Videos
|
Odisha

Young Athletes Death / କ୍ରୀଡା ଜଗତରେ ଶୋକର ଛାୟା; ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
କ୍ରୀଡା ଜଗତରେ ଶୋକର ଛାୟା; ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ
Young Athletes Death

Key Points

ଫୁଲନଖରା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଆଖି ବୁଜିଲେ ଦୁଇ ଓଡ଼ିଆ ଯୁବ ଆଥଲେଟ୍
ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
କଟକ: ଦୁର୍ଘଟଣା ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଉଦୀୟମାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣା ସମଗ୍ର କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଉଭୟଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

  • କ୍ରୀଡା ଜଗତରେ ଶୋକର ଛାୟା
ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ପ୍ରତିଭାବାନ ଯୁବ କ୍ରୀଡ଼ାବିତ୍ ହେଉଛନ୍ତି ମଳୟ ବାରିକ ଓ ମୃତ୍ୟମ ଜୟରାମ ଦଣ୍ଡପାଟି । ଏହି ଦୁଃଖଦ ଘଟଣା ସମଗ୍ର କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ଉଭୟଙ୍କ ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦୁଇ ଜଣ ଯୁବ କ୍ରୀଡ଼ାବିତ୍‌ଙ୍କ ଏଭଳି ଅକାଳ ବିୟୋଗ କ୍ରୀଡ଼ା ଜଗତ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ଖବର ପାଇବା ପରେ ଅନେକ କ୍ରୀଡାପ୍ରେମୀ ଶୋକପ୍ରକାଶ କରିଛନ୍ତି ।

  • କେମିତି ଘଟିଲା ଦୁର୍ଘଟଣା ?
ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ଏକ ବୁଲେଟ୍ ମୋଟରସାଇକେଲ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ । ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ କଟକ ବଡ଼ ମେଡିକାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ହେପାଜତକୁ ନେବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିବା ଜଣାପଡ଼ିଛି । ଉଭୟ କଳିଙ୍ଗ ଷ୍ଟାଡିୟମର ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ ।

  • ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣାରେ ଦୁଇ ଓଡ଼ିଆ ଯୁବ ଆଥଲେଟ୍ ମଳୟ ବାରିକ ଓ ମୃତ୍ୟମ୍ ଜୟରାମ ଦଣ୍ଡପାଟିଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମାଜିକ ଗଣମାଧ୍ୟମ ‘X’ ଜରିଆରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଏକ ସଡ଼କ ଦୁର୍ଘଟଣାରେ ଆଥଲେଟ୍ ମୃତ୍ୟୁମ୍ ଜୟରାମ ଦଣ୍ଡପାଟି ଏବଂ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁରେ ଗଭୀର ମର୍ମାହତ । ସେମାନଙ୍କ ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଗଭୀର କ୍ଷତି ।" ଏଥିସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଷ୍ଟକର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ଏବଂ ଦିବଂଗତ ଆତ୍ମାକୁ ଅନନ୍ତ ଶାନ୍ତି ଦିଅନ୍ତୁ ବୋଲି ଲେଖି ଦୁଃଖ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ମୃତ୍ୟମ ଜୟରାମ ଦଣ୍ଡପାଟି

ଯୁବ ଆଥଲେଟ୍ ଜୟରାମଙ୍କ ଘର ଭବାନୀପାଟଣାରେ। ସେ 100 ମିଟର, 200 ମିଟର ଓ 4ଗୁଣା ୧୦୦ମିଟର ରିଲେରେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ୨୦୨୪- ସାଉଥ ଏସିଆନ୍ ଜୁନିଅର ଆଥଲେଟରେ ଜିତିଛନ୍ତି ସିଲଭର ଓ ବ୍ରୋଞ୍ଚ ମେଡାଲ । ସେହିପରି ୨୦୨୫- ଇଣ୍ଡିଆଲ ଓପନ ରିଲେ କାର୍ଣ୍ଣିଭାଲରେ ସିଲଭର ମେଡାଲ ଜିତିଥିଲେ । ୨୦୨୫ - ଇଣ୍ଡିଆନ ଓପନ ଆଥଲେଟରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦୨୬, ମାର୍ଚ୍ଚ ୨୮- ନ୍ୟାସନାଲ ଓପନ ରିଲେ- ୨ଟି ଗୋଲ୍ଡ ମେଡାଲ ଜିତିଥିଲେ । ୨୦୨୬, ଜୁନରେ ନ୍ୟାସନାଲ ଇଣ୍ଟରଷ୍ଟେଟ ଆଥଲେଟିକ ଚାମ୍ପିଅନସିପରେ ଗୋଲ୍ଡ ଓ ସିଲଭର । ସେହିପରି ଇଣ୍ଡିଆନ ଓପନ ଆଥଲେଟିକ ମିଟ୍‌ U-23- ୨ଟି ଗୋଲ୍ଡ ଜିତିଥିଲେ । .ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୪ରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ବୟସ ବର୍ଗର ୧୦୦ ମିଟର ଦୌଡ଼ରେ ୧୦.୫୦ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣପଦକ ଜିତି ନୂଆ ସମ୍ଭାବନା ତିଆରି କରିଥିଲେ । ତାଙ୍କ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ପାଇଁ ୨୦୨୪ରେ ଏକଲବ୍ୟ ପୁରସ୍କାରରେ ତାଙ୍କୁ ନଗଦ ୧.୫ ଲକ୍ଷ ଟଙ୍କା ସହ ସମ୍ମାନିତ କରାଯାଇଥିଲା ।
  • ମଳୟ ବାରିକ

ମଳୟ ବାରିକ ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳର । ରାଜ୍ୟକୁ ଅନେକ ଦୌଡକୁଦ ପ୍ରତିଯୋଗିତାରେ ସେ ଗର୍ବିତ କରିଛନ୍ତି । ସେ ମୁଖ୍ୟତଃ ୪୦୦ ମିଟର ଦୌଡ଼ରେ ଭାଗ ନେଉଥିଲେ । ଓଡ଼ିଶା ରାଜ୍ୟ ବରିଷ୍ଠ ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬ । ପୁରୁଷ ୨୩ ବର୍ଷରୁ କମ୍ ବୟସ ବର୍ଗର ୪୦୦ ମିଟର ଦୌଡ଼ରେ ରୌପ୍ୟପଦକ ଜିତି ଜିଲ୍ଲା ପାଇଁ ଗର୍ବ ଆଣିଥିଲେ ମଳୟ । ଇଷ୍ଟ ଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୫ରେ ୨୦ ବର୍ଷରୁ କମ୍ ବୟସ ବର୍ଗର ୪×୪୦୦ ମିଟର ରିଲେରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଶା ଦଳର ସେ ସଦସ୍ୟ ମଧ୍ୟ ଥିଲେ । ଇଣ୍ଡିଆନ୍ ଓପନ୍ ଆଥଲେଟିକ୍ସ ମିଟ୍ ୨୦୨୫ରେ ପାଟନାରେ ଆୟୋଜିତ ପ୍ରତିଯୋଗିତାର ୪୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଇଣ୍ଡିଆନ୍ ଆଥଲେଟିକ୍ସ ସିରିଜ୍ ୨୦୨୬ରେ ରାଞ୍ଚିରେ ଆୟୋଜିତ ପ୍ରତିଯୋଗିତାର ପୁରୁଷ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଥିଲେ ମଳୟ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: