ନବୀନଙ୍କ ଶାସନରେ ଓଡ଼ିଶାକୁ ମିଳିଛି ଦୁସ୍ଥ ଓ ପଛୁଆ ରାଜ୍ୟର ପରିଚୟ

ଭୁବନେଶ୍ୱର: ନବୀନଙ୍କ ଶାସନରେ ଓଡ଼ିଶାକୁ ମିଳିଛି ଦୁସ୍ଥ ଓ ପଛୁଆ ରାଜ୍ୟର ପରିଚୟ । ନୀତି ଆୟୋଗର SDG ସୂଚକାଙ୍କ ୨୦୨୪ରେ ଓଡ଼ିଶାର ସ୍ଥିତି ଅତି ଦୟନୀୟ । ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ଷୁଧା ଓ ନ୍ୟାୟ ପ୍ରଦାନରେ ଓଡ଼ିଶାର ଶୋଚନୀୟ ପ୍ରଦର୍ଶନ । ରାଜ୍ୟର ବିକାଶ ଲକ୍ଷ୍ୟ ହାସଲ ମୋହନ ସରକାରଙ୍କ ପାଇଁ ବଡ଼ ଆହ୍ବାନ । ମୋଦି କହିଛନ୍ତି ୨୫ ବର୍ଷ ବିକାଶ ଯାତ୍ରା ଇଞ୍ଜିନରେ ୧ନମ୍ବରରେ ରହିବ ଓଡ଼ିଶା । ଡବଲ ଇଞ୍ଜିନ ସରକାରରେ ବିକାଶ ସୂଚକାଙ୍କ ଉପରକୁ ଉଠିବା ନେଇ ବଡ଼ ଆଶା । ବିରାସତରେ ମୋହନ ସରକାରଙ୍କୁ ମିଳିଛି ଏକ ଦୁସ୍ଥ ଓ ପଛୁଆ ଓଡ଼ିଶା। ସଦ୍ୟ ପ୍ରକାଶିତ ନୀତି ଆୟୋଗଙ୍କ ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ବା SDG ଇଣ୍ଡେକ୍ସରେ ସାମ୍ନାକୁ ଆସିଛି ଓଡ଼ିଶାର ଦୟନୀୟ ଚିତ୍ର। ବିକାଶର ପ୍ରତ୍ୟେକ ସୂଚକାଙ୍କରେ ଅନ୍ୟ ରାଜ୍ୟଗୁଡ଼ିକର ତୁଳନାରେ ବହୁ ପଛରେ ପଡ଼ିଛି ଓଡ଼ିଶା।
ସାମଗ୍ରିକ ବିକାଶ ଲକ୍ଷ୍ୟ ହାସରେ ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ରହିଛି ୨୨ ତମ ସ୍ଥାନରେ। ତେବେ ଓଡ଼ିଶାର ସବୁଠୁ ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଲିଙ୍ଗଗତ ବୈଷମ୍ୟ କ୍ଷେତ୍ରରେ । ୨୮ ଟି ରାଜ୍ୟ ମଧ୍ୟରୁ ମାତ୍ସର ୩୯ ପଏଣ୍ଟ ସହ ସବାଶେଷରେ ରହିଛି ଓଡ଼ିଶା। ଉତ୍ତମ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସାରା ଦେଶରେ ୨୭। ସେହପରି ଶାନ୍ତି ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ରହିଛି ଦ୍ବିତୀୟ ସ୍ଥାନରେ। ଏହାଛଡ଼ା କ୍ଷୁଧାମୁକ୍ତ ସୂଚକାଙ୍କରେ ୪୫ ଅଙ୍କ ସହ ୨୪ ତମ ସ୍ଥାନରେ ଅଛି ଆମ ରାଜ୍ୟ। SDG ଇଣ୍ଡେକ୍ସରେ ଶିଳ୍ପ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାର ର୍ୟାଙ୍କ ରହିଛି ୨୨ ତମ ସ୍ଥାନରେ। ଏହି ରିପୋର୍ଟକୁ ନେଇ ବିଜେଡିକୁ ଶାସକ ବିଜେପି ଘେରିଥିବା ବେଳେ ରକ୍ଷଣାତ୍ମକ ପ୍ରତିକ୍ରିୟା ରଖିଛି ବିଜେଡି।
ଏ ଦୁସ୍ଥିତିରୁ ଓଡ଼ିଶାକୁ ବାହାର କରି ବିକାଶର ଧାରଣ ଉପରେ ଦୌଡ଼ାଇବା ଏବେ ମୋହନ ମାଝି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଅବଶ୍ୟ ନୀତିଆୟୋଗ ରିପୋର୍ଟ ଆସିବା ପୂର୍ବରୁ ଦେଶର ଆଗାମୀ ୨୫ ବର୍ଷର ବିକାଶ~ଯାତ୍ରା ଇଞ୍ଜିନରେ ଓଡ଼ିଶା ୧ ନମ୍ବରରେ ରହିବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ୨୦୨୩-୨୪ ଆର୍ଥିକ ବର୍ଷ ନୁହେଁ ନୀତି ଆୟୋଗ ଗଠନ ହେବା ପରଠୁ କ୍ରମାଗତ ଭାବେ ଓଡ଼ିଶା ବିକାଶ ସୂଚକାଙ୍କର ତଳ ପାହଚରେ ରହିଆସୁଛି। ୨୫ ବର୍ଷ କ୍ଷମତାରେ ରହିବା ପରେ ବି ନବୀନ ସରକାର ଓଡ଼ିଶା ଉପରୁ ପଛୁଆ ରାଜ୍ୟର ଟ୍ୟାଗ ହଚାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏବେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ସତ କରି ଦେଖାଇବା ମୋହନ ମାଝି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର