|
logo
Live
Argus News App
GET APP

Argus News - ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

Odisha

ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·3 min read
ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଖେଳରେ ସ୍ପିରିଟ୍ ଅଛି । ଖେଳରେ ହାର୍ ଜିତ୍ ଅଛି । ଖେଳରେ ହାରିଲେ ଆଗକୁ ବଢିବାର ପ୍ରେରଣା ମିଳେ ବୋଲି ସୋମବାର ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ସ୍ଥିତ ପିଏମ ଶ୍ରୀ ଜବାହର ନବଦୋୟ ବିଦ୍ୟାଳୟରେ ୧୪. ୩୨ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭ ଦେବା ସହ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଚାରି ଦଶନ୍ଧି ଧରି ଢେଙ୍କାନାଳ ଜିଲ୍ଲାରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ମାନଙ୍କୁ ତିଆରି କରିବାରେ ଏହି ନବୋଦୟ ବିଦ୍ୟାଳୟର ଯୋଗଦାନ ଅତୁଳନୀୟ । ଢେଙ୍କାନାଳ ଜିଲ୍ଲାର ବଣମଲ୍ଲୀଙ୍କୁ ପାରିଜାତ ପୁଷ୍ପ ଭଳି ପରିବର୍ତ୍ତନ କରିବାରେ ସ୍କୁଲର ଯଥେଷ୍ଟ ଅବଦାନ ରହିଛି । ଏହି ସ୍କୁଲରେ ଏସଏସସି, ଏସଟି, ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ବହୁସଂଖ୍ୟକ ଛାତ୍ରୀ ବିଶେଷତଃ ଗ୍ରାମାଞ୍ଚଳର ପିଲାମାନେ ପାଠ ପଢୁଛନ୍ତି । ଏହି ସ୍କୁଲରୁ ପାଠ ପଢି ଗରିବ ଓ ସାଧାରଣ ଘରର ପିଲାମାନେ ଅଧିକାଂଶରେ ଡକ୍ଟର, ଇଞ୍ଜିନିୟର, ପ୍ରଫେସର, ପ୍ରାଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଏ ହୋଇଛନ୍ତି । ଏହି ସ୍କୁଲରେ ଫାଇନାନ୍ସିଆଲ ମାର୍କେଟ୍ ମ୍ୟାନେଜମେଣ୍ଟ ଉପରେ ଶିକ୍ଷାଦାନ ଦିଆଯାଉଛି । ସ୍କୁଲର ପିଲାମାନେ ଜୀବନରେ ଜୀବନରେ ଉତ୍କର୍ଷତା ହାସଲ କରିଛନ୍ତି । 

ଆଜି ଏଠାରେ  ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ବହୁମୁଖୀ ସଭାଗାର ପ୍ରାୟ ୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ । ଏହାବ୍ୟତିତ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ଓ ଆନୁଷଙ୍ଗିକ ସୁବିଧା ରହିବ । ଏଠାରେ ଏକ ଓପନ ଜିମ, ଆଥଲେଟିକ୍ସ ଟ୍ରାକ ଏବଂ ଫିଲ୍ଡ ଓ ଦର୍ଶକ ଗ୍ୟାଲେରୀର ବି ଉନ୍ନତିକରଣ କରାଯାଉଛି । ଏହି ନବୋଦୟ ସ୍କୁଲରେ ଛାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ଆଉ ଏକ ଛାତ୍ରୀ ନିବାସର ନିର୍ମାଣ ମଧ୍ୟ ନିର୍ମାଣ କରାଯାଉଛି । ଏହି ସମସ୍ତ ପ୍ରକଳ୍ପର ସର୍ବମୋଟ ମୂଲ୍ୟ ୧୪.୩୨ କୋଟି ହେବ । ଆଗାମୀ ଦିନରେ ଏହି ଅତ୍ୟାଧୁନିକ ସୁବିଧା ଗୁଡିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହେବ । ଶିଳାନ୍ୟାସ ହେଇଥିବା ବହୁମୁଖୀ ସଭାଗାରକୁ  ‘ଶହୀଦ ବାଜି ରାଉତ ସଭାଗାର’ ନାମରେ ନାମିତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ଖେଳ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଭାରତରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସହଯୋଗରେ ମୋଟ ୭୪୦ ଟି ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି । ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି । ଓଡ଼ିଶାରେ ପ୍ରାୟ ୫ ହଜାର ୪୨୭ ଟି ସ୍କୁଲରେ ପାଖାପାଖି ୨୭ ହଜାର ୮୬୮ ଟି ଫୁଟବଲ ବିତରଣ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଢେଙ୍କାନାଳରେ ୧୭୮ଟି ସ୍କୁଲରେ ୮୭୦ଟି ଫୁଟବଲ ବିତରଣ କରାଯିବ ।  କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି । ଖେଳରେ ସ୍ପିରିଟ, ଶୃଙ୍ଖଳା ଅଛି । ଖେଳରେ ହାର ଜିତ ଥାଏ ଏବଂ ହାରିଲେ ହିଁ ପ୍ରେରଣା ମିଳିଥାଏ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯିବ । ସେ ଗୁଡିକ ହେଲା ଭାଷା, ଗଣିତ, ବିଜ୍ଞାନ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, କାରିଗରୀ ତଥା ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ପଢାଯିବ । ଯେତେବେଳେ ୨୦୩୬ ଅଲିମ୍ପିକ୍ସ ପାଇଁ ଆମ ଦେଶ ପ୍ରସ୍ତୁତି ଆରମ୍ଭ କରିଛି, ସେ ଦୃଷ୍ଟିରୁ ଫୁଟବଲ୍ କାର୍ଯ୍ୟକ୍ରମ ଉପଯୋଗୀ ହେବ ।  

ଢେଙ୍କାନାଳ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ଲାଷ୍ଟିକ ଇଟା, ମାଟି ପରୀକ୍ଷା, ଟେରାକୋଟା ସାମଗ୍ରୀ, ଏଆଇର ମେକାନିକ୍ ମଡେଲ୍ ସମେତ ଅଭିନବ କୌଶଳକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ଉପରେ ସେ କହିଥିଲେ ଦେଶର ଯୁବପିଢିଙ୍କ ମଧ୍ୟରେ ସୃଜନଶୀଳତା ସହ ଷ୍ଟାର୍ଟଅପକୁ ବଢାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଆରମ୍ଭ ହୋଇଛି । ଏଆଇ ସ୍କିଲ୍ ମାଧ୍ୟମରେ ରୋଜଗାରର ମାର୍ଗ ଅନ୍ୱେଷଣ କରାଯାଉଛି । ଆଜି ଆୟୋଜିତ ଏହି ପ୍ରଦର୍ଶନୀ ସେ ଦିଗରେ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତାର ପରାକାଷ୍ଠା ଦର୍ଶାଉଛି । ଏଥିପାଇଁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିବେଶକୁ ସଫା ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ଲାଷ୍ଟିକ ଇଟା  ଓ ମାଟି ପରୀକ୍ଷାର ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।

Sponsored
ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ | Argus News