ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗର ନିଆରା ପଦକ୍ଷେପ

ଅର୍ଗସ ବ୍ୟୁରୋ: ଖରା ଦିନ ଆସିଲେ ବନବିଭାଗର ଚିନ୍ତାର କାରଣ ହୋଇଥାଏ ଜଙ୍ଗଲ ନିଆଁ। ପ୍ରତି ବର୍ଷ ମାର୍ଚ୍ଚ ଏପ୍ରିଲ ମାସରେ ଶିମିଳିପାଳ ଅଭୟାରଣ୍ୟ ସହିତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର ଦେଖାଯାଇଥାଏ। ଏଥିରେ ଅନେକ ବନ୍ୟ ଜାତୀୟ ଦ୍ରବ୍ୟ ସହିତ ଗଛ,ଲତା ଏବଂ ବିଭିନ୍ନ ପଶୁଙ୍କର ମୃତ୍ୟୁ ଘଟିଥାଏ। ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଶିମିଳିପାଳକୁ ବନାଗ୍ନିରୁ ରକ୍ଷା କରିବା ପାଇଁ ଏବେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅନେକ ନିଆରା ପ୍ରକ୍ରିୟା। ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ବନାଗ୍ନି ନିୟନ୍ତ୍ରଣ କକ୍ଷ ଏବଂ ଜାରି ହୋଇଛି ହେଲ୍ପଳାଇନ୍ ନମ୍ବର । ଜିଲ୍ଲାର ୩ ଟି ଡିଭିଜନ ବାରିପଦା,ରାଇରଙ୍ଗପୁର ଓ କରଞ୍ଜିଆ ସମେତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ଦକ୍ଷିଣ ଦୁଇଟି ଡିଭିଜନ ଅଞ୍ଚଳରେ ୭୭୦୦ କି.ମି ର ଫାୟାରଲାଇନ୍ ପ୍ରସ୍ତୁତ କରାଯିବାର କାର୍ଯ୍ୟକ୍ରମ ଜାରି ରହିଛି।
ଏଥିପାଇଁ ୭୩୩ ଟି ଏୟାର ବ୍ଲୋୟର ମେସିନ୍ ପ୍ରଦାନ କରାଯାଇଥିବା ବେଳେ ୫୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ସବୁଠାରୁ ଆକର୍ଷଣୀୟ ପାଲଟିଛି "ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାୱାର"।ଏହା ଦ୍ୱାରା ଶିମିଳିପାଳ ରେ ନିଆଁ ଲାଗୁଥିବା ସ୍ଥାନକୁ ସହଜରେ ଚିହ୍ନଟ କରାଯାଇପାରିବ। ୨୭୫୦ ବର୍ଗ କି.ମି ବ୍ୟାପି ରହିଥିବା ଶିମିଳିପାଳ ଅଭୟାରଣ୍ୟ ରେ ୫ ଟି ସ୍ଥାନରେ ଏହି ଟାୱାର ଲାଗିବ। ଏଥିରେ ୩୬୦ ଡିଗ୍ରୀର ପାୱାରଫୁଲ କ୍ୟାମେରା ଲାଗିବ ଯାହା ପୁରା ଶିମିଳିପାଳ ଉପରେ ନଜର ରଖିବ। ଏହି କ୍ୟାମେରା ୧୫ କି.ମି ରେଡିଏସ୍ ରେ ଯୋଉଠି ବି ନିଆଁ ଲାଗିବ ତାକୁ ତୁରନ୍ତ ଡିଟେକ୍ଟ କରି ତାର ତଥ୍ୟ ପ୍ରଦାନ କରିବ। ଆଉ ଏହି ତଥ୍ୟ ମାଧ୍ୟମରେ ଵନ କର୍ମଚାରୀ ମନେ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିପାରିବେ ।
ଚଳିତ ବର୍ଷ ଅଳ୍ପ ବ୍ୟବଧାନରେ ବର୍ଷା ହେଉଥିବା କାରଣରୁ ଜଙ୍ଗଲ ନିଆଁ ପୂର୍ବ ପରି ବ୍ୟାପିବାର ସମ୍ଭାବନା ନାହିଁ । ତଥାପି ଆଗକୁ ଗ୍ରୀଷ୍ମପ୍ରବାହ ସମୟରେ କଣ ହେବ ତାହା କହିହେବନାହିଁ । ବନବିଭାଗର ଏପରି ପଦକ୍ଷେପକୁ ପରିବେଶବିତ୍ ଓ ବୁଦ୍ଧିଜୀବି ସ୍ବାଗତ କରିଛନ୍ତି ସତ । କିନ୍ତୁ ଯେତେ ଆଧୁନିକକରଣ କରାଗଲେ ମଧ୍ୟ ସବୁ କିଛିରେ ଅଧିକ କର୍ମଚାରୀ ଆବଶ୍ୟକ । ହେଲେ ବନବିଭାଗ ପାଖରେ ଏବେ ମଧ୍ୟ ଆବଶ୍ୟକ ଅନୁସାରେ କର୍ମଚାରୀ ଅଭାବ ରହିଛି । ତେଣୁ କର୍ମଚାରୀ ବୃଦ୍ଧି କରିବା ନିତାନ୍ତ ପ୍ରୟୋଜନ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିତ୍ ।
ଗ୍ରୀଷ୍ମଦିନ ଆସିଲେ ରାଜ୍ୟର ବିଭିନ୍ନ ଜଙ୍ଗଲ ଗୁଡିକରେ ନିଆଁ ଲାଗୁଥିବା ଦୃଶ୍ୟ ସାମ୍ନାକୁ ଆସିବା ସହ ବନାଗ୍ନି ଗ୍ରାସରେ ଶହଶହ ବର୍ଷର ମୁଲ୍ୟବାନ ଗଛ , ଔଷଧୀୟ ବୃକ୍ଷ ଲତା , ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ , ଜଳିପୋଡି ଛାରଖାର ହୋଇଥାନ୍ତି । ତେବେ ଚଳିତ ବର୍ଷ ଶିମିଳିପାଳ କର୍ତ୍ତୃପକ୍ଷ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କେତେ କାମରେ ଆସୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: