ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଗ୍ଧ ମେଲାଣ ନୀତି

ଅର୍ଗସ ବ୍ୟୁରୋ: ଆସନ୍ତା ସୋମବାର ଶ୍ରୀମନ୍ଦିରରେ ପାଳିତ ହେବ ମକର ସଂକ୍ରାନ୍ତି। ମକରସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ଅର୍ଥାତ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ବଢିବା ପରେ ରାମକୃଷ୍ଣ ଆଜ୍ଞାମାଳ ପ୍ରାପ୍ତ ହୋଇ ଘଣ୍ଟ, ଛତା ଓ କାହାଳୀ ପଟୁଆରରେ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖରେ ବିଜେ ହେବେ। ତାଙ୍କ ସହିତ ଲେଙ୍କା, ଆସ୍ଥାନ ପଢିଆରୀ, ମହାଭୋଇ, ପୂଜାପଣ୍ଡା ସାମନ୍ତ, ମହାଜନ, ଭିତରଚ୍ଛ ସେବକ ମାନେ ସାମିଲ ରହିବେ।
ମହାଭୋଇ ସେବକ ମଠ ସମ୍ମୁଖରେ ବନ୍ଧାଯାଇଥିବା ଗାଈଠାରୁ ରୁପା ପିଙ୍ଗଣରେ ଦୁଗ୍ଧ ଦୁହିଁବା ସହ ଏହି କ୍ଷୀରକୁ ଦୁଇ ଭାଗ କରିବେ। ଗୋଟିଏ ଭାଗରେ ଲେଙ୍କା କର୍ପୁର ପକାଇ ଅମୁଣିଆ ପ୍ରସାଦ ପ୍ରସ୍ତୁତ କରି ଭିତରଛଙ୍କୁ ପ୍ରଦାନ କରିବାପରେ ଭିତର ଠାକୁରଙ୍କୁ କ୍ଷୀର ମଣୋହୀ କରିବେ। ଆଉ ଗୋଟିଏ ଭାଗ କ୍ଷୀରକୁ ମହାଭୋଇ ସେବକ ମାଟି ଗଡୁରେ ଶିକାରେ ବସାଇ ଶ୍ରୀମନ୍ଦିରକୁ ନେବାପରେ ପୂଜାପଣ୍ଡା ସାମନ୍ତ ମଠର ପନ୍ତି ଆସ୍ଥାନରେ ପନ୍ତି ସମ୍ପନ୍ନ କରିବେ। ଗଡ଼ୁରେ ଯାଇଥିବା କ୍ଷୀରରେ ଦହି ପ୍ରସ୍ତୁତ ହୋଇ ମକର ସଂକ୍ରାନ୍ତି ନୀତିରେ ଲାଗି ହେବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର