ପ୍ରଶାସନିକ ଓ ଶୈକ୍ଷିକ ଭବନର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭାରତୀୟ ଭାଷା ସଂସ୍ଥାନର ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ର କ୍ୟାମ୍ପସଠାରେ ନବନିର୍ମିତ ପ୍ରଶାସନିକ ଓ ଶୈକ୍ଷିକ ଭବନ ଏବଂ ଛାତ୍ରାବାସ ଓ ଅତିଥି ଭବନର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଅବସରରେ ଭାରତୀୟ ସମାଜରେ ଭାଷାର ଗୁରୁତ୍ବ ସମ୍ପର୍କରେ ଉଦବୋଧନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ଆମ ସଂସ୍କୃତି, ପରମ୍ପରା, ଭାବର ପରିଚୟ ହେଉଛି ଭାଷା। ଭାଷାର ସମୃଦ୍ଧିରେ ସମାଜ ଓ ଦେଶର ସମୃଦ୍ଧି ହୁଏ। ଏଥିପାଇଁ ତ ନୂଆ ଶିକ୍ଷାନୀତିରେ ଭାଷାକୁ ଗୁରୁତ୍ବ ଦେଉଛନ୍ତି ମୋଦି ସରକାର।
ପରାଧୀନ ଭାରତରେ ଇଂରେଜମାନେ ଭାଷା ସହ ଭାଷାର ଲଢ଼େଇ କରିବାକୁ ଚାହୁଁଥିଲେ। ଆଞ୍ଚଳିକ ଭାଷାର ବିଲୋପ ଚାହୁଁଥିଲେ ବ୍ରିଟିଶ୍। କିନ୍ତୁ ସେହି ମନ୍ଦ ଉଦ୍ଦେଶ୍ୟ ସଫଳ ହେଲା ନାହିଁ। ଦେଶରେ ମାତ୍ର 7 ପ୍ରତିଶତ ଲୋକ ଇଂରାଜୀ କହୁଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ମୋଦି ସରକାରର ନୂଆ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ବ। ଏବେ 22ଟି ଆଞ୍ଚଳିକ ଭାଷାରେ ସାହିତ୍ୟ ଲେଖାଯାଇଛି।କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଆମ ରାଜ୍ୟରେ 60ରୁ ଅଧିକ ଆଞ୍ଚଳିକ ଭାଷା ବ୍ୟବହାର ହୁଏ। ଓଡ଼ିଶାର ସବୁ ଲୋକଭାଷାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ହୋଇପାରିଲେ ଭଲ ହେବ। ପୂର୍ବାଞ୍ଚଳ ଭାଷା କେନ୍ଦ୍ର ଭାଷା ଗବେଷଣାର କେନ୍ଦ୍ର ହେଉ, ମାତୃଭାଷାରେ ଉତ୍କର୍ଷ ହାସଲ କରି ଏଠାରୁ ମଧୁବାବୁ, ଜଗନ୍ନାଥ ଦାସ, ବଳରାମ ଦାସଙ୍କ ଭଳି ବାଗ୍ମୀଙ୍କର ସୃଷ୍ଟି ହେଉ ବୋଲି ଆଶା ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର।
ଆଇଆଇଏମ ସମ୍ବଲପୁର, ଆଇଜର, ଏସଡିଆଇ ଭୁବନେଶ୍ୱର ଭଳି ଶିକ୍ଷାନୁଷ୍ଠାନ ଗଢି ଉଠିଛି । କେନ୍ଦ୍ର ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁରୀ ସଦାଶିବ କ୍ୟାମ୍ପସରେ ଦିନକ ତଳେ 100 କୋଟି ଟଙ୍କାର କାମ ପାଇଁ ଶିଳାନ୍ୟାସ ହୋଇଛି । ମୋଦି ସରକାର ଓଡ଼ିଶାର ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଏବଂ ଗବେଷଣା ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କା କରୁଛନ୍ତି । ଓଡ଼ିଆ ଭାଷା ଆଧାରରେ ଏହାର ଲାଭ ଓଡ଼ିଆଙ୍କୁ ମିଳୁ। 2036ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶା ପୃଥିବୀର ବୌଦ୍ଧିକ କେନ୍ଦ୍ର ହେଉ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ନଭେମ୍ବର 19 ତାରିଖକୁ ସ୍ବାଧୀନତା ସଂଗ୍ରାମୀ, ବିଶିଷ୍ଟ ତାମିଲ କବି ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ଭାରତୀୟ ଭାଷା ଦିବସ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସିଆଇଆଇଏଲ, ମହୀଶୂର ଏବଂ ଏନସିଇଆରଟି ମଧ୍ୟରେ ଏକ ବୁଣାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: