ନମୋ ଆପରେ ଯୋଡି ହୋଇ ‘ଜନ ମନ ସର୍ଭେ’ରେ ସାମିଲ ହେବାକୁ ନାଗରିକଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନମୋ ଆପରେ ଯୋଡି ହୋଇ ଭାରତ ସରକାରଙ୍କ ପକ୍ଷରୁ ଦେଶର ଅଭବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ‘ଜନ ମନ ସର୍ଭେ’ରେ ନିଜର ମତ ପ୍ରକାଶ କରିବା ସହ ଏହି ସର୍ଭେରେ ଅଂଶଗ୍ରହଣ କରିବା ପାଇଁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଓଡ଼ିଶା ସମେତ ଦେଶର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ‘ବିକଶିତ ଭାରତ’ ଓ ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅଭିମତ ମହତ୍ୱପୂର୍ଣ୍ଣ । ଏଥିପାଇଁ ନମୋ ଆପରେ ଆରମ୍ଭ ହୋଇଥିବା ଜନ ମନ ସର୍ଭେରେ ମୁଁ ନିଜର ମତ ରଖିଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନୂଆ ଭାରତର ଅଭିବୃଦ୍ଧି ସହ ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ନମୋ ଆପରେ ସମସ୍ତେ ଯୋଡି ହୁଅନ୍ତୁ । ଜନମନ ସର୍ଭେରେ ସାମିଲ ହୋଇ ନିଜର ମତ ରଖିବାକୁ ସେ ଓଡ଼ିଶା ସମେତ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ମୋବାଇଲ ଆପ୍ଲିକେସନ ବା ‘ନମୋ ଆପ’ରେ ଲୋକଙ୍କ ଟିପ୍ପଣୀ ନେବା ପାଇଁ ଗତ ୧୯ ଡିସେମ୍ବରରୁ ଏହି ଜନ ମନ ସର୍ଭେ ଆରମ୍ଭ ହୋଇଛି । ଏଥିରେ ଲୋକମାନେ ଦେଶର ବିକାଶ ଓ ଶାସନ ସହ ଜଡିତ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବେ । ନମୋ ଆପରେ ଭାରତ ସରକାରଙ୍କ ସହ ଜଡିତ ସମସ୍ତ ଯୋଜନା, କାର୍ଯ୍ୟକ୍ରମ ଉପରେ ମଧ୍ୟ ବିବରଣୀ ପାଇପାରିବେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର