ଚିଲିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଅର୍ଗସ ବ୍ୟୁରୋ: ରୂପେ ଅନୁପମା ରୂପଶ୍ରୀ ଚିଲିକା ଯେତେ ବଖାଣିଲେ ନ ହୁଏ ବଳକା। ଯାହାର କିଞ୍ଚିତ ଦର୍ଶନ ପାଇଁ ସେଦିନ ଗୋପବନ୍ଧୁ ବାଷ୍ପିୟ ଶକଟକୁ ଅଟକି ଯିବା ପାଇଁ ଗୁହାରି କରିଥିଲେ। କେବେ ଗୋପବନ୍ଧୁ, ତ ଆଉ କେବେ ରାଧାନାଥଙ୍କ ଭଳି କବି ଦେଇଛନ୍ତି ଚିଲିକାର ବୃତ୍ତାନ୍ତ। ଏସିଆର ବୃହତ୍ତମ ଲବଣ ହ୍ରଦର ସୌନ୍ଦର୍ଯ୍ୟ ବଣ୍ଣନା ଆମପକ୍ଷେ ଅସମ୍ଭବ। କିନ୍ତୁ ସକାଳର ସୂନେଲି କିରଣ ଚିଲିକାର ନୀଳ ଶାନ୍ତ ଜଳରାଶିରେ ପଡିବା ମାତ୍ରେ ଚିଲିକା ରାଣୀର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇପଡେ। ସକାଳେ ସୂର୍ଯ୍ୟୋଦୟ ଏବଂ ସଞ୍ଜରେ ସୂର୍ଯ୍ୟାସ୍ତ ଦୃଶ୍ୟ, ଡଲଫିନଙ୍କ ଜଳକ୍ରୀଡା, ରଙ୍ଗବେରଙ୍ଗର ଦେଶୀ ଏବଂ ବିଦେଶୀ ବିହଙ୍ଗଙ୍କ କଳରବ ସହ ସମୁଦ୍ର ଏବଂ ଚିଲିକାର ମିଳନ ପର୍ଯ୍ୟଟକଙ୍କୁ ମତୁଆଲା କରୁଛି। ଚିଲିକାର ସୌନ୍ଦର୍ଯ୍ୟ ସୁଷମା ଓ ଚିଲିକାର ପ୍ରାକୃତିକ ପରିବେଶ ଉପଭୋଗ କରିବାକୁ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକମାନେ।
ନାଲି କଙ୍କଡାଙ୍କ ମେଳିର ଦୃଶ୍ୟ ଦେଖିବାକୁ ଚିଲିକାରେ ଆରମ୍ଭ ହୋଇଛି ପର୍ଯ୍ୟଟକଙ୍କ ଭିଡ଼ । କିଏ ପରିବାର ତ ଆଉ କିଏ ସାଙ୍ଗ ସାଥିଙ୍କ ସହ ଆସି ଚିଲିକାର ପ୍ରାକୃତିକ ଶୋଭାକୁ ଉପଭୋଗ କରୁଛି। ଅକାତକାତ ଜଳରାଶିର ନୈା ବିହାରର ମଜା ନେବାସହ ଡଲଫିନକୁ ଅତିପାଖରୁ ଦେଖି ଖୁସି ହେଉଛନ୍ତି ପର୍ଯ୍ୟଟକ । ସାତପଡାରୁ ଡଙ୍ଗା ଭଡାକରି କେହି କେହି ରାଜହଂସ, ନଳବଣ, କାଳିଜାଇକୁ ମଧ୍ୟ ଯାତ୍ରା କରୁଛନ୍ତି ତା ସାଙ୍ଗକୁ ବଣଭୋଜିର ମଧ୍ୟ ଭରପୁର ଉପଭୋଗ କରୁଛନ୍ତି।
ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥାନମଧ୍ୟରୁ ସାତପଡ଼ା ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀଭାବେ ପରିଚୟ ସୃଷ୍ଟି କରିଛି। ଦେଶବିଦେଶର ପର୍ଯ୍ୟଟକଙ୍କୁ ଓଡିଶାରେ ପର୍ଯ୍ୟଟନସ୍ଥଳୀକୁ ଆକୃଷ୍ଠ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କରୁଛନ୍ତି। କିନ୍ତୁ ସାତପଡା ସରକାରଙ୍କ ଦୃଷ୍ଟିଆଢ଼ୁଆଳରେ ପଡ଼ିରହିଛି। ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସାତପଡା ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କୋଟି କୋଟି ଟଙ୍କା ବ୍ୟୟ ଚିତ୍ତବିନୋଦନ ଜେଟି ନିର୍ମାଣ ହୋଇଥିଲା। ସନ୍ଧ୍ୟା ହେଲେ ରଙ୍ଗ ବେରଙ୍ଗର ଆଲୋକ ସହ ଚିଲିକା କୂଳରେ ବସି ଢେର ମଜା ଉଠାଉଥିଲେ ପର୍ଯ୍ୟଟକମାନେ । କିନ୍ତୁ ଫନି ବାତ୍ୟାଠାରୁ ଜେଟି ସମ୍ପୁଣ୍ଣ ଅନ୍ଧାର ହୋଇପଡିଥିବାରୁ ଅସାମାଜିକ ଯୁବକଙ୍କ ଆଡ୍ଡା ଜାମୁଛି। ଓଡିଆ ସଂସ୍କୁତି,ପରମ୍ପରା ଐତିହ୍ୟ କୀର୍ତ୍ତିରାଜିକୁ କୂଳେଇ ଧରିଥିବା ପର୍ଯ୍ୟଟନ ସ୍ଥଳୀକୁ କାହିଁକି କରାଯାଉଛି ଅଣଦେଖା? କେବେ ବଦଳିବ ସାତପଡା ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର