Videos
|
Odisha

ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ଜିଲ୍ଲାର ପ୍ରସିଦ୍ଧ `ତୋଟାସାହି ପୀଠ '

Ritu Das
Browse all articles by Ritu Das
·2 years ago·2 min read
ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ଜିଲ୍ଲାର ପ୍ରସିଦ୍ଧ `ତୋଟାସାହି ପୀଠ '

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା l ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳା ମାନେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି l ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ l ଏହି ଓଷାର ଆରାଧ୍ୟ ଦେବୀ ହେଉଛନ୍ତି ମାଆ ସାବିତ୍ରୀ l ମହିଳା ମାନେ ସାବିତ୍ରୀ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ଏହି ବ୍ରତ କରିଥାନ୍ତି l ନୂଆ ଶାଢ଼ୀ, ନାଲି ଶଙ୍ଖା, ସିନ୍ଦୁର ଫଳ ମୂଳ ଆଦି ପୂଜା କରିଥାନ୍ତି ମହିଳା ମାନେ l ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ ଯାହା ଏହି ବ୍ରତର ମହତ୍ତ୍ଵ l

ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତର ତୋଟାସାହି-ପାରାବନ୍ଧର ମଧ୍ୟମ ସ୍ଥଳ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ‘ସାବିତ୍ରୀ ପୀଠ’ । ଏହି ପୀଠ ସାବିତ୍ରୀ ବ୍ରତ ପାଳନ ପାଇଁ ଚଳଚଞ୍ଚଳ ହୋଇଛି । ଏକଦା ସରୁସାଗର ନଦୀ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଅନନ୍ତ ମାଧବଜୀଉ, ମା’ ବନଦୁର୍ଗା, ମହାସତୀ ସାବିତ୍ରୀ ଓ ତାଙ୍କ ସ୍ବାମୀ ସତ୍ୟବାନଙ୍କର ତିନୋଟି ମୁଗୁନି ପ୍ରସ୍ତର ନିର୍ମିତ ମୂର୍ତ୍ତିକୁ ସରମରା ଗ୍ରାମର ଜଣେ ବୁଣାକାର ଜାତିର ମହିଳା ଠାବ କରିଥିଲେ । 

ସେ ଦୈନନ୍ଦିନ ଏହି ରାସ୍ତାଦେଇ କପଡ଼ା ବ୍ୟବସାୟ କରିବାକୁ ଆଗରପଡ଼ା ହାଟକୁ ଯାଉଥିବା ବେଳେ ଏହି ମୂର୍ତ୍ତିକୁ ଜଣାଉଥିଲେ ଯେ- ‘ମୋର ବ୍ୟବସାୟ ଭଲ ଚାଲିଲେ ମୁଁ ପ୍ରତିଦିନ ଗୋଟିଏ ଲେଖାଏଁ ମୁଆଁ ଭୋଗ ଲଗାଇବି । ସେହିଦିନ ଠାରୁ ସେହି ବୃଦ୍ଧାଙ୍କର ଭଲ ବ୍ୟବସାୟ ହେବାରୁ ସେ ସେଠାରେ ମୁଆଁ ଭୋଗ ଲଗାଇଲେ। ଆଗରପଡ଼ା ଜମିଦାର ଜଗବନ୍ଧୁ ରାୟ ଉକ୍ତ ବିଗ୍ରହଙ୍କୁ ନିଜ ପ୍ରାସାଦକୁ ନେଇ ପୂଜା କରିବାକୁ ମନସ୍ଥ କରିଥିଲେ ହେଁ ଠାକୁରଙ୍କ ସ୍ଵପ୍ନାଦେଶ ଯୋଗୁଁ ଉକ୍ତ ମୂର୍ତ୍ତିକୁ ଉକ୍ତ ସ୍ଥାନରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଗଲା। କାଳକ୍ରମେ ଏହି ପୀଠ ଆଜି ‘ସାବିତ୍ରୀପୀଠ' ନାମରେ ଖ୍ୟାତ ହୋଇଛି। ଗୋଟିଏ ଦିନ ଏଠାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।

ଏହି ବ୍ରତରେ ସତ୍ୟବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କୁରାଢ଼ୀକୁ ମଧ୍ୟ ପୂଜା କରାଯାଇଥାଏ । ମନୋରଞ୍ଜନ ପାଇଁ ଏଠାରେ ମେଲୋଡି, ଯାତ୍ରା, ପାଲା ଏବଂ ଭଜନସନ୍ଧ୍ୟାର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ଦି ପଇସା ରୋଜଗାର କରିବା ଆଶାରେ ପସରା ମେଲାଇ ବସିଥିବା ଦେଖିବାକୁ ମିଳିଛି l ତେବେ ପ୍ରତ୍ୟେକ ବର୍ଷ ବହୁ ଧୁମ୍ ଧାମରେ ଏଠାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିରହିଥାଏ l
ଆଜି ଦିନ ତମାମ ମାଆଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ପ୍ରସ୍ତୁତି ଶେଷ ହୋଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର