Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ୧୯୯୯ ମହାବାତ୍ୟାକୁ ପୁରିଲା ୨୫ ବର୍ଷ

Odisha

ଆଜି ୧୯୯୯ ମହାବାତ୍ୟାକୁ ପୁରିଲା ୨୫ ବର୍ଷ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆଜି ୧୯୯୯ ମହାବାତ୍ୟାକୁ ପୁରିଲା ୨୫ ବର୍ଷ

 ଅର୍ଗସ ବ୍ୟୁରୋ : ବିନାଶକାରୀ, ବିଧ୍ବଂସକାରୀ, ପ୍ରଳୟଙ୍କରୀ, ଭୟଙ୍କର । ଓଡ଼ିଶା ଇତିହାସର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। 1999 ମହାବାତ୍ୟା। ଅକ୍ଟୋବର 29ର ସେ କାଳରାତ୍ରୀ କଥା ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। 25 ବର୍ଷ ତଳର ସେ ଭୟାନକ ଦୃଶ୍ୟ ଆଜି ବି ଛାତିରେ ଭରିଦିଏ ଛନକା । ଏବେ ବି ବାତ୍ୟା କଥା ଉଠିଲେ ଯେତେବେଳେ ସବୁ ଓଡ଼ିଶାବାସୀଙ୍କ ମନକୁ ଆସେ ମହାବାତ୍ୟାର କଥା। ପ୍ରକୃତିର ସେ ତାଣ୍ଡବକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ପାଇଁ ତ ସେଦିନର ସ୍ମୃତି ଦୁସ୍ବପ୍ନ ରୂପରେ ସଦା ସତେଜ । 

ଜଗତସିଂହପୁର ଏରସମା ବାସିନ୍ଦାଙ୍କ ଜୀବନର ସବୁଠାରୁ ଭୟାନକ ରାତି । ଆକାଶରେ ମାଡ଼ି ଆସିଲା ବତାସ, ବେଗ ଘଣ୍ଟାପ୍ରତି ପ୍ରାୟ 200 କିଲୋମିଟର । ବଙ୍ଗୋପସାଗରର ସେ କରାଳ ରୂପ। ଉପକୂଳକୁ ମାଡ଼ି ଆସିଲା ୨୦ଫୁଟ୍ ଉଚ୍ଚା ଜୁଆର। କେଇ ଘଣ୍ଟା ଭିତରେ ଘର ଦ୍ବାର, ଗଛ ଲତା ସବୁ କିଛି ହୋଇଗଲା ଛାରଖାର। ରାତି ପାହିଲା ବେଳକୁ ଉଜୁଡ଼ି ଯାଇଥିଲା ସବୁକିଛି। ଯେଉଁ ଆଡ଼କୁ ଆଖି ବୁଲାଇଲେ ଶ୍ମସାନ ପ୍ରାୟ ଚିତ୍ର। ଏରସମା ଗଡ଼ବିଶୁନପୁର ପଞ୍ଚାୟତ ନଳବେଡି ଗାଁର ସୀତା ସିଂ । 99ର ସେ ମହାବାତ୍ୟା ତାଙ୍କୁ ସର୍ବସ୍ବାନ୍ତ କଲା। ଭାଗ୍ୟ ବଳରେ ଏକ ମଇଁଷି ଲାଞ୍ଜ ଧରି ବହୁ ଦୂର ପର୍ଯ୍ୟନ୍ତ ଭାସି ଯାଇ ଲାଗିଥିଲେ ବଳରାମପୁର ଗାଁରେ। ନିଜେ ସିନା ବଞ୍ଚିଗଲେ, ହେଲେ ଦଇବ ତାଙ୍କ ପରିବାରର ସମସ୍ତଙ୍କୁ ଛଡ଼ାଇନେଲା । ପରିବାରର ୧୮ ଜଣ ସଦସ୍ୟଙ୍କୁ ହରାଇଲେ ସୀତା। ଛାତିକୁ ପଥର କରି ଜୀବନ କାଟୁଛନ୍ତି।  ଦାସମଠା, ନଳବେଡ଼ି, ଜୁଣଗରି ଗାଁରେ ୨୫ ବର୍ଷ ଧରି ମୃତକଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ପାଳନ କରୁଛନ୍ତି । ଏହି ତିନିଟି ଗାଁରୁ ମହାବାତ୍ୟା ନେଇଥିଲା ୧୨୫୦ରୁ ଅଧିକ ଲୋକଙ୍କ ଜୀବନ । ଅନେକ ପରିବାର ହୋଇଥିଲେ ବାସହରା ହେଇଥିଲେ।

ଅଧିକ ପଢନ୍ତୁ : ବାତ୍ୟା `ଦାନା' ରାଜ୍ୟର 14ଟି ଜିଲ୍ଲାର ଲୋକଙ୍କୁ ପ୍ରଭାବିତ କରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାବାତ୍ୟାର ଛାତିଥରା ଅନୁଭୂତିକୁ ମନେପକାଇ ଆଜି ବି ଥରିଉଠନ୍ତି ଏରସମାବାସୀ । ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ସାମୁହିକ ଶୋକସଭା, ଅଷ୍ଟପ୍ରହରୀ ନାମଯଜ୍ଞ ଆଦି କରାଯାଉଛି । ଅଢ଼େଇ ଦଶନ୍ଧି ତଳେ ମହାବାତ୍ୟା କେବଳ ଓଡ଼ିଶାର ପ୍ରାକୃତିକ ଚିତ୍ର ପରିବର୍ତ୍ତନ କରିଥିଲା ତାହା ନୁହେଁ, ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟରେ ବି ଆଣିଥିଲା ବଡ଼ ପରିବର୍ତ୍ତନ । କ୍ଷମତାକୁ ଆସିଲା ବିଜେଡି ସରକାର। କ୍ଷତିଗ୍ରସ୍ତ ଏରସମାବାସିନ୍ଦାଙ୍କୁ ନୂଆ ସରକାର ଦେଲେ ଅନେକ ପ୍ରତିଶ୍ରୁତି। ପକ୍କା ଘର, ଗାଁକୁ ପକ୍କା ରାସ୍ତା, ଜୀବନ ଜୀବିକା ସବୁଥିରେ ହେବ ଉନ୍ନତି । କିନ୍ତୁ ଅଢ଼େଇ ଦଶନ୍ଧି ପରେ ସବୁ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା। 

ଆଜିବି ଅନେକ ଲୋକ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି । ଏବେ ବି ଅନେକ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ପରବର୍ତ୍ତୀ ସମୟରେ ନିର୍ମିତ ୫୭ ବାତ୍ୟା ଆଶ୍ରୟ ସ୍ଥଳୀ ମଧ୍ୟରୁ ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବେ ବିପଦ ସଂକୁଳ ଅବସ୍ଥାରେ । ତେଣୁ ବାତ୍ୟା ନାଁ ଶୁଣିଲେ ଏବେ ବି ଲୋକଙ୍କ ଭିତରେ ଛନକା। ପୁଣି ସେଭଳି ବିପର୍ଯ୍ୟୟ ଆସିଲେ ପୁଣି ସେଭଳି ବିନାଶର ଆଶଙ୍କା କରୁଛନ୍ତି। ମହାବାତ୍ୟାରେ ସର୍ବସ୍ବ ହରାଇଥିବା ଲୋକଙ୍କ ଏ କ୍ଷତ ତ ଅପୂରଣୀୟ। କିନ୍ତୁ ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। 24 ବର୍ଷର ବିଜେଡି ସରକାର ଦ୍ବାରା ପ୍ରତାରିତ କରିଥିବା ଏସରମା ବାସୀ ନୂଆ ବିଜେପି ସରକାରଠାରୁ ରଖିଛନ୍ତି ଅନେକ ଆଶା। 

Sponsored
Today marks 25 years since the great storm of 1999 | Argus News