ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ ।
ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ। ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜିତ ହେବେ। ପ୍ରତିଦିନ ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜିତ କରାଯିବ। ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଆସନ୍ତା 24 ତାରିଖରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବାସହ 25 ତାରିଖରେ ଦୋଳପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାବିଗ୍ରହ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨