Videos
|
Odisha

ଆଜି ମହାବିଷୁବ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

Ritu Das
Browse all articles by Ritu Das
·2 years ago·2 min read
ଆଜି ମହାବିଷୁବ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଅର୍ଗସ ବ୍ୟୁରୋ: ଆଜି ମହାବିଷୁବ ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ଅବସରରେ ସଜ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର। ଆଉ ଚାଲିଛି ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୁପ ପରେ ଦକ୍ଷିଣୀ ଘରୁ ଶ୍ରୀହନୁମାନ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପ୍ରାପ୍ତ ହେବାପରେ ବିମାନରେ ଶ୍ରୀମନ୍ଦିରର ପୂର୍ବଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇଛି।

ତାପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ  ମହାବୀରଙ୍କ ନିକଟକୁ ବିଜେ କରିଛନ୍ତି ହନୁମାନ। 
ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଅଣହିନ୍ଦୁ ମାନଙ୍କ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପାରମ୍ପରିକ ପ୍ରତିହାରୀ ସେବା ତଥା ପ୍ରତିହାରୀ ସେବକ ମାନଙ୍କୁ ସକାଳେ ଓ ସନ୍ଧ୍ୟାବେଳେ ଦୁଇଦୁଇ ଜଣଙ୍କୁ ନିୟୋଜିତ କରାଯାଇଥିବାବେଳେ ଆଗକୁ ଚାରିଦୁଆରରେ ପ୍ରତିହାରୀ ସେବକ ନିୟୋଜିତ ହେବେ ବୋଲି କହିଛନ୍ତି ପ୍ରତିହାରୀ ସେବାୟତ ମାଧବ ମହାପାତ୍ର। ଅନ୍ୟପଟେ ଆଜି ମଧ୍ୟ ଓଡିଆ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି। 

ଆଜି  ଶ୍ରୀକ୍ଷେତ୍ରର ୫୦ରୁ ଉର୍ଦ୍ଧ୍ବ ଜାଗା ଆଖଡାରେ ରହିଛି ନିଆରା ପରମ୍ପରା। ସେବାୟତ ଘରର ଭେଣ୍ଢିଆ ମାନେ ନୂଆଲୁଗା ପିନ୍ଧି ଆଜିଠାରୁ କୁସ୍ତି ଅଭ୍ୟାସ ଆରମ୍ଭ କରିଥାନ୍ତି। ସକାଳୁ ସକାଳୁ ଜାଗାରେ ପହଞ୍ଚି ମହାବୀରଙ୍କ ଠାରୁ ଆଶିର୍ବାଦ ନେଇ କାଛିଆ ପିନ୍ଧି ବାଲିରେ କୁସ୍ତି ଆରମ୍ଭ କରିଦିଅନ୍ତି। ଏଭଳି ପରମ୍ପରା ବହୁ ପୁରାତନ କାଳରୁ ରହିଆସିଛି। 

ଶ୍ରୀମନ୍ଦିରକୁ ବିଦେଶୀ ଶତ୍ରୁକବଳରୁ ରକ୍ଷା କରିବା ପାଇଁ ସେବାୟତ ଭେଣ୍ଡିଆ ମାନେ ଆଗକୁ ଆସିଥିଲେ। ଜାଗାଆଖଡା କରି ସେଠାରେ ମଲ୍ଲଯୋଦ୍ଧା ଶିକ୍ଷା ଆରମ୍ଭ କରିଦେଇଥିଲେ। ମହାବୀର ଜୟନ୍ତୀରୁ ଆରମ୍ଭ ହେଉଥିଲା ସେମାନଙ୍କର କୁସ୍ତି ଅଭ୍ୟାସ। ଖାଲି ଭେଣ୍ଡିଆ ନୁହଁନ୍ତି ଖଡିଛୁଆଁ ଭଳି ସେବାୟତଙ୍କ ଶିଶୁମାନେ ହନୁମାନ ଜୟନ୍ତୀରୁ କୁସ୍ତି ଶିକ୍ଷାର ଆରମ୍ଭ କରିଥାନ୍ତି। ହନୁମାନଙ୍କ ନିକଟରେ ନୂଆ କାଛିଆ ପୂଜା କରିବା ପରେ ସେହି କାଛିଆକୁ ପିନ୍ଧି ପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇ କୁସ୍ତିରେ ଯୋଗ ଦିଅନ୍ତି। ଆଉ ସେହି ଯାଗାରେ କୁସ୍ତି କରିବା ପରେ ଭାଙ୍ଗପଣାର ଆସର ଜମିଥାଏ। ସେପଟେ ଆଜିଠାରୁ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି।
ଓଡିଆ ନବବର୍ଷ ସାଙ୍ଗକୁ  ହନୁମାନ ଜୟନ୍ତୀ ଥିବାରୁ  ଶ୍ରୀମନ୍ଦିରରେ ରହିଛି ଭକ୍ତଙ୍କ ନାହିଁ ନଥିବା ଭିଡ। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Today is a special | Argus News