Videos
|
Odisha

`ସୁଭଦ୍ରା' ଯୋଜନା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିସ୍ତୃତ ଆଲେଖ୍ୟ 

Manini Pattanayak
Browse all articles by Manini Pattanayak
·2 years ago·3 min read
`ସୁଭଦ୍ରା' ଯୋଜନା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବିସ୍ତୃତ ଆଲେଖ୍ୟ 

ଭୁବନେଶ୍ୱର:  ଓଡ଼ିଆ ମାଆ ଓ ଭଉଣୀଙ୍କ ସଶକ୍ତୀକରଣର ନୂଆ ପ୍ରତୀକ ହେବ `ସୁଭଦ୍ରା'। ଓଡ଼ିଶା ନାରୀ ଶକ୍ତିର ଅଭ୍ୟୁତଥାନ ବଳରେ ଓଡ଼ିଆ ଅସ୍ମିତାର ଶ୍ରୀବୃଦ୍ଧି ହେବ। ଗୋଟିଏ ସୁଭଦ୍ରା, କୋଟିଏ ମାଆ, ଏହି ଶୀର୍ଷକରେ ଆଲେଖ୍ୟ ଲେଖି ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କହିଛନ୍ତି ମାଆମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହି ଯୋଜନା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା ଭାବେ ପରିଗଣିତ ହେବ ।  ଓଡ଼ିଶାର ମାଆମାନଙ୍କୁ ସଶକ୍ତୀକରଣ ନିମନ୍ତେ `ସୁଭଦ୍ରା' ହେଉଛି ବହୁଆକାଂକ୍ଷିତ ଯୋଜନା । ଯୋଜନାକୁ ମହାପ୍ରଭୁଙ୍କ ଗେହ୍ଲା ଭଉଣୀ ସୁଭଦ୍ରାଙ୍କ ନାଁରେ ନାମିତ କରି ଓଡ଼ିଆ ପ୍ରୀତିର ପରିଚୟ ଦେଇଛନ୍ତି ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମୋଦି । 

ଯାହାକୁ ଆସନ୍ତା 17 ତାରିଖ ନିଜ ଜନ୍ମଦିନରେ ଓଡ଼ିଶାର ମାଆମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ସୁଭଦ୍ରା ଯେଉଁଥିରେ 21 ବର୍ଷରୁ ଉର୍ଦ୍ଧ୍ବ ଏବଂ 60 ବର୍ଷରୁ କମ୍ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀ ପାଇବେ ଲାଭ । ରାଜ୍ୟର 74 ହଜାର ଅଙ୍ଗନୱାଡ଼ି କେନ୍ଦ୍ର ସମେତ 1 ଲକ୍ଷ 14 ହଜାରଟି କେନ୍ଦ୍ରରେ ସୁଭଦ୍ରା ପଞ୍ଜୀକରଣ ଫର୍ମ ଉପଲବ୍ଧ ।  ଚଳିତ ବଜେଟରେ ଏହି ଯୋଜନା ପାଇଁ 10 ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସୁଭଦ୍ରା ଯୋଜନାରେ ପ୍ରତି ମହିଳା ହିତାଧିକାରୀଙ୍କୁ ବାର୍ଷିକ 10 ହଜାର ଟଙ୍କା ମିଳିବ । 5 ବର୍ଷରେ ହିତାଧିକାରୀଙ୍କୁ ମୋଟ 50 ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ 5 ହଜାର ଟଙ୍କା ଲେଖାଁଏ ଦୁଇଟି କିସ୍ତିରେ ବାର୍ଷିକ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ପାଖାପାଖି 1 କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏ ଅର୍ଥରାଶି ଯୋଗାଇ ଦିଆଯିବ ଏବଂ ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ମୋଟ 55,825 କୋଟି ଟଙ୍କା ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।


ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ସୁଭଦ୍ରା ଯୋଜନାରେ ଅର୍ଥ ହିତାଧିକାରୀ ମହିଳାଙ୍କ ଖାତାକୁ ସିଧାସଳଖ ଯିବ । ସେହି ଅର୍ଥ ବ୍ୟବସାୟ କିମ୍ବା ଅନ୍ୟାନ୍ୟ ଦରକାରୀ କାମରେ ଲାଗିବ । ଏ ଅର୍ଥ ପରୋକ୍ଷରେ ଆମ ବଜାରରେ ବିନିଯୋଗ ହେବ ଏବଂ ଏହାର ଲାଭ ପାଇବେ ଉଭୟ ରାଜ୍ୟ ଓ ଦେଶ । ସୁଭଦ୍ରା ଯୋଜନାର ଅର୍ଥରେ ମାଆମାନଙ୍କର ଆର୍ଥିକ ଦେଣନେଣ ଓ କାରବାର ବି ବଢ଼ିବ । ମାଆମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହି ଯୋଜନା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା ଭାବେ ପରିଗଣିତ ହେବ ।
ଧର୍ମେନ୍ଦ୍ର ଆହୁରି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟର ଫଳଶ୍ରୁତି ହେଉଛି JAM ଟ୍ରିନିଟି, ଅର୍ଥାତ୍ ଜନଧନ, ଆଧାର ଓ ମୋବାଇଲ ନମ୍ବର ସଂଯୋଗୀକରଣ । ଏହାଦ୍ବାରା ଦୁର୍ନୀତିକୁ ପ୍ରତିହତ କରାଯାଇପାରୁଛି ଏବଂ ସିଧାସଳଖ ଯୋଜନାର ସୁଫଳ ହିତାଧିକାରୀଙ୍କ ଆକାଉଣ୍ଟକୁ ପହଞ୍ଚିପାରୁଛି । ଅର୍ଥନୀତିଜ୍ଞଙ୍କ ମତରେ, ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନୀତି 4.8 ଗୁଣା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହାକୁ ‘ମଲ୍ଟିପ୍ଲାୟର୍ ଇଫେକ୍ଟ’ ବୋଲି କୁହାଯାଇଥାଏ । ଏହି ଅନୁସାରେ ଦେଖିଲେ, ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣଙ୍କ ପିଛା ମିଳିବାକୁ ଥିବା ବାର୍ଷିକ 10 ହଜାର ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ 50 ହଜାର ଟଙ୍କାର ଲାଭ ପ୍ରଦାନ କରିବ। ସେହିପରି 5 ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବହନ କରିବାକୁ ଯାଉଥିବା ମୋଟ 55,825 କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ 2.5 ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ । 2036 ସୁଦ୍ଧା ବିକଶିତ ଓଡ଼ିଶା ଓ 2047 ସୁଦ୍ଧା ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦିଙ୍କ ପ୍ରାଥମିକତା ତାଲିକାରେ ସର୍ବାଗ୍ରେ ରହିଛନ୍ତି ଦେଶର କୋଟି କୋଟି ମହିଳା, ଯୁବପିଢି ଓ ଅନ୍ନଦାତା ଓ ଗରିବ । ଓଡ଼ିଶାର ମା ଓ ଭଉଣୀଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ସହ ନାରୀ ସଶକ୍ତୀକରଣର ନୂଆ ପ୍ରତୀକ ହେବ ସୁଭଦ୍ରା ଯୋଜନା । ଏହି ଯୋଜନାର ଲାଭ ଓ ଉପଯୋଗିତାକୁ ପୁଞ୍ଜିକରି କୋଟିଏ ଓଡିଆ ମାଆ ଭଉଣୀ ନିଜ ତଥା ଦେଶର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି । ସ୍ବାଧୀନତାର ସାଢ଼େ ସାତ ଦଶନ୍ଧିରୁ ଅଧିକ ସମୟ ଅତିବାହିତ ହୋଇସାରିଥିଲେ ମଧ୍ୟ ଓଡ଼ିଶାର ନାରୀମାନଙ୍କୁ ସଶକ୍ତ ହେବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିନାହିଁ । ଗତ 24 ବର୍ଷ ଧରି ସ୍ଥିର ବିଜେଡି ସରକାରରେ ବେଲଗାମ୍  ବଢ଼ି ଚାଲିଥିଲା ମହିଳା ବିରୋଧୀ ହିଂସା, ଅତ୍ୟାଚାର, ଦୁଷ୍କର୍ମ ।. ହେଲେ ମୋହନ ସରକାର ମାଆମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟରତ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର