Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

Odisha

କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·3 min read
କେନ୍ଦ୍ର ଆର୍ଥିକ ବଜେଟ୍ ୨୦୨୪-୨୫କୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଯୁବବର୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି । ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବିକଶିତ ଭାରତ ବଜେଟରେ ଶିକ୍ଷା, ଦକ୍ଷତା ଏବଂ ନିଯୁକ୍ତି କ୍ଷେତ୍ରରେ ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି “ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତର ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଦେଶର ଆର୍ଥିକ ଅଭିବୃଦ୍ଧିର ଚାବିକାଠି ହେବ ବୋଲି ସେ କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମଗ୍ର, ସର୍ବସ୍ପର୍ଶୀ, ସର୍ବସମାବେଶୀ ତଥା ମଧ୍ୟମ ବର୍ଗଙ୍କ ସମେତ ସମସ୍ତ ବର୍ଗଙ୍କୁ ଲାଭ ଦେବା ଭଳି ବଜେଟ୍ ଉପସ୍ଥାପନ ହୋଇଛି । 'ଗରିବ, ମହିଳା, ଯୁବ ଓ ଅନ୍ନଦାତା'ଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ ସର୍ବଦା ଗୁରୁତ୍ୱ ଦେବା ସହ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ  ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। 

ସେ କହିଛନ୍ତି ଚଳିତବର୍ଷର ବଜେଟରେ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱଳ୍ପ ସୁଧରେ ବାର୍ଷିକ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଇ-ଭାଉଚର ଦିଆଯିବ । ବାର୍ଷିକ ୨୫,୦୦୦ ଛାତ୍ରଛାତ୍ରୀଙ୍କୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଋଣ ଦିଆଯିବ। 

ଭାରତର ଅଗ୍ରଣୀ କମ୍ପାନୀ ଗୁଡିକ ଦ୍ୱାରା ୧ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ । କମ୍ପାନୀର ଫ୍ରେସର ମାନଙ୍କୁ ସରକାରଙ୍କ ଦ୍ୱାରା ଆର୍ଥିକ ସହାୟତା ଦିଆଯିବ । ଇପିଏଫ୍ ପାଇଁ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ୫ ବର୍ଷରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା ସହ ୧ ହଜାର ଆଇଟିଆଇର ଉନ୍ନତିକରଣ ପାଇଁ ଘୋଷଣା ; ଶିକ୍ଷା ଓ ଦକ୍ଷତା କ୍ଷେତ୍ରକୁ ସୁଦୃଢ଼ କରିବ । ଏହା ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବ । ଲୋକଙ୍କୁ ଅଧିକ ଜୀବିକା ସୁଯୋଗ ସହିତ ସଶକ୍ତ କରିବ । ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ହାସଲ କରିବାରେ ସହାୟକ ହେବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୪.୧ କୋଟିରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଅତିରିକ୍ତ ଘର, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ଅନୁଦାନ, ଜୈବିକ ଚାଷକୁ ପ୍ରୋତ୍ସାହନ ବ୍ୟତୀତ “ପିଏମ ସୂର୍ଯ୍ୟ ଘର ଯୋଜନା”ରେ ୧ କୋଟି ଘରେ ମାଗଣାରେ ସୋଲାର ପ୍ୟାନେଲର ବ୍ୟବସ୍ଥା ଲୋକଙ୍କ ଜୀବନଯାପନକୁ ସହଜ କରିବ । ମହିଳାଙ୍କୁ ସଶକ୍ତ କରିବା ପାଇଁ ୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ, ମୁଦ୍ରା ଲୋନ ୨୦ ଲକ୍ଷକୁ ବୃଦ୍ଧି, ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ୬୩,୦୦୦ ଆଦିବାସୀ ଅଧ୍ୟୁଷିତ ଗ୍ରାମର ବିକାଶ ପାଇଁ ଅର୍ଥ ବ୍ୟବସ୍ଥା ମୋଦୀ ସରକାରଙ୍କ “ସବକା ସାଥ୍ ଓ ସବକା ବିକାଶ” ମନ୍ତ୍ରର ପ୍ରତିଫଳନ । ସେହିପରି ପ୍ରାୟ ୧୧.୧୧ ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ପୁଞ୍ଜି ଦେଶରେ ଭିତ୍ତିଭୂମି ବିକାଶ ସହ ରୋଜଗାର କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବାରେ ବିଶେଷ ସହାୟକ ହେବ । 

ବିକଶିତ ଭାରତ ବଜେଟରେ ‘ପୂର୍ବୋଦୟ’ ଅଧୀନରେ ପୂର୍ବାଞ୍ଚଳ ରାଜ୍ୟ ତଥା ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ନିଷ୍ପତ୍ତି ହୋଇଛି । ଏହାକୁ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପାରାଦୀପ ରିଫାଇନାରୀର ଲୋକାର୍ପଣ କରିବା ସମୟରେ ପୂର୍ବୋଦୟର କଥା କହିଥିଲେ । ମାନବ ସମ୍ବଳ, ଭିତ୍ତିଭୂମି ଓ ଆର୍ଥିକ ସୁଯୋଗର ବିକାଶ ଉପରେ ବ୍ୟାପକ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନ, ମନ୍ଦିର, ବେଳାଭୂମି ଓ କାରିଗରୀର ବିକାଶ ପାଇଁ ଓଡ଼ିଶାକୁ ସହାୟତା ପ୍ରଦାନ କରିବା ଦ୍ୱାରା ଓଡ଼ିଶା ଭଳି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟର ସମ୍ଭାବନା ସଠିକ୍ ଭାବରେ ଉପଯୋଗ ହୋଇପାରିବ । 

ଆଜିର ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁ କ୍ଷେତ୍ରରୁ ବିଶେଷ ଲାଭ ପାଇବ । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାର ଘୋଷଣା ରାଜ୍ୟକୁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ଦେବ । ଆଗାମୀ ଦିନରେ ପୂର୍ବ ଭାରତ, ବିଶେଷ କରି ଓଡ଼ିଶା ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଆମ ଦେଶର ଆଗାମୀ ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ଚାବିକାଠି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
The Union Minister called the | Argus News