ନା ବିଦ୍ୟୁତ ଅଛି, ନା ରହିବାକୁ ଆବାସ ଘରଖଣ୍ଡେ ଅଛି

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କନ୍ଧରା ଗ୍ରାମର ବାହ୍ମୁଣିଆ ସାହି । ଆଜି ଭି ଏଠି ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ୧୫ ପରିବାର ପାଇଁ ମୌଳିକ ସୁବିଧା ସାତସପନ । ଗମନାଗମନର କୌଣସି ସୁବିଧା ନାହିଁ, ଆବଡା ଖାବଡା ମାଟି ରାସ୍ତା ଏମାନଙ୍କ ଭରସା । ଗାଁରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଲେ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉ ନଥିବା କାରଣରୁ ଅନେକ ସମୟରେ ଲୋକମାନେ ଭାରରେ ବୋହି ଲୋକଙ୍କୁ ଆଣୁଥିବା ନଜିର ଅଛି ।
କେବଳ ସେତିକି ନୁହେଁ, ଆବାସ ଯୋଜନାରେ ଘର ମିଳିନି। ଭଙ୍ଗା ଚାଳ ଛପର ଘରେ ଗରିବ ଆଦିବାସୀଙ୍କ ବିତୁଛି ଜୀବନ । ବିଦ୍ୟୁତ ଖୁଣ୍ଟ ଅଛି ବିଦ୍ୟୁତ ନାହିଁ । କୁନିକୁନି ପିଲାମାନଙ୍କ ଭରସା ଡିବିରି ଆଲୁଅ ଓ ଟର୍ଚ୍ଚ ଲାଇଟ । ୨୪ ଘଣ୍ଟିଆ ବିଦ୍ୟୁତ ସେବା ମିଳିବ କହି ବିଦ୍ୟୁତ ଖୁଣ୍ଟ ପୋତା ହେଲା, ହେଲେ ଏବେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଲାନାହିଁ । ସେହିଭଳି ବସୁଧା ଯୋଜନାରେ କେବଳ ପାଇପ ଲାଇନ ବିଛାଯାଇଛି। ନଳକୁଅର ଦୂଷିତ ପାଣି ବ୍ୟବହାର କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସବୁବେଳେ ବିକାଶର ଡିଣ୍ଡିମ ପିଟୁଛନ୍ତି। ହେଲେ ବାହ୍ମୁଣିଆ ସାହି କେବେ ଦେଖିବ ବିକାଶ। କେବେ ଏଠାକାର ଆଦିବାସୀ ପରିବାର ମୌଳିକ ସୁବିଧାର ସ୍ୱାଦ ଜାଣିପାରିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: