ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭଉଣୀର ସୁରକ୍ଷା କବଚ ସାଜିବ ଭାଇ

ଅର୍ଗସ ବ୍ୟୁରୋ: ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ପର୍ବ ଭାଇ ଓ ଭଉଣୀ ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ କରିଥାଏ। ଏହିଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ ତା ଭଉଣୀକୁ ରକ୍ଷା କରିବ ବୋଲି ସଂକଳ୍ପ ନେଇଥାଏ। ସେଥିପାଇଁ ଭଉଣୀର ପ୍ରତ୍ୟେକ ଖରାପ ସମୟରେ ଭାଇ ଛାଇ ହୋଇ ତା ପାଖେ ପାଖେ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦିବ୍ୟାଙ୍ଗ ବିଦ୍ୟାଳୟ ବିଷୟରେ କହିବୁ ଯେଉଁଠି କେହି କାହାର ନିଜର ନୁହଁନ୍ତି କିନ୍ତୁ ଏ ରାକ୍ଷୀ ସମ୍ପର୍କର ସମ୍ପର୍କର ଡୋରି ବାନ୍ଧି ନୂଆ ସମ୍ପର୍କ ଯୋଡୁଛି। ପ୍ରତ୍ୟେକ ସମୟରେ ଭଉଣୀର ସୁରକ୍ଷା କବଚ ସାଜିବ ବୋଲି ସଂକଳ୍ପ ନେଉଛି। ଆସନ୍ତୁ ଦେଖିବା ଏହି ସ୍ପେସିଆଲ ରିପୋର୍ଟ।
ହାତ ନଥାଉ । ଯେତେ ବି କଷ୍ଟ ହେଉ । ସେ ସୂତା ବାନ୍ଧିବ । ସୁରକ୍ଷାରେ ସୂତା । ଯେଉଁ ସୂତା ଅତୁଟ ସମ୍ପର୍କର ଅଲିଭା କାହାଣୀ ବଖାଣେ । ଯେଉଁ ସୂତା ଲେଖେ ଅଲେଖା ଉପନ୍ୟାସ । ସେ ହେଉଛି ରାଖିର ସୂତା । ଏଠି ନା କେହି କାହା ରକ୍ତର, ନା କାହା ପରିଚୟର । କିନ୍ତୁ ସବୁ ରକ୍ତ ଯେ ସମ୍ପର୍କ ଗଢେ , ଏ ଦୃଶ୍ୟ ତାକୁ ଭୁଲ ପ୍ରମାଣିତ କରିଛି । କାହିଁକି ନା ଏ ରାକ୍ଷୀରେ ଛଳନା ନ ଥାଏ। ଏଥିରେ ଥାଏ ଅତୁଟ ପ୍ରେମ ଅଗାଢ଼ ଭଲପାଇବା। ସେ ନାମୀ ଦାମୀ ରାକ୍ଷୀ ହେଉ କି ସାଧାରଣ ରାକ୍ଷୀ ସବୁ ରାକ୍ଷୀରେ ରହିଥାଏ ସେହି ଗୋଟିଏ ଭଲପାଇବା କାରଣ ଭାଇ ଯେମିତି ଯେଉଁ ହାତରେ ରାକ୍ଷୀ ପିନ୍ଧିବ ସେହି ହାତ ଭଉଣୀର ସୁରକ୍ଷା କବଚ ସାଜିବ।
ତେବେ ଆଜି ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଅନ୍ଦାଜରେ ରାକ୍ଷୀ ପୂର୍ଣ୍ଣମୀ ପାଳନ କରାଯାଉଥିବାବେଳେ ଏକ ନିଆରା ଢଙ୍ଗରେ ରାକ୍ଷୀ ବାନ୍ଧୁଛନ୍ତି ଡଗରା ସ୍ଥିତ ମଦର ଟେରେସା ଦିବ୍ୟାଙ୍ଗ ବିଦ୍ୟାଳୟର ଅବୋଧ ଶିଶୁ। ସମ୍ପର୍କ ଠାରୁ ବହୁ ଦୂରରେ ଅଛନ୍ତି ଏମାନେ କିନ୍ତୁ ଏହି ରକ୍ଷା ବନ୍ଧନରେ ଡୋରିକୁ ବାନ୍ଧି ସମ୍ପର୍କକୁ ସୁଦୃଢ କରୁଛନ୍ତି ଏମାନେ। ସୁରକ୍ଷାର ସୂତାକୁ ବାନ୍ଧି ଅଲିଭା କାହାଣୀ ଲେଖୁଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଏଠି କେହି କାହାର ରକ୍ତର ସମ୍ପର୍କ ହୋଇନଥିଲେ ମଧ୍ୟ ଏହି ସୂତା ଖଣ୍ଡିଏ ହିଁ ରକ୍ତ ସମ୍ପର୍କ ଠାରୁ ଏଠି ଅତୁଟ ବନ୍ଧନକୁ ଶକ୍ତ କରିଛି।
📱 Get Argus News App
✨ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରାରେ ରହିଛି ମଦର ଟେରେସା ଭିନ୍ନକ୍ଷମ ବିଦ୍ୟାଳୟ | ଏହି ବିଦ୍ୟାଳୟରେ ୧00ରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ବିଦ୍ୟାଳୟରେ ଥିବା ଛାତ୍ରୀମାନେ ନିଜର ସହପାଠୀ ଦିବ୍ୟାଙ୍ଗ ଛାତ୍ର ମାନଙ୍କୁ ଭାଇ ବୋଲି ସମ୍ବୋଧନ କରି ରାକ୍ଷୀ ବାନ୍ଧିଛନ୍ତି। ଏହି ସେବା ସଂଘର କେବଳ ଏହି ଗୋଟିଏ କାର୍ଯ୍ୟକ୍ରମ ନୁହେଁ। ଏହିଭଳି ଅନେକ କାର୍ଯ୍ୟକ୍ରମ କରି ଛୋଟ ଛୋଟ ପିଲାମାନଙ୍କୁ ବେଶ ଖୁସି କରିଥାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର