Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଷ୍ଟ୍ରୀୟ ଯୁବ ଦିବସରେ ମାହାଙ୍ଗାରେ “ଯୁବ ସଂକଳ୍ପ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ

Odisha

ରାଷ୍ଟ୍ରୀୟ ଯୁବ ଦିବସରେ ମାହାଙ୍ଗାରେ “ଯୁବ ସଂକଳ୍ପ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·4 min read
ରାଷ୍ଟ୍ରୀୟ ଯୁବ ଦିବସରେ ମାହାଙ୍ଗାରେ “ଯୁବ ସଂକଳ୍ପ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଯେଉଁ ଓଡ଼ିଶାରେ ମାଆ ମହାଲକ୍ଷ୍ମୀ ଓ ମାଆ ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରାଯାଏ, ସେଠାରେ ଶିଶୁ, ଗର୍ଭବତୀ ମାଆ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କାହିଁକି ବୋଲି ଶୁକ୍ରବାର ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟ ଜୟନ୍ତୀ ଅବସରରେ କଟକ ଜିଲ୍ଲାର ମାହାଙ୍ଗାରେ ଆୟୋଜିତ “ଯୁବ ସଂକଳ୍ପ ସମାବେଶ”ରେ ଯୋଗଦଇ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟସେବା ଭୁଷୁଡି ପଡିଛି । କେବଳ ଭୋଟ ଜିତିବା ମୋହରେ ସାମାନ୍ୟ ଓଡ଼ିଆ ଲୋକଙ୍କର ମୌଳିକ ଆବଶ୍ୟକତାକୁ ଶାସନ ଦାୟିତ୍ଵରେ ଥିବା ଲୋକମାନେ ଅଣଦେଖା କରୁଛନ୍ତି ।ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଚଏଫଏସ) ଅନୁସାରେ ଓଡ଼ିଶାରେ ନବଜାତ ଶିଶୁ, ମହିଳାମାନେ ଅପପୃଷ୍ଟି ଓ ରକ୍ତହୀନତାର ଶୀକାର । ଓଡ଼ିଶାର  ୧୯% ଶିଶୁ ଜନ୍ମ ହେବା ବେଳେ କମ ଓଜନର ଶୀକାର ହେଉଛନ୍ତି । ରାଜ୍ୟରେ  ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ । ଅପପୁଷ୍ଟିରେ ନବରଙ୍ଗପୁର ଜିଲ୍ଲା ପ୍ରଥମରେ ରହିଛି । ଜିଲ୍ଲାରେ ୪୬.୬% ୫ବର୍ଷର କମ୍ ଶିଶୁ ଅପପୃଷ୍ଟିରେ ଶିକାର ହୋଇଛନ୍ତି । ମୟୁରଭଞ୍ଜରେ ୪୫.୯% ଓ ସମ୍ବଲପୁରରେ ୩୬.୩% ଶିଶୁ ଅପପୃଷ୍ଟିରେ ଶିକାର ହେବା ଚିନ୍ତାର ବିଷୟ । ଆସନ୍ତା ୧୨ ବର୍ଷ ପରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବ । ସେତେବେଳେ ଆଜିର ପିଲା ଯୁବାବସ୍ଥାରେ ପହଞ୍ଚିଥିବ । ତେଣୁ ଏଭଳି ପରିସଂଖ୍ୟାନ ଚିନ୍ତାଜନକ । ଓଡିଶାରେ ଏନସିଆରବି ରିପୋର୍ଟ ଅନୁସାରେ ସବୁଠୁ ଖରାପ ରାଜ୍ୟ ଅନୁସାରେ ଓଡ଼ିଶା ତଳ ଆଡୁ ତୃତୀୟ ସ୍ଥାନରେ ଅଛି । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ଉଠାଇବାକୁ ପଡିବ ।    

ଅଧିକ ପଢନ୍ତୁ : ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି - ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନ ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉକ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି  "ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥୀ କଲେ , ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ ।" ଆଜିର ସମୟରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିବା ପାଇଁ ହେଲେ ଓଡ଼ିଆ ଲୋକମାନଙ୍କୁ ଏକାଠି ହେବା ପାଇଁ ପଡିବ । ଓଡ଼ିଶାର ସ୍ୱାଭିମାନକୁ ଜଗାଇବା ପାଇଁ ପଡିବ । ତୋଷାମଦକାରୀମାନେ ଜାତି ନନ୍ଦିଘୋଷକୁ ଟାଣି ପାରିବେ ନାହିଁ ବୋଲି ଉତ୍କଳ ଗୌରବ ମଧୁସୂଦନ ଦାସ କହିଥିଲେ । ଯେଉଁମାନେ ଜାତି ସ୍ୱାର୍ଥକୁ ଦୁର୍ଲକ୍ଷ୍ୟ କରି ନିଜ ସ୍ୱାର୍ଥକୁ ମହତ୍ତ୍ୱ ଦେଇ ଚାଟୁକାରିତା କରୁଛନ୍ତି, ସେମାନଙ୍କ ବିରୋଧରେ ଓଡ଼ିଆ ଲୋକମାନେ ଏକାଠି ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବିକାଶ ପାଇଁ ବିଗତ ସାଢେ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳରେ ଯୋଜନାର ସଠିକ୍ କ୍ରିୟାନ୍ୱୟନ ନେଇ ପାରଦର୍ଶୀତା ନାହିଁ । ଓଡ଼ିଶାରେ କେବଳ ତଳତଳିଆ ଲୋକମାନେ ଭିଜିଲାନ୍ସ ହାତରେ ଧରା ପଡୁଥିବା ବେଳେ ବଡ ବଡ ଅଧିକାରୀମାନେ କୁଆଡେ ଗଲେ ? ରାଜ୍ୟରେ ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆବାସ ଯୋଜନାରେ ୩୦ ଲକ୍ଷରୁ ଅଧିକ ଘର ଦେଇଛନ୍ତି । କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆସିଛି । କିନ୍ତୁ ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ପ୍ରତିବାଦ କଲେ ବିଜେପି କାର୍ଯ୍ୟକର୍ତ୍ତା ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ସ୍ୱର୍ଗତ ଦିବ୍ୟସିଂହ ବରାଳଙ୍କ ଭଳି ଲୋକଙ୍କୁ ହତ୍ୟା କରାଯାଉଛି । ତାଙ୍କର ହତ୍ୟାକାରୀମାନେ ନିର୍ଭୟରେ ବୁଲୁଛନ୍ତି । ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ସ୍ୱାଭିମାନୀ ମାହାଙ୍ଗାର ଯୁବ ସମାଜ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସଂକଳ୍ପ କରିଛି । ଆଗକୁ ପ୍ରଜାତନ୍ତ୍ରରେ ଭୋଟରେ ଏବଂ ବାଲଟ୍ ପେପରରେ ତାଣ୍ଡବ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟରେ କେବଳ ବଡ ବଡ ହସ୍ପିଟାଲର କଥା କହି ଗରିବ ଲୋକର ଅପେକ୍ଷାକୁ ଉପହାସ କରାଯାଉଛି । ଓଡ଼ିଶାରେ ଲମ୍ବା ଶାସନର ସ୍ୱାସ୍ଥ୍ୟସେବାର ଉପଲବ୍ଧି କେବଳ ବିଜ୍ଞାପନ ଏବଂ ବଡ ବଡ ହୋର୍ଡିଂରେ ସୀମିତ । ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଅସୁରେଶ୍ୱର ଓ ଆଖପାଖ ଅଞ୍ଚଳରେ ସରକାରୀ ଡାକ୍ତରଖାନା ଗୁଡିକରେ ଡାକ୍ତର ନାହାନ୍ତି । ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଲୋକଙ୍କୁ ବଡ ବଡ ହସ୍ପିଟାଲକୁ ପଠାଯାଉଥିବା ଦମ୍ଭ ଦେଖାଯାଉଛି । ମେଡିକାଲରେ ମିଛ ବିଲ୍ କରି ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟ କରାଯାଉଛି । ଓଡ଼ିଆ ଲୋକର ଆତ୍ମବିଶ୍ୱାସକୁ ଧକ୍କା ପହଞ୍ଚାଇବା ଅନୁଚିତ୍ । ସତ କେବେ ଲୁଚି ରୁହେନାହିଁ । 

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମାହାଙ୍ଗା ହେଉଛି ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ସାହିତ୍ୟର ଏକ ପ୍ରମୁଖ ସ୍ଥଳୀ । ମାହାଙ୍ଗାରେ ମହାପୁରୁଷ ଅଚ୍ୟୁତନନ୍ଦ ଗାଦି,  ଅରକ୍ଷିତ ଦାସ ଓ ହାଡ଼ି ଦାସଙ୍କ ପୀଠ ରହିଛି । କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବୀ ନନ୍ଦକିଶୋର ବଳଙ୍କ ଜନ୍ମସ୍ଥାନ ଏବଂ ଉତ୍କଳ ଗୌରବ ମଧୁସୂଦନ ରାଓଙ୍କର ସ୍ୱାଭିମାନର ଭୂମି । ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଓ ମୂଲ୍ୟବୋଧରେ ଯୁବକମାନେ ଅନୁପ୍ରାଣିତ । ସେ କହିଥିଲେ, ଯେଉଁ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ କିଛି ଶିଖ, ଅନୁଭବ ହିଁ ସର୍ବଶ୍ରେଷ୍ଠ ଶିକ୍ଷକ । ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା । ପଢ଼ିବା ପାଇଁ ଜରୁରୀ ଏକାଗ୍ରତା ଏବଂ ଏକାଗ୍ରତା ପାଇଁ ଜରୁରୀ ଧ୍ୟାନ । ନିଜର ଲକ୍ଷ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ଅଟକିବା ନାହିଁ ଭଳି ଯୁବବର୍ଗଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତ୍ୟେକ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ । 

ଦିନେ ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ସାତ ସମୁଦ୍ର ପାର କରି ବିଶ୍ୱର ବୈଭବକୁ ଆମ ରାଜ୍ୟକୁ ଆଣିଥିଲେ । ପୁରୀ ବଡ ଦେଉଳ, ଲିଙ୍ଗରାଜ ମନ୍ଦିର ଏବଂ ବିଜ୍ଞାନର ଉତ୍କୃଷ୍ଟ କଳାକେନ୍ଦ୍ର କୋଣାର୍କ ମନ୍ଦିର ତାହାର ଜ୍ୱଳନ୍ତ ପ୍ରମାଣ । ସ୍ୱାଭିମାନୀ ଓଡ଼ିଆ ଲୋକମାନେ ଶକ୍ତିଶାଳୀ ଅଶୋକଙ୍କ ପାଖରେ ମଧ୍ୟ ମୁଣ୍ଡ ନୁଆଇଁନଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣିମ କାଳରେ ପହଞ୍ଚିଛି । ଏହି ବିଶ୍ୱବନ୍ଦିତ ସନ୍ନ୍ୟାସୀ ତଥା ଦାର୍ଶନିକଙ୍କ ଅମୂଲ୍ୟ ବାଣୀ ଆଧାରରେ ହିଁ ଆମେ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିପାରିବା । ସମୃଦ୍ଧଶାଳୀ ଓ ସ୍ୱାଣିମାନୀ ଓଡ଼ିଶା ତିଆରି ହେଲେ ହିଁ ବିକଶିତ ଭାରତ ହେବ । ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତାରେ ପ୍ରେରିତ ହୋଇ କୁଳବୃଦ୍ଧ ମଧୁବାବୁଙ୍କ ଦ୍ୱାରା ଦିଆଯାଇଥିବା ଆହ୍ୱାନକୁ ପୂରଣ କରିବା ପାଇଁ ହେବ । ୨୦୩୬ ସୁଦ୍ଧା ସମୃଦ୍ଧଶାଳୀ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବା ପାଇଁ ପଡିବ, ଏହା ହିଁ ଯୁବ ସଂକଳ୍ପ ସମାବେଶର ସଂକଳ୍ପନା ବୋଲି ସେ କହିଛନ୍ତି । ନୂଆ ଓ଼ଡ଼ିଶା, ସମୃଦ୍ଧ ଓଡ଼ିଶା ଓ ସମ୍ପନ୍ନ ଓଡ଼ିଶା ତିଆରି କରିବା ପାଇଁ ଯୁବ ସମାଜକୁ କେନ୍ଦ୍ରମନ୍ତ୍ରୀ  ଆହ୍ୱାନ କରିଛନ୍ତି ।

Sponsored
Union Minister at "Youth Sankalpa Samabesha" at Mahanga on National Youth Day | Argus News