ହୀରାକୁଦରେ ଅଣାୟତ୍ତ ଝାଡ଼ାବାନ୍ତି ସ୍ଥିତି: 2 ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ଇଏ ବିଂଶ ଶତାବ୍ଦୀ ସତୁରୀ ଦଶକ ନୁହେଁ ଏକବିଂଶ ଶତାବ୍ଦୀର ଚିତ୍ର। କୌଣସି ଉପାନ୍ତ ବା ଅନୁନ୍ନତ ମଫସଲ ନୁହେଁ ହୀରାକୁଦ ସହରାଞ୍ଚଳର ଦୃଶ୍ୟ। ଏ ଚିତ୍ର ଖୋଲିଦେଉଛି ରାଜ୍ୟରେ 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ବିକାଶ ନାଁରେ ତମାମ ମିଛ ପ୍ରଚାରର ପୋଲ୍ । ଲାଗୁଛି ପଚାଶ ବର୍ଷ ପଛରେ ଅଛି ଓଡ଼ିଶା, ଆଉ ରାଜ୍ୟରେ ଅପାରଗ ସରକାରର ଶାସନରେ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା।
ହୀରାକୁଦରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ସ୍ଥିତି ଅଣାୟତ୍ତ ହୋଇଛି । ପୁଣି ଜଣକର ଜୀବନ ଯାଇଛି। 4 ଦିନ ଭିତରେ ହୀରାକୁଦ ସହରର ବିଭିନ୍ନ ପଡ଼ାରେ ୧70ରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ଶନିବାର କାଲୁପଡ଼ାର ଜଣକର ମୃତ୍ୟୁ ହୋଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଭେଜରାପାଲିର ଯୁଧିଷ୍ଠିର ଧରୁଆ । ତାଙ୍କ ସ୍ତ୍ରୀ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ । ଜନସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସଂକ୍ରମଣ ହୋଇଥିବା ଅଞ୍ଚଳରେ ପହଞ୍ଚି ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି ।
ସ୍ଵାସ୍ଥ୍ୟ ବିଭାଗର ଟିମ୍ ଦୁଇ ଦିନ ହେଲା ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଔଷଧ ବାଣ୍ଟୁଛନ୍ତି କିନ୍ତୁ ସୁଧୁରୁନାହିଁ ସ୍ଥିତି । ସ୍ବାସ୍ଥ୍ୟ ବିଭାଗ ଟିମ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ୍ ସଂଯୋଗ ଓ ଡ୍ରେନର ଚିତ୍ର ଦେଖାଇ ଦୂଷିତ ପିଇବା ପାଣି ହିଁ ଝାଡ଼ାବାନ୍ତିର କାରଣ ବୋଲି କହୁଛନ୍ତି। ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତର ଟିମ୍ ସମ୍ବଲପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଦନ୍ତ ରିପୋର୍ଟର ସମୀକ୍ଷା କରିବା ସହ ସଂକ୍ରମଣର କାରଣ ଓ ନିରାକରଣ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।
📱 Get Argus News App
✨ସେପଟେ ହୀରାକୁଦ ଡାଏରିଆ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଡାଇରିଆ ସଂକ୍ରମଣ ବୃଦ୍ଧି ଯୋଗୁଁ ହୀରାକୁଦ ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି। ତୁରନ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ପାନୀୟ ଜଳ ସଂକ୍ରମଣ ଯୋଗୁଁ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି। ଡାଇରିଆର ମୂଳ କାରଣ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ନିରାକରଣ ପାଇଁ ବ୍ୟାପକ ଜନସ୍ବାସ୍ଥ୍ୟ ସଚେତନତା ଅଭିଯାନ ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
