Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Rath Yatra / ବଡ଼ଦାଣ୍ଡ ଜନସମୁଦ୍ର; ଝିପିଝିପି ବର୍ଷାରେ ତିନିରଥକୁ ଆନନ୍ଦରେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଡ଼ଦାଣ୍ଡ ଜନସମୁଦ୍ର; ଝିପିଝିପି ବର୍ଷାରେ ତିନିରଥକୁ ଆନନ୍ଦରେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ
Three Chariots Move Towards Sharadha Bali

Key Points

ଗତକାଲି ଶ୍ରୀଗୁଣ୍ଡିଚାରେ ବଡ଼ଦାଣ୍ଡରେ ଅଟକି ରହିଥିବା ୩ ରଥଟଣା ପୁଣି ଥରେ ଆରମ୍ଭ ହୋଇଛି । ସାଢ଼େ ୯ଟାରୁ ଆରମ୍ଭ ହୋଇଛି ରଥଟଣା ।
ପୁରୀ: ବଡ଼ଦାଣ୍ଡରେ ଘର୍ ଘର୍ ନାଦ କରି ଗଡ଼ୁଛି ନନ୍ଦିଘୋଷ । ଗତକାଲି ଶ୍ରୀଗୁଣ୍ଡିଚାରେ ବଡ଼ଦାଣ୍ଡରେ ଅଟକି ରହିଥିବା ୩ ରଥଟଣା ପୁଣି ଥରେ ଆରମ୍ଭ ହୋଇଛି । ସାଢ଼େ ୯ଟାରୁ ଆରମ୍ଭ ହୋଇଛି ରଥଟଣା । ଆଗେ ଆଗେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ଗଡ଼ି ଚାଲିଛି ।

ମଝିରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଥିବାବେଳେ ପଛରେ ଆସୁଛି ରସିକ ନାଗର କାଳିଆର ନନ୍ଦିଘୋଷ ରଥ । ଗତକାଲି ସିଂହଦ୍ବାର ସମ୍ମୁଖରେ ଅଟକିଥିଲା ନନ୍ଦିଘୋଷ ରଥ । ଫାୟାର ଷ୍ଟେସନ ନିକଟରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ମରିଚିକୋଟ ଛକ ନିକଟରେ ଅଟକି ରହିଥିଲା ଦର୍ପଦଳନ ରଥ ।

ଏଥିସହ ପଢ଼ନ୍ତୁ: ଶରଧା ବାଲିରେ ଲାଗିପାରିଲାନି ଗୋଟିଏ ବି ରଥ 

ରାତିସାରା ଭକ୍ତ ବଡ଼ଦାଣ୍ଡରେ ଭିଡ଼ ଜମାଇ ତିନିରଥରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ସକାଳେ ତିନିରଥରେ ସବୁ ନୀତିକାନ୍ତି ସମ୍ପନ୍ନ କରାଯାଥିଲା । ନୀତିକାନ୍ତି ପରେ ଏବେ ତିନିରଥ ଶରଧାବାଲି ଆଡ଼ିକୁ ଟାଣି ନେଇ ଯାଉଛନ୍ତି ଭକ୍ତଗଣ । 

ସମସ୍ତଙ୍କ ମୁହଁରେ 'ଜୟ ଜଗନ୍ନାଥ' ଧ୍ଵନି ପ୍ରତିଧ୍ଵନିତ ହେଉଛି । ଭକ୍ତି ଓ ଭାବର ପଥ ପାଲଟିଛି ବଡ଼ଦାଣ୍ଡ । ଘଣ୍ଟଘଣ୍ଟା ମାଡ଼ ସାଙ୍ଗକୁ ହରିବୋଲ ଓ ହୁଳହୁଳି ଦେଇ ରଥକୁ ଆଗ୍ରହରେ ଟାଣି ନେଉଛନ୍ତି ଭକ୍ତ । ଦ୍ଵିତୀୟ ଗୁଣ୍ଡିଚାରେ ବଡ଼ଦାଣ୍ଡରେ ରଥଟାଣିବାର ସୁଯୋଗ ପାଇ କାହା ଆଖିରୁ ଲୋତକ ଝରି ପଡ଼ୁଛି ତ ଆଉ କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛି । କାଳିଆର ଭକ୍ତିର ଲୀନ ସମସ୍ତେ । 

ଭକ୍ତିର ଦଉଡ଼ିକୁ ହାତରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଆଜି ଶରଧାବାଲିରେ ରଥ ଉପରେ ଶ୍ରୀବିଗ୍ରହମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଶନିବାର ଆଡ଼ପ ବିଜେ ହେବ । ଏନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଏଥିସହ ପଢ଼ନ୍ତୁ: ବଡ଼ଦାଣ୍ଡରେ ଦିବ୍ୟ ତିନି ରଥ; କେଉଁ ରଥ ଦର୍ଶନ କଲେ ମିଳେ କେଉଁ ଲାଭ ? 

ଗତକାଲି ଆଲୋକ ଅଭାବ ପାଇଁ ରଥଟଣା ବନ୍ଦ କରାଯାଇଥିଲା । ରଥଟଣା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ ଭୋଇ ସର୍ଦ୍ଦାର । ଘୋଷଯାତ୍ରାରେ ପ୍ରତିକୂଳ ପାଗ ସତ୍ତ୍ବେ ଶ୍ରୀକ୍ଷେତ୍ରରେ ୧୦ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored