ଗ୍ରାମବାସୀଙ୍କୁ ମିଳୁନି ଶୁଦ୍ଧ ପାନୀୟଜଳ

ଅର୍ଗସ ବ୍ୟୁରୋ: ଗ୍ରାମବାସୀଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ। ପଡିଛି ବିଦ୍ୟୁତ ଖୁଣ୍ଟ ହେଲେ ସଂଯୋଗ ହେଉ ନାହିଁ ବିଜୁଳି। ବାରମ୍ବାର ଗୁହାରି ପରେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ତାତିଲେ ଗ୍ରାମବାସୀ। ରାଜରାସ୍ତା କରିଛନ୍ତି ଅବରୋଧ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା - ଠାକୁରମୁଣ୍ଡା ରାସ୍ତାର ବେଗୁନିଆ ଛକ ନିକଟରେ।
କପ୍ତିପଦା ବ୍ଲକ ରାଣୀପୋଖରୀ ପଞ୍ଚାୟତର ବେହେରାସାହିରେ ବସବାସ କରନ୍ତି ୪୦ ରୁ ଅଧିକ ପରିବାର। ହେଲେ ଏହି ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିନି ବିଜୁଳି ସଂଯୋଗ। ଗ୍ରାମରେ ପାନୀୟ ଜଳର ସୁବିଧା ନ ଥିବା ବେଳେ ଗ୍ରାମବାସୀମାନେ ବାରମ୍ବାର ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି। ଯାହାକୁ ନେଇ ଆଜି ଗ୍ରାମବାସୀ ମାନେ ନିଜ ଦାବି ପୂରଣ କରିବା ସହିତ ମୌଳିକ ସୁବିଧା ଯୋଗାଇଦେବା ଦାବିରେ କପ୍ତିପଦା - ଠାକୁରମୁଣ୍ଡା ରାସ୍ତାର ବେଗୁନିଆ ଛକରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି। ଏହି ରାସ୍ତା ଅବରୋଧ ଫଳରେ ଯୋଗାଯୋଗ ବାଧାପ୍ରାପ୍ତ ହେବା ସହିତ ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ ହେଲେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର