନେଶ୍ବର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ସମ୍ବିତ ପାତ୍ର ମୈଦାନରେ ଅଛନ୍ତି । ସେହିପରି ବିଧାନସଭା କଥା ଦେଖିଲେ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ଅରୁଣ ସାହୁ, ସଞ୍ଜୟ ଦାସବର୍ମାଙ୍କ ପରି ବିଜେଡି ହେଭିୱେଟ ନିର୍ବାଚନ ଲଢ଼ୁଛନ୍ତି । ବିଜେପିରୁ ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ନାଉରୀ ନାଏକ, ରବି ନାଏକ, ସୁବାସ ପାଣିଗ୍ରାହୀ, ସଞ୍ଜୀବ ସାହୁ, ସୁରମା ପାଢ଼ୀଙ୍କ ପରି ଭେଟରାନ ବି ମୈଦାନରେ । କଂଗ୍ରେସରୁ ଟାଣୁଆ ନେତା ଜୟଦେବ ଜେନା ଆନନ୍ଦପୁରରୁ ନିର୍ବାଚନ ଲଢ଼ୁଛନ୍ତି ।
📱 Get Argus News App
✨ଗୋଟିଏ ପଟେ ଡବଲ୍ ଇଞ୍ଜିନ ସରକାରର ନାରା ଫୁଲଫିଲ୍ ପାଇଁ ବିଜେପି ପୂରା ଦମଖମ୍ ଲଗାଇଥିବା ବେଳେ ବିଜେଡି ଷଷ୍ଠ ଥର କ୍ଷମତା ଦଖଲ ପାଇଁ ଟଙ୍କାବଣ୍ଟା ଠାରୁ ଆରମ୍ଭ କରି ଧମକଚମକ ହିଂସାର ସାହାରା ନେଉଥିବା ଲଗାତାର ସାମ୍ନାକୁ ଆସୁଛି । ତେଣୁ ଏଭଳି ସ୍ଥିତିରେ ଆସନ୍ତାକାଲି ଏହି ସବୁ ଆସନରେ ମତଦାନ ବେଶ ଗୁରୁତ୍ବପୂର୍ଣ୍ଣ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର