ଋଣ ଭାର ସହି ନପାରି ଜୀବନ ହାରିଲେ ଛେଣ୍ଡିପଦାର ଚାଷୀ

ଅର୍ଗସ ବ୍ୟୁରୋ: ଅସହାୟ ଅନ୍ନଦାତା ଭାବିଥିଲେ ଫସଲ ବିକ୍ରି କରି ଋଣ ଶୁଝିବେ । କିନ୍ତୁ ଆଶାଜନକ ଉତ୍ପାଦନ ଅଭାବ ସାଙ୍ଗକୁ ଅଭାବୀ ବିକ୍ରି ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ । ଶେଷରେ ଋଣ ସୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଲେ ଅନୁଗୁଳ ଛେଣ୍ଡିପଦାର ପରିବା ଚାଷୀ ତ୍ରିନାଥ ପ୍ରଧାନ । ରାଜ୍ୟରେ 24 ବର୍ଷ ସ୍ଥିର ବିଜେଡି ସରକାରର ଅପାରଗତାରୁ ଜୀବନ ହାରିଲେ ଆଉ ଜଣେ କୃଷକ ।
ବ୍ୟାଙ୍କ ଋଣ ସହ ମହିଳା ସ୍ବୟ ସହାୟିକା ସଂଘରୁ ଆଣିଥିବା ଋଣ ସୁଝି ନପାରୁ ଚାପଗ୍ରସ୍ତ ହୋଇ ତ୍ରିନାଥ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ପୋଲିସ ତ୍ରିନାଥଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ପୁଅକୁ ହରାଇ ଭବିଷ୍ୟତ ଚିନ୍ତାରେ ବିଧବା ମାଆ ଭାଙ୍ଗି ପଡିଥିବାବେଳେ ତ୍ରିନାଥଙ୍କ ପତ୍ନୀ ଓ କୁନିକୁନି ଛୁଆଙ୍କ ମୁଣ୍ଡରେ ଛିଣ୍ଡି ପଡ଼ିଛି ଦୁଃଖର ପାହାଡ଼ ।
ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛି ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ । ମୃତକଙ୍କ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଅଭିଯୋଗ ହୋଇଥିବାବେଳେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଓ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ପ୍ରମୁଖ ଚାଷୀ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହ ଚାଷୀ ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା ।
ରାଜ୍ୟରେ ବିଜେଡି ଶାସନରେ ବଢୁଛି ଚାଷୀ ଆତ୍ମହତ୍ୟା। 24 ବର୍ଷ ସ୍ଥିର ସରକାରରେ କୃଷକ କଲ୍ୟାଣର ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି । ଗତବର୍ଷ ନଭେମ୍ବରରେ ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଏବେ ଅନୁଗୁଳରେ ଘଟିଛି ସମାନ ଘଟଣା । ସଫଳ ଯୋଜନା ସମେତ ବିଭିନ୍ନ ଯୋଜନାରେ ରାଜ୍ୟର ଚାଷୀଙ୍କୁ ଋଣ ଯୋଗାଇଦିଆଯାଉଥିବା ପ୍ରଚାର କରୁଛନ୍ତି ସରକାର । କିନ୍ତୁ ଯୋଜନାରେ ପ୍ରକୃତ ଚାଷୀ ଲାଭବାନ ହେବା ବଦଳରେ ଶୋଷଣର ଶିକାର ହେଉଥିବାରୁ ରାଜ୍ୟରେ ଚାଷୀଙ୍କ ଆୟ ବଢିବା ପରିବର୍ତ୍ତେ ହ୍ରାସ ପାଉଛି ।
📱 Get Argus News App
✨ଚାଷୀଙ୍କ ଆୟ କ୍ଷେତ୍ରରେ 28 ଟି ରାଜ୍ୟ ମଧ୍ୟରେ 27ତମ ସ୍ଥାନରେ ରହିଛି ଓଡ଼ିଶା। ସରକାରୀ ତଥ୍ୟ ଅନୁସାରେ ଓଡିଶା ଚାଷୀର ମାସିକ ରୋଜଗାର ମାତ୍ର 5 ହଜାର 112 ଟଙ୍କା। ଯାହା ରାଜ୍ୟରେ 24 ବର୍ଷ ସ୍ଥିର ସରକାରର ଚାଷୀ ମାରଣ ନୀତିକୁ ପଦାରେ ପକାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର