Odia food / ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ମନମୋହୁଛି ପାରମ୍ପରିକ ଓଡିଆ ଖାଦ୍ୟ

Key Points
ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଜମୁଛି ଲୋକଙ୍କ ଭିଡ଼ ।
ରାଜଧାନୀରେ ପାରମ୍ପରିକ ଓଡିଆ ଖାଦ୍ୟର ଖୋଲିଛି ପସରା । ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ଜମୁଛି ଲୋକଙ୍କ ଭିଡ଼ । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଖାଦ୍ୟ ମହୋତ୍ସବ ଆସନ୍ତ ୨୯ ତାରିଖ ଯାଏଁ ଚାଲିବ । ଖାଦ୍ୟ ମହୋତ୍ସବରେ ମାଲକାନଗିରିରୁ ମୟୂରଭଞ୍ଜ, ନୂଆପଡାରୁ କେନ୍ଦ୍ରାପଡ଼ାର ଭିନ୍ନ ଭିନ୍ନ ସୁଆଦିଆ ଖାଦ୍ୟ ଗୋଟିଏ ଜାଗାରେ ଆପଣଙ୍କୁ ମିଳିଯିବ । ମାଟି ହାଣ୍ଡିରେ ସୁସଜ୍ଜିତ ହୋଇଥିବା ପସରା ବଢ଼ାଉଛି ଲୋକଙ୍କ ଭୋକ।
ଓଡିଆ ଖାଦ୍ୟ,ସଂସ୍କୃତି ଓ ପରାଂପରା ସମଗ୍ର ବିଶ୍ୱରେ ଅନନ୍ୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟିରେ ଭିନ୍ନ ଭିନ୍ନ ପୈାଷ୍ଟିକ ଓ ସ୍ୱାଦଯୁକ୍ତ ଆହାର ଓଡିଆଙ୍କ ଜୀବନଶୈଳୀର ଏକ ଅଂଶବିଶେଷ । ଓଡିଆ ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ନିହାତି ଆବଶ୍ୟକ ରହିଛି ।
ଏହି ପାରମ୍ପରିକ ଖାଦ୍ୟର ପସରା ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଛି "ଓଡିଶା ଖାଦ୍ୟ ମହୋତ୍ସବ-୨୦୨୫" । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଖାଦ୍ୟ ମହୋତ୍ସବ ଆସନ୍ତ ୨୯ ତାରିଖ ଯାଏଁ ଚାଲିବ । ଏଠାରେ ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ସୁସ୍ଵାଦୁ ଖାଦ୍ୟ ମିଳୁଥିବାରୁ ଲୋକଙ୍କ ଗହଳି ଜମିଲାଣି ।
"ଓଡିଶା ଖାଦ୍ୟ ମହୋତ୍ସବ-୨୦୨୫"ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖାଦ୍ୟ ଉତ୍ସବ ଉଦଘାଟନ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଖାଦ୍ୟକୁ ଦେଶ ବିଦେଶରେ ପରିଚିତ କରାଇବା ସହ ବଦଳୁଥିବା ସମୟରେ ଲୋକଙ୍କୁ ଓଡ଼ିଆ ଖାଦ୍ୟ ବିଷୟରେ ଜାଗରଣ କରିବା ମହୋତ୍ସବର ମୁଖ୍ୟଲକ୍ଷ୍ୟ ରହିଛି ।
ଏଥିସହ ପଢ଼ନ୍ତୁ: କେତେ ବାଟ ଗଲାଣି ଖରିଫ ଧାନ ସଂଗ୍ରହ ? ସମୀକ୍ଷା ବୈଠକରେ ବଡ଼ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାର GI ମାନ୍ୟତା ପାଇଥିବା ଖାଦ୍ୟ ସାଙ୍ଗକୁ କଟକ ଦହିବରା, ବାରିପଦାର ମାଉଁସ ମୁଢ଼ି, କୋରାପୁଟ କଫି, ମୟୂରଭଞ୍ଜର କାଇ ଚଟଣୀ, ଚମ୍ପାରଣର ମଟନ, ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ, ପିଠାରୁ ମିଠା, ମାଲପୁଆ,ଡାଲମାର ବାସ୍ନାରେ ମହକୁଛି ପ୍ରଦର୍ଶନୀ ପଡ଼ିଆ । ମାଟି ହାଣ୍ଡିରେ ସୁସଜ୍ଜିତ ହୋଇଥିବା ପସରା ଆହୁରି ବଢ଼ାଉଛି ଲୋକଙ୍କ ଭୋକ,ସତେ ଯେମିତି ପାଖକୁ ଟାଣି ଆଣୁଛି ହାତ ଧରି ।
ଶୀତୁଆ ସନ୍ଧ୍ୟାରେ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ସକାଳ ୧୦ ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି ଓଡିଆ ଖାଦ୍ୟ ମହୋତ୍ସବ। ଏହି ମହୋତ୍ସବରେ ୧୦୦ ରୁ ଉର୍ଦ୍ଧ୍ୱ ଖାଦ୍ୟ ପ୍ରସ୍ତୁତିକାରୀ ସଂସ୍ଥାମାନେ ଖାଦ୍ୟ ପ୍ରଦର୍ଶନ କରିବେ । ଓଡ଼ିଆ ଖାଦ୍ୟ ମହୋତ୍ସବରେ ଭଲ ବ୍ୟବସାୟ ହେବା ଆଶା ରଖିଛନ୍ତି ବ୍ୟବସାୟୀ ।
ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଖାଦ୍ୟ ମହୋତ୍ସବକୁ ଆସି ରାଜଧାନୀବାସୀଙ୍କ ସମେତ ଓଡିଶାବାସୀ ଖାଦ୍ୟ ସମୁହର ଆନନ୍ଦ ନେବା ସହିତ ଉପଭୋଗ କରନ୍ତୁ ବୋଲି ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ କୁହାଯାଇଛି ।
📱 Get Argus News App
✨Related Topics
Explore more stories