କାଲି ବସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର କାମଚଳା ବଜେଟ୍ ଅଧିବେଶନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ରହିପାରେ ଗୃହ । ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ତେବେ ବିଧାନସଭା ଅଧିବେଶନ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ବିଧାୟକ ଦଳ ବୈଠକ କରିନଥିଲେ ମଧ୍ୟ ଗୃହ ପ୍ରଥମଦିନରୁ ସରଗରମ ହେବାର ଆଶଙ୍କା ରହିଛି ।
ବିଜେପିର ପ୍ରସଙ୍ଗ -
ଅର୍ପଣ ରଥ ରେ ଭିକାରି ସଜାଇ ଜଗନ୍ନାଥଙ୍କୁ ବୁଲାଇବା, ଓଡ଼ିଆ ଭାଷାର ପ୍ରଚାର ନାଁ ରେ ମହାମନିସିଙ୍କୁ ଅପମାନ, ନୂଆ ଓ ନାଁ ରେ ଶିକ୍ଷାନୁଷ୍ଠାନ ରେ ଶୈକ୍ଷିକ ବାତାବରଣ ନଷ୍ଟ କରିବା,ନିଯୁକ୍ତି ଦୁର୍ନୀତି, ଚାଷୀ ମୃତ୍ୟୁ ଓ ମଣ୍ଡି ସମସ୍ୟା,ଶିକ୍ଷା ଭିତ୍ତିଭୂମି ଅଭାବ, ଡ୍ରପଆଉଟ ବଢିବା, ସ୍ୱାସ୍ଥ୍ୟ ସମସ୍ୟା, ଦାଦନ, ପକ୍କା ଘର , ପାନୀୟ ଜଳ, ଜଳ ସେଚନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଆଦିବାସୀଙ୍କୁ ଅଣଦେଖା ଭଳି ପ୍ରସଙ୍ଗ କୁ ମୁଖ୍ୟ ମୁଦ୍ଦା କରିବ ବିଜେପି ।
କଂଗ୍ରେସର ପ୍ରସଙ୍ଗ -
ଧର୍ମକୁ ରାଜନୀତି, ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ୪୨୦୦ କୋଟିର ହିସାବ,ଜଗନ୍ନାଥଙ୍କୁ ଭିକାରୀ ସଜାଇବା, ସଂଗ୍ରହ ହୋଇଥିବା ଗୁଆ ଚାଉଳ ପ୍ରସଙ୍ଗ ସହ ସରକାରୀ ଟଙ୍କାରେ ରାଜନୀତି, ନୂଆ ଓ କାର୍ଯ୍ୟକ୍ରମରେ ନାଚଗୀତ, ନବୀନ ଓଡ଼ିଶାରେ ବିଜେଡି କର୍ମୀଙ୍କୁ ଠିକା କାମ, ଶିକ୍ଷା ଓ ଭୁସୁଡ଼ି ପଡିଥିବା ସ୍ଵାସ୍ଥ୍ୟ ବ୍ୟବସ୍ଥା, ଆଞ୍ଚଳିକ ବୈଷମ୍ୟ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ, ଦରଦାମ ବୃଦ୍ଧି କଥା ବି ଉଠାଇବାକୁ ଯୋଜନା କରିଛି କଂଗ୍ରେସ । ଜବାବରେ ବିଜେଡି କହିଛି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ଅନ୍ୟପଟେ ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବ। ଷ୍ଟ୍ରାଇକିଂ ଫୋର୍ସ, ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର