ବରଗଡ଼ ଝାରବନ୍ଧରେ ପୋଲିସ ଉପରକୁ ସଂଘବଦ୍ଧ ଆକ୍ରମଣ

ବରଗଡ଼: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି । ବରଗଡ଼ ଝାରବନ୍ଧରେ ପୋଲିସ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଦୁଇ ମାସରେ ମହିଳା ପୋଲିସ ଉପରେ ଆକ୍ରମଣର ଏହା ଦ୍ବିତୀୟ ଘଟଣା । ଓଡ଼ିଶାରେ ସୁରକ୍ଷିତ ନୁହନ୍ତି କି ମହିଳା ପୋଲିସ ? । ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଏ କଣ 25 ବର୍ଷର ଉପଲବ୍ଧି ବୋଲି ମହିଳା ସମ୍ମାନର ଡିଣ୍ଡିମ ପିଟୁଥିବା ବିଜେଡି ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ବରଗଡ଼ ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁ । ଜଣେ ଗଞ୍ଜେଇ ବେପାରୀ ନାନୁ ସାହୁକୁ ଧରିବା ପାଇଁ ଏଠି ଶୁକ୍ରବାର ଭୋର ସମୟରେ ଚଢ଼ାଉ କରିଥିଲା ପୋଲିସ। ପୋଲିସ ଟିମର ନେତୃତ୍ବ ନେଉଥିଲେ ଝାରବନ୍ଧ ଥାନା ଅଧିକାରିଣୀ ସୁଚିସ୍ମିତା ମହାନ୍ତି। ସମ୍ପୃକ୍ତ ଗଞ୍ଜେଇ ବେପାରୀକୁ ଭ୍ୟାନରେ ବସାଇ ଆଣିବା ବେଳେ ପୋଲିସ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଅଭିଯୁକ୍ତର ପରିବାର ଲୋକେ। ଅଭିଯୁକ୍ତକୁ ଫେରାର୍ କରାଇବା ସହ ମହିଳା ଥାନା ଅଧିକାରୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ତାଲା ପକାଇଦେଲେ। ପଥର, ଠେଙ୍ଗାରେ ପୋଲିସ ଟିମ୍ ଉପରେ କଲେ ଆକ୍ରମଣ। ପୋଲିସ ଗାଡ଼ି ବି ଭଙ୍ଗାରୁଜା କଲେ l ଏ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏଠି ପୋଲିସ ଅସୁରକ୍ଷିତ। ଇଏ 25 ବର୍ଷର ବିଜେଡି ସରକାରର ଉପଲବ୍ଧି ।
ବିଜେଡି ଶାସନରେ ଅପରାଧୀଙ୍କ ଦୌରାତ୍ମ୍ୟ ଏତେ ବଢ଼ିଲାଣି ଯେ ବାରମ୍ବାର ପୋଲିସ ବାହିନୀ ଉପରେ କରୁଛନ୍ତି ଆକ୍ରମଣ। ଆହୁରି ସାଂଘାତିକ କଥା ହେଲା ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ପୋଲିସ । ଏ ଘଟଣା ଗତ ଫେବ୍ରୁଆରୀ ମାସର। ବାଲେଶ୍ବର ଜିଲ୍ଲା ଭୋଗରାଇ ସାହାବାଜିପୁର ପଞ୍ଚାୟତ ଉଦୟପୁର ଗାଁରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ। ନାଇଟ୍ ପାଟ୍ରୋଲିଂରେ ଯାଇଥିବା ଥାନା ଅଧିକାରିଣୀ ଗାଁର ଜଣେ ଦୋକାନୀକୁ ଦୋକାନ ବନ୍ଦ କରିବାକୁ କହିବାରୁ ତାଙ୍କୁ ଜବରଦସ୍ତ ଦୋକାନ ଘରେ ବନ୍ଦ କରିଦେଇଥିଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ଆହତ ହୋଇଥିଲେ ପୋଲିସ ଭ୍ୟାନ୍ ଚାଳକ। ସାମ୍ବାଦିକଙ୍କୁ ଫୋନ୍ କରି ସହାୟତା ମାଗିବା ପରେ ଉଦ୍ଧାର ହୋଇଥିଲେ ଥାନା ଅଧିକାରିଣୀ। ଏ ଦୁଇଟି ଘଟଣା ପ୍ରମାଣିତ କରୁଛି ଓଡ଼ିଶାରେ ସୁରକ୍ଷିତ ନୁହେଁ ମହିଳା ପୋଲିସ। କିନ୍ତୁ ମହିଳା ସମ୍ମାନର ଡିଣ୍ଡିମ ପିଟୁଛନ୍ତି ବିଜେଡି ସରକାର। ରାଜ୍ୟରେ ଅତ୍ୟନ୍ତ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ପୋଲିସ ବିଭାଗ ହିଁ ହୋଇପଡ଼ିଛି ଅସୁରକ୍ଷିତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର