Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଣାଇଗଡ କଲେଜ ୫୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ

Jitendra Dash
Browse all articles by Jitendra Dash
·2 years ago·3 min read
ବଣାଇଗଡ କଲେଜ ୫୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ

ଅର୍ଗସ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣାଇଗଡ଼ ଅତ୍ୟନ୍ତ ସମ୍ପନ୍ନ, ଚଷାଚାଷୀ, ଜନଜାତି ଅଧ୍ୟୁଷିତ ଓ ଭାବାବେଗର ଅଞ୍ଚଳ । ବଣେଇ ଏକ ସଭ୍ୟତା । ସର୍ବଦା ଭବିଷ୍ୟତକୁ ଦେଖିପାରୁଥିବାର ଅଞ୍ଚଳ । ଦୀର୍ଘ ୩୦ ବର୍ଷ ଧରି ବଣାଇଗଡ ସହ ମୋର ସୁସମ୍ପର୍କ ରହିଛି । ଏହା ମୋର ଘର ପରି । ବଣାଇଗଡ଼ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପ୍ରଧାନଙ୍କ ପବିତ୍ର ଭୂମି । ଏହି ଜିଲ୍ଲାରେ ଅଂସଗଠିତ ଜନଜାତି ସମାଜର ନେତୃତ୍ୱ ନେଇ ବିପ୍ଳବୀ ନିର୍ମଳ ମୁଣ୍ଡା ବ୍ରିଟିଶଙ୍କ କୁଶାସନ ଓ ଅତ୍ୟାଚାର ଶାସନ ବିରୋଧରେ ସଂଗ୍ରାମ କରିଥିଲେ । ଆମକୋ-ସିମକୋ ଗୁଳିକାଣ୍ଡ ଅତୀତକୁ ମନେପକାଇବାର ଅବସର ଦିଏ ।  

ସେଭଳି ମାଟିରେ ୧୯୭୧ ମସିହାରେ ବ୍ରାହ୍ମାଣୀ ନଦୀର ଉପକୂଳରେ ପ୍ରତିଷ୍ଠା ହୋଇଥିବା ବଣାଇଗଡ଼ କଲେଜଟି ୫୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବଣାଇଗଡ଼ କଲେଜ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରସ୍ଫୁଟିତ କରିଆସୁଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଙ୍ଗୀତ ଆମର ଗୌରବମୟ କଳା ଓ ଲୋକସଂସ୍କୃତିର ଅନନ୍ୟ ନିଦର୍ଶନକୁ ଦର୍ଶାଉଛି । ତେବେ ଆମେ କେବଳ ଆମର ଇତିହାସକୁ ମନେପକାଇଲେ ଆଗକୁ ବଢିବା ନାହିଁ । ଆଗକୁ ଯିବା ପାଇଁ ହେଲେ ଇତିହାସର ଦର୍ପଣକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ପାଇଁ ପଡିବ । ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା ତିଆରି କରିବା ପାଇଁ ପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷରେ ରାଜ୍ୟର ବିକାଶରେ ବଣାଇଗଡ କଲେଜର ଭୂମିକା କଣ ରହିବା ଦରକାର ?  ଏଆଇ, ମେସିନ ଲର୍ଣ୍ଣିଂ, ବ୍ରାହ୍ଣଣୀ ନଦୀକୁ ନେଇ ଜଳ ପରିଚାଳନାର ପାଠ ପଢାଇବା ଭଳି ବ୍ୟବସ୍ଥା ହେବା ଦରକାର ନା ନାହିଁ ? । କାରଣ, ବଣାଇଗଡରେ ସେହି ଶକ୍ତି ଅଛି । ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣେଇ ଇନ୍ଦ୍ରପୁର ଗାଁର ସାଧାରଣ ଘରୁ ଆସିଥିବା ଶ୍ରୀକାନ୍ତ ତ୍ରିପାଠୀ ପିତାଙ୍କୁ ହରାଇବା ପରେ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିଛି । ଆଇଆଇଟି ଖଡଗପୁରରେ ପାଠପଢି ଅଷ୍ଟ୍ରେଲିଆରେ ଫାର୍ମାସୀ କମ୍ପାନୀ ଖୋଲି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ନିଜ କମ୍ପାନୀ ଅଧୀନରେ ସେ ୨୪ଟି ହସ୍ପିଟାଲ ଚଲାଉଛନ୍ତି । ତେଣୁ ବଣାଇଗଡକୁ ଆଗକୁ ନେବା ପାଇଁ ହେଲେ ଶ୍ରୀକାନ୍ତଙ୍କ ମନ ଭିତରେ ଥିବା ଜିଦି ଓ ଉତ୍ସାହକୁ ସମସ୍ତ ଛାତ୍ରଛାତ୍ରୀଙ୍କ ମନରେ ଆଣିବାର ଆବଶ୍ୟକତା ରହିଛି ।    

୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଜାତନ୍ତ୍ରିକ ବ୍ୟବସ୍ଥା କାରଣରୁ ଆଜି ସରକାରୀ ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଛି ।  ୨୦୪୭ର ମୂଳ ଯୋଜନା ହେଉଛି ଯାହା କରିବା ସମସ୍ତଙ୍କୁ ନେଇ କରିବା, ସମସ୍ତଙ୍କ ପାଇଁ କରିବା । ଏହି କ୍ରମରେ ମୋଦି ସରକାରରେ ବଣାଇଗଡର ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ହୋଇଛି । ଡିଏମଏଫ ଫଣ୍ଡର ବ୍ୟବସ୍ଥା କାରଣରୁ ବଣାଇଗଡ଼ ଅଞ୍ଚଳରେ ଜନଜାତିଙ୍କ ବିକାଶ ହେଉଛି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ଓ ଅନୁସନ୍ଧାନ କରିବାର କ୍ଷମତା ବୃଦ୍ଧି ପାଇଥାଏ । ଆଜି ସବୁ ସ୍ଥାନୀୟ ଓ ମାତୃଭାଷା ଗୁଡିକରେ ପ୍ରାରମ୍ଭିକ ଅବସ୍ଥାରେ ପାଠ ପଢାଯିବା ନେଇ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Sponsored
Union Minister at Golden Jubilee Ceremony of Sundargarh Banaigarh College | Argus News