Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅମାନିଆ ଇସ୍କନ୍, ୨୦୨୫ରେ ୬୮ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ଅମାନିଆ ଇସ୍କନ୍, ୨୦୨୫ରେ ୬୮ ସ୍ଥାନରେ କରିଛି ଅଦିନିଆ ରଥଯାତ୍ରା

Key Points

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ପ୍ରେସ୍‌ମିଟ୍‌। ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି । ଚଳିତ ବର୍ଷ ୨୦୨୫ରେ ତିଥି ବାହାରେ ୬୮ ସ୍ଥାନରେ ଇସ୍କନ ରଥଯାତ୍ରା କରିଛି ।

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରେସମିଟ୍‌ । ଅଦିନିଆ ରଥଯାତ୍ରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜ କହିଛନ୍ତି, ଭାରତ ବାହାରେ ବିଶ୍ବରେ ଏକାଧିକ ସ୍ଥାନରେ ରଥଯାତ୍ରା ଆୟୋଜିତ ହେଉଛି । ଚଳିତବର୍ଷ ଏପର୍ଯ୍ୟନ୍ତ ୬୮ଟି ସ୍ଥାନରେ ଅଦିନିଆ ରଥଯାତ୍ରା ପାଳନ ସରିଛି । ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି । ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି । ଏପରି ନ କରିବା ପାଇଁ ଇସ୍କନ ସହ ବାରମ୍ବାର କଥାବାର୍ତ୍ତା କରିଛୁ । ବର୍ତ୍ତମାନ ସେମାନେ ଭାରତ ଭିତରେ ପରମ୍ପରା ମାନୁଛନ୍ତି । ମାତ୍ର ବିଦେଶରେ ସେମାନେ ପରମ୍ପରା ମାନୁ ନାହାନ୍ତି ବୋଲି ଗଜପତି ମହାରାଜ କହିଛନ୍ତି ।


ସେହିପରି ସେ ଆହୁରି କହିଛନ୍ତି, କେବଳ ରଥଯାତ୍ରା ନୁହେଁ, ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଭାରତ ଭିତରେ ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି । ଆଜି ମାୟାପୁରୀକୁ ଏନେଇ ବିସ୍ତୃତ ଭାବେ ଜଣାଇ ଦିଆଯାଇଛି । ମାୟାପୁରୀରୁ ଏନେଇ କ’ଣ ଜବାବ ଆସୁଛି ଅପେକ୍ଷା ରହିଛି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଇଁ ମହାପ୍ରଭୁ ନିଜେ କହିଛନ୍ତି । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ନୁହଁନ୍ତି, ମଦନମୋହନ ହେଉଛନ୍ତି ଚଳନ୍ତି ପ୍ରତିମା । ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ବୋଲି ଯେଉଁମାନେ ଭାବୁଛନ୍ତି, ଠିକ୍‌ ନୁହେଁ । କୌଣସି ପରିସ୍ଥିତିରେ ତିଥିକୁ ପରିବର୍ତ୍ତନ କରିପାରିବେ ନାହିଁ । ଜନ୍ମାଷ୍ଟମୀ କ’ଣ ମନ ଇଛା କରିପାରିବେ କି ବୋଲି ପଚାରିଲେ ଗଜପତି ମହାରାଜ ।


ସେହିପରି ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି। ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ। ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି । ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି । ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌/କୋରିଅରରେ ଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gajapati Maharaja Criticizes ISKCON’s Adhinia Rathyatra in 68 Global Locations | Argus News