ଘଟଗାଁ ମା' ତାରିଣୀ ପୀଠରେ ତାରିଣୀ ବ୍ରତ ପାଳିଲେ ମହିଳା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠରେ ଆଜି ତାରିଣୀ ବ୍ରତ ପାଳିତ ହେଉଛି । ପ୍ରତ୍ୟେକ ବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାରରେ ଏହି ବ୍ରତ ପାଳନ କରାଯାଇଥାଏ । ଏହି ଅବସରରେ ଆଜି ମା' ତାରିଣୀ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ମହିଳା ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ପୂଜାର୍ଚ୍ଚନା କରିବା ପାଇଁ ଆସିଛନ୍ତି । ନିଜ ପରିବାରର ମଙ୍ଗଳ କାମନା ଓ ବିପଦ ମୁକ୍ତ କରିବା ପାଇଁ ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି।
ଏହି ବ୍ରତରେ ମହିଳା ମାନେ ମା'ଙ୍କୁ ସ୍ମରଣ କରି 13ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରିଥାନ୍ତି । ତେବେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯାତ୍ରା ସହିତ ଏହି ତାରିଣୀ ବ୍ରତର ମହମା ଜଡିତ ରହିଛି । ରଥ ଯାତ୍ରାରେ ତିନି ଠାକୁର ୯ ଦିନ ପାଇଁ ମାଉସୀ ମା' ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମା' ଏହି ପୂଜା କରିଥିବା କାରଣରୁ ତାରିଣୀ ପୀଠରେ ଏହି ବ୍ରତକୁ ମହାଆଡମ୍ବରରେ ପାଳିତ ହୋଇଥାଏ । ଆଜି ତାରିଣୀ ବ୍ରତ ଅବସରରେ ମା' ସୁନା ବେଶରେ ଦର୍ଶନ ଦେଉଛନ୍ତି। ଆଜି ଭୋରରୁ ମା'ଙ୍କ ସ୍ନାନ ମାଜଣା ଓ ଯଥା ରିତୀ ନୀତିରେ ପୂଜା କରାଯିବା ସହ ମାଙ୍କ ନିକଟରେ ବ୍ରତ ପାଳନ ହୋଇଛି ।
ତେବେ ଘଟଗାଁ ପୀଠରେ ମା'ଙ୍କ ସୁନା ବେଶ ଦର୍ଶନ କରିବା ସହ ବ୍ରତ ପାଳନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡକୁ ଆଖି ଆଗରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯିବା ସହ ବ୍ୟାପକ ସୁରକ୍ଷା କର୍ମୀ ଓ ପାଲିସ ନିୟୋଜିତ ହୋଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର